ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ମି ଠୁ’ ଆନ୍ଦୋଳନକୁ ନେଇ ଏବେ ସବୁଠି ଚର୍ଚ୍ଚା। ‘ମି ଠୁ’ ଆନ୍ଦୋଳନ ମାଧ୍ୟମରେ ବହୁ ପ୍ରତିଷ୍ଠିତ ବ୍ୟକ୍ତିଙ୍କର ଖୋଲୁଛି ଗୁମର ପେଡ଼ି। ଯୌନ ନିର୍ଯାତନା ଅଭିଯୋଗରେ ଛନ୍ଦି ହୋଇଯାଉଛନ୍ତି ନାମଦୀ କଳାକାର, ଚିତ୍ରଶିଳ୍ପୀ ଏବଂ ରାଜନେତା। ଜାଣନ୍ତୁ କିଏ ଏହି ‘ମି ଠୁ’ ଆନ୍ଦୋଳନର ଶିକାର ହୋଇଛନ୍ତି ଏବଂ କ’ଣ ରହିଛି ଏହାର ପ୍ରଭାବ।

ଇସ୍ତଫା ଦେଲେ ଏମ୍ ଜେ ଆକବର

ମୋଦି ସରକାରରେ ବୈଦେଶିକ ରାଷ୍ଟ୍ରମନ୍ତ୍ରୀ ଥିବା ଏମ୍‌ ଜେ ଆକବର ଆଜି ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ‘ମି ଠୁ’ ତାଙ୍କ ପଦବୀ ଛଡ଼ାଇ ନେଇଛି। ମହିଳା ସାମ୍ବାଦିକ ପ୍ରିୟା ରମଣୀ ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିବା ପରେ ସେ ବିବାଦରେ ଛନ୍ଦି ହୋଇଯାଇଥିଲେ। ପ୍ରିୟାଙ୍କ ବିରୋଧରେ ମାନହାନି ମାକଦ୍ଦମା କରିଛନ୍ତି ଆକର। କୋର୍ଟରେ ଏହି ମାମଲା ବିଚାରାଧୀନ ରହିଛ। ବିଚାର ଆରମ୍ଭ ହେବା ପୂର୍ବରୁ ଆକବର ମନ୍ତ୍ରୀ ପଦ ଛାଡ଼ିଛନ୍ତି।

ପ୍ରିୟାଙ୍କ ପରେ ୨୦ରୁ ଅଧିକ ମହିଳା ଆକବରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ। ଜଣକ ପରେ ଜଣେ ମହିଳା ‘ମି ଠୁ’ ଆନ୍ଦୋଳନରେ ଆକବରଙ୍କ ଗୁମର ଖୋଲିବା ପରେ ସେ ବିବାଦୀୟ ହୋଇପଡ଼ିଥିଲେ। ମଙ୍ଗଳବାର ଦିନ ମହିଳା ସାମ୍ବାଦିକ ତୁସିତା ପଟେଲ ମଧ୍ୟ ସମାନ ଅଭିଯୋଗ ଆଣିଥିଲେ। ଜଣେ ବିଦେଶୀ ମହିଳା ମଧ୍ୟ ଆକବରଙ୍କ ଉପରେ ଅଭିଯୋଗ ଆଣିଥିଲେ।

ଆକବର ସାମ୍ବାଦିକ ପ୍ରିୟା ରମଣୀଙ୍କ ବିରୋଧରେ ମାନହାନି ମକଦ୍ଦମା ରୁଜୁ କରିଥିଲେ। ପଟିଆଲା ହାଉସ୍‌ କୋର୍ଟରେ ଧାରା ୪୯୯ ଏବଂ ୫୦୦ରେ ମାମଲା ରୁଜୁ ହୋଇଛି।

