ଓଡ଼ିଶାଲାଇଭ୍ ବ୍ୟୁରୋ
ଏଥର ଭୁବନେଶ୍ୱରରେ ଜମିବ ଦଶହରା। ସ୍ମାର୍ଟ ସିଟିରେ ଝଲସିବ ସ୍ମାର୍ଟ ତୋରଣ।
ଏବେ ପାର୍ବଣ ଋତୁ ଚାଲିଛି। ସେଥି ମଧ୍ୟରୁ ଶାରଦୀୟ ଦୁର୍ଗାପୂଜା ହେଉଛି ନିଆରା। ଏହି ପର୍ବକୁ ହିନ୍ଦୁମାନେ ବଡ଼ ଧୁମ୍ଧାମ୍ରେ ପାଳନ କରିଥାନ୍ତି। ନୂଆ ପୋଷାକ କିଣିବା ସାଙ୍ଗକୁ ଘର ସଜ୍ଜାସଜ୍ଜିରେ ଲାଗି ପଡ଼ନ୍ତି ପ୍ରତ୍ୟେକ ସଦସ୍ୟ।
ଏହାଛଡ଼ା ଦଶ ଦିନ ଧରି ଏହି ପୂଜା ଅନୁଷ୍ଠିତ ହେବା ସାଙ୍ଗକୁ କେହି କେହି ନବରାତ୍ରୀ ଉପବାସ ମଧ୍ୟ ରଖନ୍ତି। ବଡ଼ ବଡ଼ ହୋଟେଲ, କ୍ଲବ ଏବଂ ପଡ଼ିଆମାନଙ୍କରେ ଦାଣ୍ଡିଆ ନାଚର ମଧ୍ୟ ଆୟୋଜନ କରାଯାଇଥାଏ। ସମୂର୍ଣ୍ଣ ପୁରପଲ୍ଲୀ ଚଳଚଞ୍ଚଳ ହୋଇପଡ଼େ ଏହି ଦଶହରାରେ।

ସବୁ ମଣ୍ଡପଗୁଡ଼ିକରେ ସପ୍ତମୀ ଦିନରୁ ମା’ଙ୍କର ଆବାହନ କରାଯାଏ। ଏହାଛଡ଼ା ସମସ୍ତ ଦେବୀ ପୀଠଗୁଡ଼ିକରେ ମା’ଙ୍କର ଷୋହଳ ପୂଜା ଅନୁଷ୍ଠିତ ହୋଇଥାଏ। ପ୍ରଥମ ଦିନରୁ ଆରମ୍ଭ କରି ଷୋହଳ ଦିନ ପର୍ଯ୍ୟନ୍ତ ମା’ ଭକ୍ତଙ୍କୁ ଭିନ୍ନ ଭିନ୍ନ ଅବତାରରେ ଦର୍ଶନ ଦିଅନ୍ତି।
ପ୍ରତିବର୍ଷ ଭକ୍ତମାନେ ଭକ୍ତି ଭାବନା, ବିଶ୍ୱାସ ଏବଂ ଉଲ୍ଲାସର ସହ ଏହି ପୂଜା ପାଳନ କରିଥାନ୍ତି। ମହିଷାମର୍ଦ୍ଦିନୀ ଜଗତ୍ ଜନନୀ ମା’ ଦୁର୍ଗାଙ୍କ ପାଇଁ ପୁରପଲ୍ଲୀଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠୁ ଖୁସିର ଲହରି ଖେଳିଯାଏ। ଶକ୍ତିଦେବୀଙ୍କ ପାଇଁ ସମସ୍ତ ଶକ୍ତିପୀଠ ଗୁଡ଼ିକରେ ପୂଜାର୍ଚ୍ଚନା ଜୋରସୋରରେ କରାଯାଇଥାଏ। ହେଲେ ଚଳିତବର୍ଷ ସହରଗୁଡ଼ିକରେ ବିଦେଶୀ ଢାଞ୍ଚାରେ ପାଳିତ ହେଉଛି ଦଶହରା।
ବିଶେଷକରି ଭୁବନେଶ୍ୱରର ସମସ୍ତ ପୂଜା ମଣ୍ଡପଗୁଡ଼ିକର ତୋରଣକୁ ବିଦେଶୀ ଅଟ୍ଟାଳିକା ଭଳି କରିବା ଉପରେ ବେଶ୍ ଗୁରୁତ୍ୱ ଦିଆଯାଉଛି। ଏହାଛଡ଼ା ସୁଉଚ୍ଚ ତୋରଣକୁ ଆଖି ଝଲସିଲା ଭଳି ରଙ୍ଗବେରଙ୍ଗ ଆଲୁଅରେ ମଧ୍ୟ ସଜ୍ଜା ଯାଇଛି।

