ଓଡ଼ିଶାଲାଇଭ୍ ବ୍ୟୁରୋ

ତିତଲି ଆସିବା ପୂର୍ବରୁ ଗାଁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ଭାଙ୍ଗି କବାଟ ଝରକା ନେଇଗଲେ ଦିଦି। ଦିଦି କହିଲେ, “ମୁଁ ନୁହେଁ ଠିକାଦାର ନେଇଯାଇଛି”। କେନ୍ଦ୍ରାପଡ଼ା ବ୍ଲକ ମରଡ଼ପୁର ପ୍ରାଥମିକ ବିଦ୍ୟାଳୟର ଓ ବାତ୍ୟାସ୍ଥଳରେ ଏହି ସମ୍ବେଦନଶୀଳ ଘଟଣା ଘଟିଛି। ଏହି ଘଟଣା ସମ୍ପର୍କରେ ଗ୍ରାମବାସୀମାନେ ଏକାଠି ହୋଇ ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କ ଏହି ଅସ୍ୱାଭାବିକ ଉତ୍ତର ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ଗତକାଲି ତିତଲି ଆସିବା ଖବର ପାଇ ଗ୍ରାମବାସୀମାନେ ଏହି ବାତ୍ୟା ଆଶ୍ରୟସ୍ଥଳକୁ ବ୍ୟବହାର କରି ନ ପାରି ଘରକୁ ଫେରି ଯାଇଥିଲେ। ତିତଲିର ଭୟଙ୍କର ରୂପ ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ସାରା ଜିଲ୍ଲାର ଲୋକମାନଙ୍କୁ ସଚେତନ କରାଇଥିଲା। ଗାଁ ହେଉ କି ଗାଁ ନିକଟ ବାତ୍ୟା ଆଶ୍ରୟସ୍ଥଳମାନଙ୍କରେ ଆଶ୍ରୟ ନେବାକୁ ପରାମର୍ଶ ଦେଇଥିଲା ପ୍ରଶାସନ।

୧୯୯୯ ମହାବାତ୍ୟାର ଭୟଙ୍କର ରୂପକୁ ଅତି ନିକଟରୁ ଦେଖିଥିବା ମଡ଼ରପୁର ଗାଁ ଲୋକେ ଭୟଭୀତ ହୋଇ ନିରାପଦ ଉଚ୍ଚସ୍ଥାନରେ ଆଶ୍ରୟ ନେବାକୁ ଗାଁର ପ୍ରାଥମିକ ବିଦ୍ୟାଳୟର ବାତ୍ୟା ଆଶ୍ରୟସ୍ଥଳରେ ପହଞ୍ଚି ଦେଖିବା ବେଳକୁ ବାତ୍ୟା ଆଶ୍ରୟସ୍ଥଳର ଗୃହର ଛାତକୁ ତାଡ଼ି ଦିଆଯାଇଛି। ଘରରେ ଲାଗିଥିବା କବାଟ ଝରକା ସବୁକୁ ଭାଙ୍ଗି ନିଆଯାଇଛି।

ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷକୁ ଖୋଜା ପଡ଼ିଲା। ଅଧ୍ୟକ୍ଷ କହିଲେ, କିଏ ସମ୍ପର୍କରେ ସେ କିଛି ଜାଣିନାହାଁନ୍ତି। ପ୍ରଧାନ ଶିକ୍ଷୟତ୍ରୀ ସଂଯୁକ୍ତା ନାୟକଙ୍କୁ ପଚାରିଲେ ଗ୍ରାମବାସୀ। ପ୍ରଧାନ ଶିକ୍ଷୟତ୍ରି କହିଲେ, “ଏହି ଘରକୁ ବିପଦ ସଙ୍କୁଳ ଘୋଷଣା କରି ଭାଙ୍ଗି ଦେବାକୁ ନିଯୁକ୍ତ ଠିକାଦାର ଘର ଭାଙ୍ଗି କବାଟ ଝରକା ସବୁ ନେଇଯାଇଛି।“ ଗାଁର ବାତ୍ୟା ଆଶ୍ରୟସ୍ଥଳକୁ ଠିକାଦାର ଭାଙ୍ଗି ନେଇ ଗଲା ଆଉ ଗ୍ରାମବାସୀ କେହି ବି ଜାଣି ପାରିଲେନି କାହିଁକି ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି।

ଏହି ଗୃହଟି ୧୯୯୯ ମହାବାତ୍ୟା ପରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଦ୍ୱାରା ନିର୍ମାଣ କରାଯାଇଥିଲା। ଯେଉଁ ଗାଁରେ ସରକାର ବଡ଼ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରି ପାରିନଥିଲେ ସେହି ସବୁ ଗାଁରେ ଥିବା ସ୍କୁଲମାନଙ୍କରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧିକାରୀ ଜିଲ୍ଲାର ବହୁପ୍ରାଥମିକ ବିଦ୍ୟାଳୟଗୁଡ଼ିକରେ ଏକ ସ୍ୱତନ୍ତ୍ର ଡିଜାଇନର ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରିଥିଲେ।