ବିବାଦରେ ଚିତ୍ରଶିଳ୍ପୀ ଯତୀନ ଦାସ

ଜଣାଶୁଣା ବିଶିଷ୍ଟ ଚିତ୍ରଶିଳ୍ପୀ ଯତୀନ ଦାସ ମଧ୍ୟ ‘ମି ଠୁ’ ଆନ୍ଦୋଳନର ଶିକାର ହୋଇଛନ୍ତି। ତାଙ୍କ ବିରୋଧରେ ଯୌନ ଶୋଷଣର ଅଭିଯୋଗ ଆଣିଥିଲେ ପରିବେଶବିତ୍ ନିଶା ବୋରା। ନିଶା ସୋସିଆଲ ମିଡିଆରେ ଏହି ନିର୍ଯାତନା କାହାଣୀକୁ ବଖାଣିବା ପରେ ଯତୀନ ବିବାଦୀୟ ହୋଇପଡ଼ିଥିଲେ।

ନିଶା ଅଭିଯୋଗ କରିଥିଲେ, “ଯତୀନ ଦାସଙ୍କ ସହ ମୋର ୨୦୦୪ରେ ସାକ୍ଷାତ ହୋଇଥିଲା। ଦିଲ୍ଲୀର ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଡିନର ଟେବୁଲରେ ଯତୀନଙ୍କୁ ଭେଟିଥିଲି। ସେତବେଳେ ସେ ଏକ ପ୍ରୋଜକ୍ଟ ହାତକୁ ନେଇଥିଲେ। ଏହି କାମରେ ସହଯୋଗ କରିବା ପାଇଁ ସେ ମୋର ସହଯୋଗ ଲୋଡ଼ିଥିଲେ। ଏଥିରେ ମୁଁ ରାଜି ହୋଇ ତାଙ୍କୁ ସହଯୋଗ କରୁଥିଲି। ଏହି ପ୍ରୋଜକ୍ଟ ଶେଷ ହେବା ପରେ ସେ ମୋତେ ଏକ ବହି ଉପହାର ଦେଇଥିଲେ।”

ଏହାର କିଛିଦିନ ପରେ ସବୁ କିଛି ବଦଳି ଯାଇଥିଲା।

“ଯତୀନ ଦାସ ହଠାତ୍ ଦିନେ ମତେ ଷ୍ଟୁଡିଓକୁ ଡାକିଥିଲେ। ସେ ଷ୍ଟୁଡିଓକୁ ମୁଁ  ଯାଇଥିଲି। ସେ ଷ୍ଟୁଡିଓରେ ସେ ମଦ୍ୟପାନ କରୁଥିଲେ। ମତେ ମଦ୍ୟପାନ କରିବାକୁ କହିଥିଲେ। ଏହାପରେ ସେ ମତେ କିସ୍ କରିବା ସହ ଅସଦାଚରଣ କରିବାକୁ ଉଦ୍ୟମ କରିଥିଲେ”, ଏହି ଅଭିଯୋଗ ଆଣି ଯତୀନ ଦାସଙ୍କୁ କାଠଗଡ଼ାରେ ଛିଡ଼ା କରିଛନ୍ତି ନିଶା।

ଗାରୁସା କାଟୋଚ୍ ନାମ୍ନୀ ଜଣେ ମହିଳା ମଧ୍ୟ ଆଜି ପୁଣି ଯତୀନ ଦାସଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ଜେଡିଏସ୍‌ରେ ଇଣ୍ଟର୍ନସିପ୍ କରିବା ବେଳେ ଯତୀନ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ସେ ଅଭିଯୋଗ କରିଛନ୍ତି।

ଯତୀନଙ୍କ ଝିଅ ନନ୍ଦିତା ଦାସ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବାପା ଏହି ଅଭିଯୋଗକୁ ମିଛ କହିଛନ୍ତି। ଯଦି କିଛି ସତ୍ୟତା ଥାଏ ତାହା ପଦାକୁ ଆସିବା ଉଚିତ।

ନନ୍ଦିତା ଆହୁରି କହିଛନ୍ତି, “ମି ଠୁ ଆନ୍ଦୋଳନକୁ ମୁଁ ସମର୍ଥନ କରୁଛି। ମୋ ବାପାଙ୍କ ବିରୋଧରେ ଏଭଳି ଅଭିଯୋଗ ଆସିବା ପରେ ମଧ୍ୟ ମୁଁ ଏହି ଆନ୍ଦୋଳନକୁ ପୂରା ସମର୍ଥନ କରୁଛି।”