ଖାଲି ପୂଜା ମଣ୍ଡପ ନୁହେଁ, ଦର୍ଶକଙ୍କ ମନକୁ ଛୁଇଁଲା ଭଳି ମୀନା ବଜାର, ଖାଇବା ଷ୍ଟଲ, ଦୋଳି ଆଦିର ବ୍ୟବସ୍ଥା ମଧ୍ୟ କରିଛନ୍ତି ପୂଜା ମଣ୍ଡପର ସଦସ୍ୟମାନେ। ଭୁବନେଶ୍ୱରର ସମସ୍ତ ପୂଜା କମିଟିଙ୍କ ଭିତରେ ଏକ ପ୍ରକାର ପ୍ରତିଯୋଗିତା ଲାଗି ରହିଛି। ଏହାବ୍ୟତୀତ ଚଳିତବର୍ଷ ପଲିଥିନ୍ ଓ ପ୍ରଦୂଷଣ ମୁକ୍ତ ଭାବେ ଦଶହରା ପାଳନ କରିବା ଉପରେ ବେଶ୍ ଗୁରୁତ୍ୱ ଦିଆଯାଇଛି। ସେଥିପାଇଁ ଭୁବନେଶ୍ୱରର ଅଧିକାଂଶ ମଣ୍ଡପରେ ପଲିଥିନ୍ ଏବଂ ପ୍ଲାଷ୍ଟିକକୁ ନିଷିଦ୍ଧ କରାଯାଇଛି।
ଆଲବର୍ଟ ହଲ୍ ଷ୍ଟାଇଲରେ ଝଲସିବ ରସୁଲଗଡ଼ ତୋରଣ
ଚଳିତବର୍ଷ ଦଶହରାରେ ରସୁଲଗଡ଼ର ତୋରଣକୁ ‘ଆଲବର୍ଟ ହଲ୍’ ଷ୍ଟାଇଲରେ ନିର୍ମାଣ କରାଯାଇଛି। ରଙ୍ଗବେରଙ୍ଗ ଷ୍ଟୋନକୁ ବ୍ୟବହାର କରି ଏହି ତୋରଣକୁ ନିର୍ମାଣ କରାଯାଇଛି। ଚଳିତବର୍ଷ ରସୁଲଗଡ଼ ପୂଜା ମଣ୍ଡପକୁ ‘ଗଜ ବାହନ’ରେ ଆସିବେ ମା’। ୧୭ ତାରିଖରେ ମା’ଙ୍କର ଅଷ୍ଟମୀ ପୂଜା ଅନୁଷ୍ଠିତ ହେବ।
ମା’ଙ୍କ ମୂର୍ତ୍ତିକୁ ସମ୍ପୂର୍ଣ୍ଣ ବଙ୍ଗଳା ଷ୍ଟାଇଲରେ ଗଢ଼ାଯାଇଛି। ଏହାଛଡ଼ା ଚଳିତବର୍ଷ ଭଜନ ଓ ମେଲୋଡ଼ିର ମଧ୍ୟ ଆୟୋଜନ କରାଯାଇଛି।
ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ପ୍ରଦୀପ ବରିସଲ୍ କହିଛନ୍ତି, “ଏ ବର୍ଷ ପଲିଥିନ୍ ଏବଂ ପ୍ଲାଷ୍ଟିକକୁ ସମ୍ପୂର୍ଣ୍ଣ ଭାବେ ବନ୍ଦ କରାଯାଇଛି। ଏଥିସହ ମୀନା ବଜାରରେ ପଲିଥିନ ଯେପରି ବ୍ୟବହାର ନହୁଏ, ସେଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି।

ଏହାଛଡ଼ା ପରିବେଶକୁ ସ୍ୱଚ୍ଛ ରଖିବାପାଇଁ ଡଷ୍ଟବିନ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିସହ ଯେପରି ଶବ୍ଦ ପ୍ରଦୂଷଣ ନ ହୁଏ, ସେଥିପାଇଁ ବାଦ୍ୟର ସାଉଣ୍ଡ ଲିମିଟ୍ ଉପରେ ଧ୍ୟାନ ଦିଆଯିବ”।
