ଓଡ଼ିଶାଲାଇଭ୍ ବ୍ୟୁରୋ

ଏବେ ଭାରତରେ ‘ମି ଠୁ’ ଆନ୍ଦୋଳନକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଆସନ୍ତୁ ଜାଣିବା ଏହି ‘ମି ଠୁ’ ଆନ୍ଦୋଳନ ସମ୍ପର୍କରେ…
ଆକଟ୍ରେସ ତନୁଶ୍ରୀ ଦତ୍ତ ଅଭିନେତା ନାନା ପଟେକର ଓ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟଙ୍କ ଉପରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ଭାରତରେ ‘ମି ଠୁ’ ଆନ୍ଦୋଳନ ଏବେ ଜୋର ଧରିଛି। ତନୁଶ୍ରୀଙ୍କ ପରେ ତମାମ ମହିଳା କଳାକାର, ସାମ୍ବାଦିକା ସେମାନଙ୍କ ଉପରେ ହୋଇଥିବା ଯୌନ ନିର୍ଯାତନାକୁ ନେଇ ସୋସିଆଲ ମିଡ଼ିଆରେ ଅଭିଯୋଗ ଆଣିଛନ୍ତି ଓ ବ୍ୟାପକ ଭାବରେ ଏହା ସେୟାର ହେଉଛି।

ଏହି କ୍ରମରେ ବହୁ ନାମୀଦାମୀ ଲୋକଙ୍କ ଉପରେ ଅଭିଯୋଗ ଆସିଛି। ନାନା ପାଟେକରଙ୍କ ବ୍ୟତୀତ ଜଣାଶୁଣା କଳାକାର ଆଲୋକ ନାଥ(ବୁନିୟାଦ), କେନ୍ଦ୍ର ମନ୍ତ୍ରୀ ଓ ଅତୀତର ସାମ୍ବାଦିକ ଏମଜେ ଆକବର, ଗାୟକ କୈଳାଶ ଖେର ପ୍ରଭୃତିଙ୍କ ଉପରେ ମଧ୍ୟ ସମାନ ଅଭିଯୋଗ କରାଯାଇଛି। ତେବେ ଆପଣ ଜାଣନ୍ତି କି, ହ୍ୟାସଟ୍ୟାଗ ସହ ଏହି ‘ମି ଠୁ’ ଆନ୍ଦୋଳନ କେବେ, କେଉଁଠି ଓ କିଏ ଆରମ୍ଭ କରିଥିଲେ? ମହିଳାଙ୍କ ସପକ୍ଷରେ ଏହି ବିଶ୍ଵବ୍ୟାପୀ ଆନ୍ଦୋଳନର ଅୟମାରମ୍ଭ ବିଷୟରେ ଆସନ୍ତୁ ଜାଣିବା:
ପ୍ରକୃତରେ ଏହି ଆନ୍ଦୋଳନ ଆଜିଠାରୁ ପ୍ରାୟ ୧୨ ବର୍ଷ ତଳେ ଆରମ୍ଭ ହୋଇଥିଲା। ତେବେ ସୋସିଆଲ ମିଡ଼ିଆରେ ଏହା ମାତ୍ର ବର୍ଷକ ତଳେ ଆରମ୍ଭ ହୋଇଛି। ଅକ୍ଟୋବର ୨୦୧୭ରେ ଏହି ଅଭିଯାନଟି ଭାଇରାଲ ହୋଇଥିଲା। ଏବେ ପଢ଼ନ୍ତୁ ପୂରା କାହାଣୀ।
ଏଇଠୁ ଆରମ୍ଭ
ଯେଉଁ ମହିଳାମାନେ ଯୌନ ନିର୍ଯାତନା ଓ ଶୋଷଣର ଶିକାର ହୋଇଛନ୍ତି ସେମାନଙ୍କୁ ନ୍ୟାୟ ଦେବା ପାଇଁ ଓ ସାହାଯ୍ୟ କରିବା ସକାଶେ ଏହି ଅଭିଯାନ ଆରମ୍ଭ ହୁଏ। ୨୦୦୬ରେ ଆମେରିକାର ସିଭିଲ ରାଇଟ ଆକ୍ଟିଭିଷ୍ଟ (ନାଗରିକ ଅଧିକାର କର୍ମୀ) ତରାନା ବର୍କଙ୍କ ଦ୍ଵାରା ଆରମ୍ଭ ହୋଇଥିଲା।

