ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ବାଦଶାହ ଶାହାରୁଖ ଖାନ୍ ଭାରତୀୟ ହକି ଟିମକୁ ଚିୟର କରିବା ପାଇଁ ଆସୁଛନ୍ତି ଭୁବନେଶ୍ୱର।

ଆଉ ଦିନ କେତେଟାର ପ୍ରତୀକ୍ଷା ପରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବ ପୁରୁଷ ହକି ବିଶ୍ୱକପ୍। ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବକୁ ରଙ୍ଗାରଙ୍ଗ କରିବାକୁ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି ରାଜ୍ୟ ସରକାର। ଉଦଘାଟନୀ ଉତ୍ସବର ମାହୋଲକୁ ଆହୁରି ରଙ୍ଗିନ କରିବା ପାଇଁ ବଲିଉଡ ବାଦଶାହ ଶାହାରୁଖ ଖାନ୍ ଭୁବନେଶ୍ୱର ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି।

ଉଦଘାଟନୀ ଉତ୍ସବରେ ଯୋଗଦେଇ ଭାରତୀୟ ଟିମ୍‌କୁ ଚିୟର କରିବେ କିଙ୍ଗ୍ ଖାନ୍।

ହକି ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବରେ ଯୋଗଦେବା ପାଇଁ କିଙ୍ଗ୍ ଖାନ୍‌ଙ୍କୁ ଟୁଇଟ୍ କରି ଆମନ୍ତ୍ରଣ କରିଥିଲେ ଭାରତୀୟ ହକି ଟିମ୍‌ର ସଦସ୍ୟ। ଏହି ବିଶ୍ୱକପ୍‌ରେ ଯୋଗଦେବେ ବୋଲି ରିଟୁଇଟ୍ କରି ଶାହାରୁଖ ସ୍ପଷ୍ଟ କରିଛନ୍ତି।

“ହକି ବିଶ୍ୱକପ୍‌ରେ ଯୋଗଦେବା ନେଇ ମୋର ଜଣାଇବାରେ ବିଳମ୍ବ ହୋଇଯାଇଛି। ମୁଁ ଆପଣମାନଙ୍କୁ ଉତ୍ସାହିତ କରିବାକୁ ନିଶ୍ଚିତ ଯିବି। ମତେ ମନେପକାଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ”, କହିଛନ୍ତି ଶାହାରୁଖ।

ଶହାରୁଖ ଭାରତୀୟ ହକି ଟିମ୍‌କୁ ଉତ୍ସାହିତ କରିବା ପାଇଁ ଭାରତବାସୀଙ୍କୁ ନିବେଦନ କରିଛନ୍ତି। ହକି ପାଇଁ ସମସ୍ତଙ୍କୁ ଏକାଠି ହେବାକୁ ପଡ଼ିବ ବୋଲି କିଙ୍ଗ ଖାନ୍ କହିଛନ୍ତି।

ଏହାସହ ‘ହାର୍ଟ ବିଟ୍ସ ଫର୍ ହକି’କୁ ସମର୍ଥନ କରିଛନ୍ତି ଶାହାରୁଖ। ‘ମୋ ହୃଦୟ ହକି ପାଇଁ ଜୋର୍‌ରେ ସ୍ପନ୍ଦନ କରୁଛି’ – କହିଛନ୍ତି ଶାହାରୁଖ।

ବଲିଉଡ ବାଦଶାହ ଶାହାରୁଖ କଳିଙ୍ଗ ଷ୍ଟାଡିୟମ ଆସୁଥିବା ଖବର ଜଣାପଡ଼ିବା ପରେ ହକି ପ୍ରେମୀମାନେ ଉତ୍ସାହିତ ହୋଇଯାଇଛନ୍ତି। ଶାହାରୁଖଙ୍କୁ ସ୍ୱାଗତ କରିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି।

ହକି ବିଶ୍ୱକପ୍ ଉଦଘାଟନୀ ସମାରୋହରେ ଓସ୍କାର ବିଜେତା ଏ ଆର୍ ରେହମାନ ଉଦଘାଟନୀ ସଙ୍ଗୀତ ପରିବେଷଣ କରିବେ। ବିଶିଷ୍ଟ ଗୀତିକାର ଗୁଲଜାରଙ୍କ ସହ ମିଶି ଏ ଆର ରେହମାନ ହକି ବିଶ୍ୱକପ୍ ପାଇଁ ଉଦଘାଟନୀ ସଙ୍ଗୀତ ପ୍ରସ୍ତୁତ କରୁଥିବା ଜଣାପଡ଼ିଛି। ଓଡ଼ିଶାରେ ସେ ଲାଇଭ୍‌ ପରଫରମାନ୍ସ କରବାକୁ ଥିବାରୁ ହକି ପ୍ରେମୀମାନଙ୍କ ମନରେ ଉତ୍ସାହ ଭରି ଯାଇଛି।

ନଭେମ୍ବର ୨୮ରୁ ଡିସେମ୍ବର ୧୬ ଯାଏଁ ଚାଲିବ ଟୁର୍ଣ୍ଣାମେଣ୍ଟ। ୨୭ ତାରିଖ ଦିନ ହକି ବିଶ୍ୱକପ୍‌ର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।

Comment