ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ସ୍ୱର ସାମ୍ରାଜ୍ଞୀ ଲତା ମଙ୍ଗେସକର ତାଙ୍କ ଦୁଇ ଭଉଣୀ ଆଶା ଭୋଁସଲେ ଓ ଉଷା ମଙ୍ଗେସକରଙ୍କ ସହିତ ମିଶି ଏକ ଗୀତ ଗାଇଥିଲେ। ସେହି ଗୀତ ପଛର ସ୍ମୃତିକୁ ଉଦ୍‌ଜୀବିତ କରାଯାଇଛି…

ଖ୍ୟାତାନାମା ନିର୍ଦ୍ଦେଶକ ‘ଗୃହସ୍ଥୀ’ ଶୀର୍ଷକରେ ଏକ ହିନ୍ଦୀ ସିନେମା ନିର୍ମାଣ କରିଥିଲେ, ଯାହାର ସଙ୍ଗୀତ ନିର୍ଦ୍ଦେଶକ ଥିଲେ ପ୍ରଖ୍ୟାତ ସଙ୍ଗୀତଜ୍ଞ ରବି। ଅଶୋକ କୁମାର, ନିରୁପା ରାୟ, କହ୍ନେୟା ଲାଲ୍‌, ମନୋଜ୍‌ କୁମାର୍‌, ରାଜଶ୍ରୀ, ମେହମୁଦ୍‌, ଶୋଭା ଖୋଟେ, ଲଲିତା ପାୱାର, ଅଚଳା ସଚ୍‌ଦେବ୍‌, ପୁଷ୍ୟାବଲୀ ଓ ଇଫ୍‌ତିଖାର୍‌ ପ୍ରମୁଖ ଅଭିନୀତ ‘ଗୃହସ୍ଥୀ’ର ସଙ୍ଗୀତ ସେତେବେଳେ ଖୁବ୍‌ ଲୋକପ୍ରିୟ ହୋଇଥିଲା।

ଏହାର ଗୀତଗୁଡ଼ିକ ହେଲା- ‘ପାୟଲ୍‌ ଖୁଲ୍‌ ଖୁଲ୍‌ ଜାଏ, ମୋରି…’, ‘ଆଜ୍‌ ମିଲିଏକ୍ ଲଡ୍‌କୀ ଜିସେ ଦେଖୁ ତବୀୟତ୍‌ ଫଡ୍‌କୀ…’, ‘ଡିଙ୍ଗ୍ ଡାଙ୍ଗ୍‌ ଡିଙ୍ଗ୍‌ ଡାଙ୍ଗ୍ ଡିଙ୍ଗ୍‌ ଲାଲା…’, ‘ଜା ଜାରେ ଜା ଦିୱାନେ ଜା…’, ‘ଜାନେ ତେରୀ ନଜ୍‌ରୋଁ ନେ କ୍ୟା କର୍‌ଦିୟା…’, ‘ଜୀବନ୍ ଜ୍ୟୋତି ଜଲେ…’, ‘ଖିଲେ ହେ ସଖୀ ଆଜ୍‌ ଫୁଲ୍‌ୱା ମନ୍‌କେ…’, ‘ଜୋ ଔରତ୍‌ ହେ ଜୋ ଇନ୍‌ସାନୋଁ କୀ ୟେ ଇଜ୍ଜତ୍‌ ନ ହୋତି…’ ଏବଂ ‘ଜାରା ଦେଖ୍‌ ସମୟ ମେରା ଜନ୍‌ୱା ଏ ଦିଲ୍‌…’।

‘ଗୃହସ୍ଥୀ’ ଫିଲ୍ମରେ ଥିବା ‘ଖଇଲେ ହେ ସଖ୍ୟ ଆଜ୍‌ ଫୁଲ୍‌ୱା ମନ୍‌କେ…’ ଗୀତ ପଛର ଗପ ବେଶ୍ ମଜାଦାର। ନିର୍ଦ୍ଦେଶକ କିଶୋର ସାହୁ ‘ଗୃହସ୍ଥୀ’ର ମ୍ୟୁଜିକ୍‌ କମ୍ପୋଜିସନ୍‌ ପୂର୍ବରୁ ସ୍ୱରକାର ରବିଙ୍କ ଆଗରେ ଗୀତଗୁଡ଼ିକର ସିକ୍ୱେନ୍ସ ସମ୍ପର୍କରେ ବିସ୍ତୃତ ଭାବେ ବର୍ଣ୍ଣନା କରନ୍ତି।

ସେ ଏହି ଫିଲ୍ମରେ ରୋମାଣ୍ଟିକ, ସ୍ୟାଡ୍‌, ୱଷ୍ଟର୍ଣ୍ଣ ଓ ଫୋକ୍‌ ଆଦି ବିଭିନ୍ନ ଶୈଳୀର ଗୀତ ଦରକାର ବୋଲି ପ୍ରଥମରୁ କହି ରଖନ୍ତି ନିର୍ଦ୍ଦେଶକ। ସଙ୍ଗୀତକାର ରବି ଗୋଟିଏ ଗୀତକୁ ଛାଡ଼ି ଅନ୍ୟ ଗୀତଗୁଡ଼ିକର କମ୍ପୋଜିସନ୍‌ ଶେଷ କରନ୍ତି। ନିର୍ଦ୍ଦେଶକଙ୍କ ବରାଦ ଯେ, ସେହି ଗୀତଟି ଲୋକ ସଙ୍ଗୀତ ଉପରେ ଆଧାରିତ ହେବା ଦରକାର।