ସେ ନିଜେ ଯୌନ ନିର୍ଯ୍ୟାତନାର ଶିକାର ହୋଇଥିଲେ। ଏକ ସାକ୍ଷାତକାର ଦେଇ ବର୍କ କହିଥିଲେ ଯେ, “ପିଲା ବେଳୁ ବଡ଼ ହେବା ପର୍ଯ୍ୟନ୍ତ ସେ ତିନିଥର ଏହାର ଶିକାର ହୋଇଛନ୍ତି। ଏଣୁ ମାଇସ୍ପେସ ସୋସିଆଲ ନେଟୱର୍କରେ ଏହି ଦୁଇ ଶବ୍ଦ ( ମୁଁ ବି)କୁ ନେଇ ବର୍କ ଏକ ଅଭିଯାନ ଆରମ୍ଭ କରିଥିଲେ ଓ ଏହାକୁ ଏକ ଆନ୍ଦୋଳନର ରୂପ ଦେଇଥିଲେ।“ ଏହି ଆନ୍ଦୋଳନର ଉଦ୍ଦେଶ୍ୟ ହେଉଛି ଯୌନ ନିର୍ଯାତନା ଶିକାର ହୋଇଥିବା ମହିଳାଙ୍କୁ ସାହସ ଦେବା ଓ ସେମାନଙ୍କ ଭିତରେ ଆତ୍ମବିଶ୍ୱାସ ସୃଷ୍ଟି କରିବା ଓ ପ୍ରତିଶୃତି ଦେବା ଯେ, ଏହି ଘଟଣାରେ ଆପଣ ଏକା ନୁହଁନ୍ତି (ଆପଣଙ୍କ ଭଳି ଅନ୍ୟମାନେ ବି ଅଛନ୍ତି)।
ଗତବର୍ଷ ଅକ୍ଟୋବର ମାସରେ ପ୍ରଖ୍ୟାତ ଖବରକାଗଜ ନ୍ୟୁ ୟର୍କରରେ ଆମେରିକାର ଫିଲ୍ମ ପ୍ରଡ୍ୟୁସର ହାର୍ଭି ୱାଇନଷ୍ଟେନଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ବର୍କ ଏକ ବଡ଼ ଖୁଲାସା କଲେ। ଏହି ରିପୋର୍ଟ ମୁତାବକ ହାର୍ଭି ତିରିଶ ବର୍ଷ ଧରି ହଲିଉଡ଼ର ଫିଲ୍ମ ପ୍ରଯୋଜକ ରହିବା ଭିତରେ କିଛି ନ ହେଲେ ବି ୮୦ ଜଣ ମହିଳାଙ୍କୁ ବଳାତ୍କାର କରିଛନ୍ତି ଅଥବା ଯୌନ ନିର୍ଯାତନା ଦେଇଛନ୍ତି।

ମିଲାନୋଙ୍କ ଭୂମିକା
୨୦୧୭ ଅକ୍ଟୋବର ୧୬ ତାରିଖରେ ହଲିଉଡ଼ର ବିଶିଷ୍ଟ ଅଭିନେତ୍ରୀ ଓ ପ୍ରଯୋଜିକା ଏଲିସା ମିଲାନୋଙ୍କ ସୋସିଆଲ ସାଇଟକୁ ଏକ ମ୍ୟାସେଜ ଆସିଲା। ଏହି ମ୍ୟାସେଜରେ ଲେଖାଥିଲା ଯଦି ଆପଣ ଯୌନ ନିର୍ଯାତନାର ଶିକାର ହୋଇଛନ୍ତି ଆପଣ ବି ‘ମି ଠୁ’ର ଷ୍ଟାଟସ ଲଗାନ୍ତୁ। ଯାହାଫଳରେ କି ଲୋକେ ଏହି ସମସ୍ୟାର ଗମ୍ଭୀରତାକୁ ବୁଝିପାରିବେ।
ଏହି ମ୍ୟାସେଜକୁ ଏଲିନାକୁ ଟୁଇଟ କରିବା ପରେ ଏହା ଭାଇରଲ ହେବାକୁ ଲାଗିଲା। ପରେ ପରେ ହଜାର ହଜାର ସେଲିବ୍ରିଟି ମହିଳା ହ୍ୟାସଟ୍ୟାଗ ଲଗାଇ ଏହି ଆନ୍ଦୋଳନରେ ସାମିଲ ହେବା ଆରମ୍ଭ କଲେ ଓ ଏହା ହଲିଉଡ଼ରେ ସୀମିତ ନ ରହି ଏକ ବିଶ୍ୱବ୍ୟାପୀ ଆନ୍ଦୋଳନରେ ପରିବର୍ତ୍ତିତ ହେଲା।