ଫିଲ୍ମ ଛାଡ଼ିଲେ ନାନା ପାଟେକର

ବଲିଉଡର ଆଗଧାଡ଼ିର ଅଭିନେତା ହେଲେ ନାନା ପାଟେକର। ତାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ତନୁଶ୍ରୀ ଦତ୍ତ। ଦୀର୍ଘ ୧୦ ବର୍ଷ ପରେ ସେ ନାନାଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଛନ୍ତି। ୨୦୦୮ ମସିହାରେ ‘ହର୍ଣ୍ଣ ଓକେ ପ୍ଲିଜ୍’ର ସୁଟିଂ ସମୟରେ ତାଙ୍କ ସହ ନାନା ଦୁର୍ବ୍ୟବହାର କରିଥିବା ସେ କହିଛନ୍ତି।

କଣ୍ଟ୍ରାକ୍ଟ ଅନୁସାରେ ଫିଲ୍ମରେ ଏକ ଆଇଟମ ନମ୍ବର କରିବାକୁ ଥିଲା। କିନ୍ତୁ ନାନା ପାଟେକର ତାଙ୍କୁ ଖରାପ ଉଦ୍ଦେଶ୍ୟ ରଖି ଛୁଇଁଥିଲେ। ସେ ନାନା ପାଟେକରଙ୍କ ନାଁରେ ଲିଖିତ ଅଭିଯୋଗ କରିଛନ୍ତି।

ତନୁଶ୍ରୀ ଦତ୍ତଙ୍କ ଏଭଳି ଅଭିଯୋଗକୁ ଖଣ୍ଡନ କରିଥିଲେ ନାନା। ଏହି ଅଭିଯୋଗ ଆସିବା ପରେ ଆଗାମୀ ଫିଲ୍ମ ‘ହାଉସଫୁଲ୍ ୪’ ସୁଟିଂ ସେ ଅଧାରୁ ଛାଡ଼ି ଦେଇଛନ୍ତି।

ନିର୍ଦ୍ଦେଶନାରୁ ଓହରି ଆସିଲେ ସାଜିଦ ଖାନ୍

ନିର୍ଦ୍ଦେଶକ ସାଜିଦ୍ ଖାନଙ୍କ ବିରୋଧରେ ଏକାଧିକ ମହିଳା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ତାଲିକା ଏବେ ଲମ୍ବା ହେଉଛି। ସହ ନିର୍ଦ୍ଦେଶକ ସଲୋନି ଚୋପ୍ରା, ସିମ୍‌ରନ ସୁରୀ ମଧ୍ୟ ସାଜିଦ୍‌ଙ୍କ ବିରୋଧରେ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ ପରେ ସାଜିଦ୍ ଖାନ୍ ଫିଲ୍ମସ ‘ହାଉସଫୁଲ୍ ୪’ରୁ ଓହରି ଆସିଛନ୍ତି।

ବଲିଉଡର ସଂସ୍କାରୀ ବାପା ଆଲୋକ ନାଥ, ଚଳଚ୍ଚିତ୍ର ନିର୍ଦ୍ଦେଶକ ବିକାଶ ବହଲ, ଲେଖକ ଚେତନ ଭଗତ, ଗାୟକ ଅଭିଜିତ ଭଟ୍ଟାଚାର୍ଯ୍ୟ, କୈଳାଶ ଖେର ମଧ୍ୟ ଏହି ‘ମି ଠୁ’ ଆନ୍ଦୋଳନରେ ଫସିଛନ୍ତି। ଆଗକୁ ଆଉ କେଉଁ ସେଲିବ୍ରିଟି ବା ରାଜନେତା ଏଥିରେ ଫସୁଛନ୍ତି ତାହା ଦେଖିବାକୁ ବାକି ରହିଲା।

Comment