ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆନ୍ଧ୍ର ଓ ଓଡ଼ିଶା ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ‘ତିତଲି’। ବାତ୍ୟା ମୁକାବିଲା ପାଇଁ ସରକାର ହେଲେ ପ୍ରସ୍ତୁତ।

ଦକ୍ଷିଣ ପୂର୍ବ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତର ରୂପ ନେଇଛି। ୨୪ ଘଣ୍ଟା ଭିତରେ ଏହା ବାତ୍ୟାର ରୂପ ନେବ। ପାଣିପାଗ ବିଶେଷଜ୍ଞ ସମ୍ଭାବ୍ୟ ବାତ୍ୟାର ନାଁ ଦେଇଛନ୍ତି ‘ତିତଲି’। ବାତ୍ୟା ତିତଲି ଆସନ୍ତାକାଲି ଡିପ୍‌ ଡିପ୍ରେସନର ରୂପ ନେଇ ଆନ୍ଧ୍ର, ଓଡ଼ିଶା ଉପକୂଳ ଆଡ଼େ ମୁହାଁଉଥିବା ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରିଛନ୍ତି। ସମସ୍ତ ଜିଲ୍ଲାର ଜିଲ୍ଲାପାଳମାନେ ସଜାଗ ରହିବାକୁ ଏବଂ ସମ୍ଭାବ୍ୟ ବାତ୍ୟା ମୁକାବିଲା କରିବା ପାଇଁ ପ୍ରସ୍ତୁତ ରହିବାକୁ ଏସ୍‌ଆର୍‌ସି ବିଷ୍ଣୁପଦ ସେଠୀ ନିର୍ଦ୍ଦେଶ ଦେଇଛନ୍ତି।

ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ ଟିମ୍‌କୁ ପ୍ରସ୍ତୁତ ରହିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି।

୯ ତାରିଖ ସନ୍ଧ୍ୟାରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବ। ୧୦ ତାରିଖ ସନ୍ଧ୍ୟାରୁ ୧୧ ତାରିଖ ଯାଏଁ ପବନ ବହିବ। ୧୧ ତାରିଖ ସକାଳେ ଦକ୍ଷିଣ ଓଡ଼ିଶାରେ ଘଣ୍ଟାକୁ ୮୦ରୁ ୧୦୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ୧୦ ତାରିଖରୁ ୧୧ ତାରିଖ ଯାଏଁ ପ୍ରବଳ ବର୍ଷା ରହିଥିବା ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୧୩ ତାରିଖ ଯାଏଁ ବାତ୍ୟାର ପ୍ରଭାବ ରହିବ।

Comment