ଭାରତରେ ତନୁଶ୍ରୀଙ୍କଠୁ ଆରମ୍ଭ
ଭାରତରେ ସୋସିଆଲ ମିଡିଆରେ ‘ମି ଠୁ’ ଆନ୍ଦୋଳନ ତନୁଶ୍ରୀ ଦତ୍ତଙ୍କ ଅଭିଯୋଗ ପରଠାରୁ ଏବେ ଗୋଟିଏ ସପ୍ତାହ ହେଲା ଆରମ୍ଭ ହୋଇଛି। ଦତ୍ତ ଅଭିଯୋଗ କରିଛନ୍ତି ଯେ, ୨୦୦୮ରେ ସେ ଫିଲ୍ମ ଲାଇନକୁ ସେ ଆସିଲେ। ‘ହର୍ନ ଓକେ ପ୍ଲିଜ’ ଚିତ୍ରରେ ତାଙ୍କୁ ଏକ ଆଇଟମ ଗୀତର ସୁଟିଂ କରିବାର ଥିଲା। ସୁଟିଂ ଦିନ ନାନା ପାଟେକର ବି ସେଟରେ ଉପସ୍ଥିତ ଥିଲେ।
ତନୁଶ୍ରୀଙ୍କ ଅଭିଯୋଗ ଯେ, ସୁଟିଂ ଚାଲିଥିବା ବେଳେ ନାନା ତାଙ୍କ ପାଖକୁ ଆସିଲେ ଓ ଖରାପ ଆଚରଣ କରିବା ଆରମ୍ଭ କରିଦେଲେ। କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ମଧ୍ୟ ନାନା ପାଟେକରଙ୍କ ସହ ମିଶି ଅଶାଳୀନ ଆଚରଣ ପ୍ରଦର୍ଶନ କରିଥିଲେ। ଏ ଦୁହିଁଙ୍କ ବିରୋଧରେ ତନୁଶ୍ରୀ ବିଧିବଦ୍ଧ ଭାବରେ ଅଭିଯୋଗ କରିଛନ୍ତି ଜାତୀୟ ମହିଳା କମିଶନ ନାନାଙ୍କୁ ନୋଟିସ ମଧ୍ୟ କରିଛି।

ଆହୁରି ଅନେକ ଫସିଛନ୍ତି
ନାନା ପାଟେକର ଓ ଗଣେଶ ଆଚାର୍ଯ୍ୟଙ୍କ ବିରୋଧରେ ତନୁଶ୍ରୀଙ୍କ ଅଭିଯୋଗ ପରେ ଏବେ ଏହି ମାମଲା ଭାଇରାଲ ହୋଇଛି। ଏବେ ବହୁ ହସ୍ତୀଙ୍କ ନାମରେ ଯୌନ ନିର୍ଯାତନା ଅଭିଯୋଗ ଆସିବାରେ ଲାଗିଛି। ଏଥିରେ ବେଶି ଅଛନ୍ତି ବଲିଉଡ଼ରୁ। ‘କୁଇନ’ ଫିଲ୍ମର ନିର୍ଦେଶକ ବିକାଶ ବେହଲ, ଲେଖକ ଚେତନ ଭଗତ, ଆକ୍ଟର ରଜତ କାପୁର, ସିଙ୍ଗର କୈଳାଶ ଖେର, ଆକ୍ଟର ଆଲୋକ ନାଥ ଏହିଭଳି ବିଖ୍ୟାତ ଲୋକଙ୍କ ନାମରେ ସମାନ ଅଭିଯୋଗ ଆସିଛି।
ଏହାଛଡ଼ା ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ ମନ୍ତ୍ରୀ ଥିବା ଏମ୍ ଜେ ଆକବରଙ୍କ ବିରୋଧରେ ମଧ୍ୟ ବୀଣା ରମଣୀ ନାମକ ଜଣେ ସମ୍ବାଦିକା ଯୌନ ନିର୍ଯାତନା ଅଭିଯୋଗ କରିଛନ୍ତି। ଆକବର ଢ଼େର ଦିନ ଧରି ‘ଦି ଟେଲିଗ୍ରାଫ’ର ସମ୍ପାଦକ ଥିଲେ। ଇତି ମଧ୍ୟରେ ଆଉ କେତେଜଣ ଟିଭି ସାମ୍ବାଦିକଙ୍କ ନାମରେ ମଧ୍ୟ ଅଭିଯୋଗ ଆସିଛି ଓ ସେମାନେ ନିଜ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

