ରବି କିଛି ଚିନ୍ତା କରିପାରୁନଥାନ୍ତି କେମିତି କା ଟିଉନ୍ କରିବେ। ଦିନେ ରାତିରେ ସେ ଶୁଣିଥିବା ଏକ ଲୋକଗୀତ କଥା ମନେ ପଡ଼େ। ସେତେବେଳେ ରବିଙ୍କୁ ବୟସ ହୋଇଥାଏ ମାତ୍ର ନଅ ବର୍ଷ। ସେ ତାଙ୍କ ପିଉସୀଙ୍କ ଯାଆଙ୍କ ପୁଅର ବାହାଘର ଉତ୍ସବରେ ଯୋଗ ଦେଇଥାଆନ୍ତି।

ବାହାଘରର ମାହୋଲ୍‌ରେ ସଦ୍ୟ ବିବାହିତ ଯୁବକ ତା’ର ପତ୍ନୀକୁ ନୃତ୍ୟ କରିବାକୁ ଅନୁରୋଧ କରେ। ହେଲେ ପ୍ରଥମେ ତାକୁ ଲାଜ ଲାଗୁଛି ବୋଲି କହି କଥାକୁ ଏଡ଼ାଇ ଦିଏ ସେ। ତା’ପରେ ସ୍ୱାମୀର ବାରମ୍ବାର ଅନୁରୋଧ ଯୋଗୁଁ ତାକୁ ନାଚିବାକୁ ପଡ଼େ। ରବି ଦେଖନ୍ତି ସେହି ମହିଳା ଜଣକ ଏକ ଗୀତ ଗାଇ ନୃତ୍ୟ କରୁଛନ୍ତି। ସେହି ଗୀତଟି ହେଲା- ‘ମେରେ କାନ୍ କା ବାଲା ଲାଓ ରେଛୈଲା ମେରେ କାନ୍ କା ବାଲା ଲାଓ…’।

ସ୍ୱର ସହିତ ଯେଉଁ ଗୀତଟି ଶୁଣନ୍ତି ତାହା ତାଙ୍କୁ ଏତେ ପ୍ରଭାବିତ କରେ ଯେ ତାକୁ ସେ ମନେରଖନ୍ତି। ଖାଲି ସେତିକି ନୁହେଁ, ଘରକୁ ଫେରିବା ପରେ ରବି ସେହି ଗୀତଟିକୁ ମଧ୍ୟ ଗାଆନ୍ତି। ଉକ୍ତ ରାତିରେ ସେହି ସ୍ୱରକୁ ମନେ ପକାଇ ସମାନ ସ୍ୱରରେ ଅନ୍ୟ ଏକ ମୁଖୁଡ଼ା ତିଆରି କରନ୍ତି। ତାହା ହେଲା- “ଖିଲେଁହେ ସଖୀ ଆଜ୍‌ ଫୁଲ୍‌ୱା ମନ୍‌କେ…’।

ତା’ ପରଦିନ ନିର୍ଦ୍ଦେଶକ କିଶୋର ସାହୁଙ୍କୁ ମୁଖୁଡ଼ାଟି ସ୍ୱର ସହିତ ଗାଇ ଶୁଣାନ୍ତି ସଙ୍ଗୀତକାର ରବି। ଉଭୟ ଲେଖା ଓ ସ୍ୱରକୁ ପସନ୍ଦ କରନ୍ତି ନିର୍ଦ୍ଦେଶକ। ତା’ ପରେ ଏହି ଗୀତରେ କଣ୍ଠଦାନ କରିବେ ବୋଲି କଥା ଉଠେ। ରବି କହନ୍ତି ଯେ, “ଏହାକୁ ଲତା ମଙ୍ଗେସକର, ଆଶା ଭୋଁସ୍‌ଲେ ଓ ଉଷା ମଙ୍ଗେସକରଙ୍କ କଣ୍ଠରେ ରେକର୍ଡିଂ କରିବେ।“

ନିର୍ଦ୍ଦେଶକ ପ୍ରଶ୍ନ କରନ୍ତି ଏହା କ’ଣ ସମ୍ଭବ ତିନି ଭଉଣୀ ଏଥିରେ ରାଜି ହେବେ? ତା’ପରେ ସଙ୍ଗୀତକାର ପ୍ରଥମେ ଲତା ଜୀଙ୍କ ସହିତ ଏ ବିଷୟରେ ଯୋଗାଯାଗ କରନ୍ତି। ଲତା ଆଶା ଓ ଉଷାଙ୍କୁ ରାଜି କରାଇବାର ଦାୟିତ୍ୱ ନିଅନ୍ତି ଏବଂ ସେଥିରେ ସଫଳ ହୁଅନ୍ତି।

ଅବଶେଷରେ ତିନି ଭଉଣୀଙ୍କ କଣ୍ଠରେ ରେକର୍ଡିଂ ହୁଏ। ଏହା ମଧ୍ୟ ଲତା, ଆଶା ଓ ଉଷାଙ୍କ ମିଳିତ ଭାବେ କଣ୍ଠଦାନ କରିଥିବା ପ୍ରଥମ ସିନେମା ଗୀତ।

Comment