ଓଡ଼ିଶାଲାଇଭ ବ୍ୟୁରୋ

୧୧ ଦଫା ଦାବିରେ ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଘେରାଉ କଲେ ଆଶା କର୍ମୀ।

କାମ ଧନ୍ଦା ଛାଡ଼ି ରଣହୁଙ୍କାର ଦେଲେ ଶତାଧିକ ଆଶା କର୍ମୀମାନେ। ପଟ୍ଟାମୁଣ୍ଡାଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଘେରାଉ କଲେ ଆଶା କର୍ମୀ। ସରକାର ଆଶାମାନଙ୍କର ୧୧ଦଫା ଦାବି ପୂରଣ ନ କଲେ ଆଗକୁ ଆନ୍ଦୋଳନକୁ ତିବ୍ରତର କରିବାକୁ ଚେତାବନୀ ଦିଆଯାଇଛି।

ଜାତୀୟ ସ୍ୱାସ୍ଥ୍ୟ ମିଶନ କାର୍ଯ୍ୟକାରୀ ହେବାପରେ ସାରାଦେଶର ସ୍ୱାସ୍ଥ୍ୟ ବିଭାଗର ଏକ ଅଙ୍ଗ ଭାବରେ ଆଶା କର୍ମୀମାନଙ୍କୁ ନିଯୁକ୍ତି ଦେଇଥିଲେ ସରକାର। ଗାଁଠାରୁ ସହର ଚାରିଆଡ଼େ ଏହି କ୍ଷୁଦ୍ର କର୍ମଚାରୀମାନେ ଦେଶର ସବୁଠାରୁ ଗୁରୁତ୍ୱପୁର୍ଣ୍ଣ ମା’ ଓ ଶିଶୁମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ନିମନ୍ତେ ଦିନରାତି ଏକ କରି ଦେଇଛନ୍ତି।

ଏହି କର୍ମଚାରୀମାନଙ୍କର କୌଣସି ଚାକିରି ସର୍ତ୍ତାବଳୀ ରଖି ନାହାଁନ୍ତି ସରକାର। ସ୍ୱାସ୍ଥ୍ୟ ବିଭାଗରେ ଏକ ପ୍ରକାର ଗୋତି ଶ୍ରମିକ ଭାବରେ କାମ କରି ଆସୁଥିବା ଏହି ଆଶା କର୍ମୀମାନଙ୍କୁ ସରକାର ବିଭିନ୍ନ ସମୟରେ କଥା ଦେଇ କଥା ରଖୁ ନାହାଁନ୍ତି। ବହୁବାର ସରକାରୀ ଦପ୍ତରଠାରୁ ରାଜ୍ୟ ରାଜରାସ୍ତାରେ ଆନ୍ଦୋଳନ କରି କରି ଥକି ପଡ଼ିଲେଣି ଆଶା କର୍ମଚାରୀ ସଂଘ।

୧୧ ଦଫା ଦାବି ପୂରଣ ପାଇଁ ଆନ୍ଦୋଳନ ଆରମ୍ଭ ହୋଇଛି। ଆଶାମାନଙ୍କର ଦାବି ମଧ୍ୟରେ ରହିଛି ଶିକ୍ଷାଗତ ଯୋଗ୍ୟତା ଭିତ୍ତିରେ ଅଭିଜ୍ଞତା ସମ୍ପନ୍ନ ଆଶା ଓ ଆଶା ସାଥିମାନଙ୍କ ମଧ୍ୟରୁ ଏଏନ୍ଏମ୍ ଓ ଜିଏନ୍ଏମ୍ ପଦବୀ ପାଇଁ ସ୍ଥାନ ସଂରକ୍ଷିତ କରାଯାଇ ନିଯୁକ୍ତି କରାଯାଉ। ଆଶା କର୍ମୀମାନଙ୍କୁ ସରକାରଙ୍କର ଅନ୍ୟାନ୍ୟ ଯୋଜନା କାର୍ଯ୍ୟରେ ଲଗାଇଲେ ସେମାନଙ୍କୁ ଅଧିକ ପାରିଶ୍ରମିକ ଦିଆଯାଉ।

କର୍ମକ୍ଷେତ୍ରରେ ଯୋଗାଯୋଗ ପାଇଁ ସରକାର ଯୋଗାଇ ଥିବା ଖାଲି ମୋବାଇଲ ସିମ୍ କାର୍ଡ ପରିବର୍ତ୍ତେ ମୋବାଇଲ ସେଟ୍ ଯୋଗାଇ ଦିଆଯାଉ। ଜୀବନକୁ ବାଜି ଲଗାଇ ବିଭିନ୍ନ ଦୁର୍ଗମ ସ୍ଥାନମାନଙ୍କରେ ମା’ ଓ ଶିଶୁମାନଙ୍କ ଜୀବନ ବଞ୍ଚାଇବାକୁ ଲଢ଼େଇ କରୁଥିବା ଆଶାମାନଙ୍କୁ ମାଗଣା ଜୀବନ ବୀମା ଭୁକ୍ତ କରାଯାଉ।

ଅସୁସ୍ଥ ସମୟରେ ଛୁଟି ପ୍ରଦାନ କରାଯାଉ। ସରକାର ଆଶା କର୍ମୀମାନଙ୍କ ପାଇଁ ମାସିକ ସର୍ବନିମ୍ନ ୧୮୦୦୦ ଟଙ୍କା ପ୍ରୋତ୍ସାହନ କିମ୍ବା ଦରମା ପ୍ରଦାନ କରନ୍ତୁ। ନିର୍ମାଣ ଶ୍ରମିକମାନଙ୍କ ପରି ଆଶାମାନଙ୍କର ପିଲାମାନଙ୍କ ପାଇଁ ସରକାର ପାଠପଢ଼ା ଖର୍ଚ୍ଚ ଓ ଝିଅ ବିବାହ ଖର୍ଚ୍ଚ ବହନ କରନ୍ତୁ। ଏହାଛଡ଼ା ନର୍ସିଂ ହୋମରେ ପ୍ରସବ ପାଇଁ ଆଶାମାନଙ୍କୁ ସମ୍ପୂର୍ଣ୍ଣ ପ୍ରାପ୍ୟ ପ୍ରଦାନ କରାଯିବାକୁ ଦାବି କରିଛନ୍ତି ପଟ୍ଟାମୁଣ୍ଡାଇ ଆଶା ସଂଘର୍ଷ ସମିତି।

Comment