“ଏଥିସହ ଆଶା ରହିଛି ଚଳିତବର୍ଷ ଭକ୍ତଙ୍କ ସମାଗନ ବେଶୀ ରହିବ। ସେ ସବୁକୁ ଦୃଷ୍ଟିରେ ରଖି ଯାନବାହନ ପାର୍କିଂର ମଧ୍ୟ ବ୍ୟବସ୍ଥା କରିଛୁ। ଗତ ତିନି ବର୍ଷ ଭଳି ଚଳିତବର୍ଷ ମଧ୍ୟ ଆମେ ରାବଣ ପୋଡ଼ି କରୁନାହିଁ”, କହିଛନ୍ତି ରସୁଲଗଡ଼ ଦୁର୍ଗାପୂଜା ପରିଚାଳନା କମିଟି ପ୍ରଦୀପ ବରିସଲ୍।
ଇଟାଲୀ ଢାଞ୍ଚାରେ ଚମକିବ ନୟାପଲ୍ଲୀ ତୋରଣ
ଚଳିତବର୍ଷ ନୟାପଲ୍ଲୀ ଦୁର୍ଗା ପୂଜା ସମିତି ଇଟାଲୀ ଢାଞ୍ଚାରେ ତୋରଣ କରୁଛନ୍ତି। ଏବର୍ଷ ନୟାପଲ୍ଲୀ ପୂଜା ମଣ୍ଡପରେ ନୌକା ବାହନରେ ଦୁର୍ଗା ମା’ ଦର୍ଶନ ଦେବେ। ଚଳିତବର୍ଷର ବଜେଟ ପ୍ରାୟ ୧୫ ଲକ୍ଷ ଟଙ୍କା ରହିଛି।
ସମ୍ପୂର୍ଣ୍ଣ ବଙ୍ଗଳା ଡିଜାଇନରେ ମୂର୍ତ୍ତି ଗଢ଼ା କାର୍ଯ୍ୟ କରାଯାଉଛି। ଷାଠିଏରୁ ଅଧିକ ବଙ୍ଗଳା କାରିଗର ଏଥିରେ ନିୟୋଜିତ ଅଛନ୍ତି। ୧୭ ତାରିଖ ଦିନ ମଣ୍ଡପରେ ଅଷ୍ଟମୀ ପୂଜା ଆରମ୍ଭ ହେବ। ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ମନୋରଞ୍ଜନର ମଧ୍ୟ ଆୟୋଜନ କରାଯାଇଛି।

ଏହାଛଡ଼ା ସପ୍ତମୀ ଦିନରୁ ଦଶମୀ ଦିନ ପର୍ଯ୍ୟନ୍ତ ଭଜନ ସମାରୋହ ଏବଂ ମେଲୋଡ଼ି ଆଦିର କାର୍ଯ୍ୟକ୍ରମ ରଖିଛୁ। ଏଥିପାଇଁ ଆମେ ଖାସ୍ କରି ବାହାରୁ କଳାକାରମାନଙ୍କୁ ଆମନ୍ତ୍ରିତ କରିଛୁ। ସେମାନେ ନୃତ୍ୟ ଓ ସଙ୍ଗୀତ ଆଦି ପରିବେଷଣ କରି ଦର୍ଶକଙ୍କର ମନୋରଞ୍ଜନର କରିଥାନ୍ତି।
“ଚଳିତବର୍ଷ ଆମେ ପ୍ଲାଷ୍ଟିକ ଓ ପଲିଥିନ୍କୁ ନିଷେଧ କରିଛୁ। ସେଥିପାଇଁ ଏଥର ମାଟି ଓ ନଡ଼ାରେ ମୂର୍ତ୍ତି ନିର୍ମାଣ କରାଯାଇଛି। ଏଥିସହ ପାଣି ରଙ୍ଗର ବ୍ୟବହାର କରାଯାଇଛି। ସମ୍ପୂର୍ଣ୍ଣ ଭାବେ କେମିକାଲ ଫ୍ରିରେ ମୂର୍ତ୍ତି ଗଢାଯାଇଛି”, କହିଛନ୍ତି ନୟାପଲ୍ଲୀ ଦୁର୍ଗା ପୂଜା ସମିତି ସଭାପତି ଚିତ୍ରସେନ ବେହେରା।

