ଏହି ଗୃହର ତଳ ମହଲା ଖାଲି ପିଲାର ଉପରେ ଠିଆ ହୋଇଥିବା ବେଳେ ଉପର ମହଲାରେ ରହିବା ପାଇଁ ବ୍ୟବସ୍ଥା ରହିଛି। ଏହି ସବୁ ବାତ୍ୟା ଆଶ୍ରୟସ୍ଥଳମାନଙ୍କୁ ବିଦ୍ୟାଳୟର ଶ୍ରେଣୀ ଗୃହ ଭାବରେ ବ୍ୟବହାର ହେବାକୁ ରହିଥିବା ବେଳେ ଝଡ଼ବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଏହାକୁ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରନ୍ତି ଗାଁ ଲୋକେ।

ଗ୍ରାମବାସୀଙ୍କ କହିବା କଥା କି, “ସ୍କୁଲ ଗୃହଟି ଅଳ୍ପ ଅଳ୍ପ କେଉଁଠି ପ୍ଲାଷ୍ଟର ଛାଡ଼ିଯାଇଥିଲା। ଯାହାକୁ ସ୍କୁଲକୁ ଆସୁଥିବା ସରକାରୀ ଅନୁଦାନ ପାଣ୍ଠିରେ ମରାମତି କରାଯାଇ ପାରିଥାନ୍ତା। ଏକ ଭଲ ଘରକୁ ମରାମତି ନକରି କାହା ସ୍ୱାର୍ଥରେ ଏହି ସ୍କୁଲ ଘରଟିକୁ ଭାଙ୍ଗି ଦିଆଯାଇ ଛିତାହାର ତଦନ୍ତ କରି ପ୍ରଧାନ ଶିକ୍ଷୟତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଗ୍ରାମବାସୀ”।

ଅନ୍ୟପକ୍ଷରେ ଆମେ କେନ୍ଦ୍ରାପଡ଼ା ବ୍ଲକ ଶିକ୍ଷା ଅଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ। ବ୍ଲକ ଶିକ୍ଷା ଅଧିକାରୀଙ୍କ କହିବା କଥା କି, “କେନ୍ଦ୍ରାପଡ଼ା ଜିଲ୍ଲା ସର୍ବଶିକ୍ଷା ଅଧିକାରୀଙ୍କ ଟେକ୍ନିକାଲ କନସଲଟାଣ୍ଟ କୁଆଡ଼େ ଏହି ସ୍କୁଲ ଘରକୁ ବିପଦ ସଙ୍କୁଳ ଦର୍ଶାଇ ତାକୁ ଭାଙ୍ଗିବାକୁ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି”।

ହେଲେ ଏକ ସରକାରୀ ଗୃହକୁ ଭାଙ୍ଗିବାକୁ ବିପଦ ସଙ୍କୁଳ ଘୋଷଣା କରିବା ଟେକ୍ନିକାଲ କନସଲଟାଣ୍ଟଙ୍କ କ୍ଷମତାର ବାହାରେ। ଏକ ଗୃହକୁ ବିପଦ ସଙ୍କୁଳ ଘୋଷଣା କରାଯାଇଥିବା ପାଇଁ କେବଳ ରାସ୍ତା ଓ କୋଠାବାଡ଼ି ବିଭାଗର ଯାନ୍ତ୍ରୀଙ୍କର କ୍ଷମତା ରହିଛି। “ବ୍ଲକ ଶିକ୍ଷା ଅଧିକାରୀ ଏହି ସ୍କୁଲର ପ୍ରଧାନ ଶିକ୍ଷୟତ୍ରୀଙ୍କୁ ରାସ୍ତା ଓ କୋଠାବାଡ଼ି ବିଭାଗୀୟ ଯନ୍ତ୍ରୀଙ୍କର କୌଣସି ଆଦେଶ ପ୍ରଦର୍ଶନ କରିବାକୁ ନିର୍ଦ୍ଦେଶ ଦେବା ପରେ ପ୍ରଧାନ ଶିକ୍ଷୟତ୍ରୀ ଯେଉଁ ରିପୋର୍ଟ ଦେଲେ ତାହା ବ୍ଲକ ଶିକ୍ଷା ଅଧିକାରୀଙ୍କୁ ସନ୍ତୁଷ୍ଟ କରି ପାରିନଥିବା” କହିଛନ୍ତି ବ୍ଲକ ଶିକ୍ଷା ଅଧିକାରୀ।

ହେଲେ ଭଲ ଗୃହକୁ କିଏ ଓ କ’ଣ ପାଇଁ ଭାଙ୍ଗିବାକୁ ନିର୍ଦ୍ଦେଶ ଦେଲା ତାହା ଜଣା ପଡ଼ିନାହିଁ। ତେବେ ଯାହାର ନିର୍ଦ୍ଦେଶରେ ଏହି ବାତ୍ୟା ଆଶ୍ରୟସ୍ଥଳ ତଥା ସ୍କୁଲ ଘରଟିକୁ ଭାଙ୍ଗି ଦିଆଯାଇଛି ତାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ। ଗାଁରେ ଆଉ ଏକ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ କରାଯିବା ସହିତ ଦୋଷୀ କର୍ମଚାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Comment