ଓଡ଼ିଶାଲାଇଭ୍ ବ୍ୟୁରୋ

ଧର୍ମଗୁରୁ ବାବା ରାମପାଲଙ୍କ ବିରୋଧରେ ଆସିଥିବା ହତ୍ୟା ମାମଲାର ମଙ୍ଗଳବାର ଶୁଣାଣି କରିଛନ୍ତି ହରିଆଣାର ହିସାର କୋର୍ଟ। ୪ ଜଣ ମହିଳାଙ୍କୁ ହତ୍ୟା ଓ ଜଣେ ନାବାଳକଙ୍କୁ ବନ୍ଦୀ କରି ହତ୍ୟା କରିବା ମାମଲାରେ କୋର୍ଟ ତାଙ୍କୁ ଆଜୀବନ କାରାଦଣ୍ଡ ଦେବା ସହ ୧ ଲକ୍ଷ ଟଙ୍କା ଜରିମାନା ଦଣ୍ଡାଦେଶ ଦେଇଛନ୍ତି।

କିଏ ଏହି ରାମପାଲ?

ନିଜକୁ ସନ୍ଥ କହୁଥିବା ବାବା ରାମପାଲ ବାସ୍ତବରେ ଥିଲେ ଜଣେ ଇଞ୍ଜିନିୟର। ହରିଆଣାର ସୋନିପତ ଜିଲ୍ଲାର ଗୋହାନା ତହସିଲ୍ ଅନ୍ତର୍ଭୁକ୍ତ ଧନାନା ଗ୍ରାମରେ ରାମପାଲଙ୍କ ଜନ୍ମ। ରାମପାଲଙ୍କ ବାପା ଜଣେ କୃଷକ ଥିବା ବେଳେ ମା’ ହେଉଛନ୍ତି ଗୃହିଣୀ। ପାଠପଢ଼ା ପରେ ରାମପାଲ ହରିଆଣାରେ ଇଞ୍ଜିନିୟର ଭାବେ ଚାକିରୀ କରୁଥିଲେ। ଚାକିରୀ ସମୟରେ ରାମପାଲ ୧୦୭ ବର୍ଷିୟ ସନ୍ଥ ସ୍ୱାମୀ ରାମଦେବାନନ୍ଦ ମହାରାଜଙ୍କ ସଂସ୍ପର୍ଶରେ ଆସିଥିଲେ। ଏହାପରେ ନିଜକୁ ରାମଦେବାନନ୍ଦ ମହାରାଜଙ୍କ ଶିଷ୍ୟ ଭାବେ ଘୋଷଣା କରିଥିଲେ ରାମପାଲ।

ଚାକିରୀ ଛାଡ଼ି ବାବା ହେଲେ

୧୯୯୫ରେ ଚାକିରୀ ଛାଡ଼ି ରାମପାଲ ନିଜକୁ ସନ୍ଥ ଭାବେ ପରିଚିତ କରାଇଥିଲେ। ବିଭିନ୍ନ ସ୍ଥାନରେ ସତ୍‌ସଙ୍ଗର ଆୟୋଜନ କରିବା ସହ ପ୍ରବଚନ ଦେବାକୁ ଲାଗିଲେ। ପ୍ରବଚନ ଶୁଣି ଲୋକେ ରାମପାଲ୍‌ଙ୍କ ପ୍ରତି ଆକୃଷ୍ଟ ହୋଇଥିଲେ। ସତସଙ୍ଗରେ ଭକ୍ତଙ୍କ ସଂଖ୍ୟା ବଢ଼ିଥିଲା। ଶେଷରେ ବାବା ରାମପାଲ୍‌ଙ୍କ ଅନୁଗାମୀଙ୍କ ସଂଖ୍ୟା ମଧ୍ୟ ବଢ଼ିଲା।

ଏପରିକି କରୋନ୍ଥା ଗ୍ରାମରେ ଆଶ୍ରମ କରିବା ପାଇଁ ମହିଳାମାନେ ତାଙ୍କୁ ଜମି ପ୍ରଦାନ କରିଥିଲେ। ଅନୁଗାମୀଙ୍କ ସଂଖ୍ୟା ଏତେ ମାତ୍ରାରେ ବଢ଼ିବାକୁ ଲାଗିଲା ଯେ, ୧୯୯୯ ମସିହାରେ ରାମପାଲ ଆଶ୍ରମ ନାମରେ ଏକ ଟ୍ରଷ୍ଟ ଖୋଲି ଅର୍ଥ ଯୋଗାଡ଼ କରିବାରେ ଲାଗିଲେ।

ବିବାଦଘେରରେ ରାମପାଲ

୨୦୦୬ ମସିହାରେ ସ୍ୱାମୀ ଦୟାନନ୍ଦ ସରସ୍ୱତୀଙ୍କ ପୁସ୍ତକ ଉପରେ ଟିପ୍ପଣୀ ଦେଇ ବିବାଦଘେରରେ ଫସିଥିଲେ ବାବା ରାମପାଲ୍। ଏହା ଉପରେ ଆପତ୍ତି ଉଠାଇଥିଲା ଆର୍ଯ୍ୟ ସମାଜ। ପରବର୍ତ୍ତୀ ସମୟରେ ଏହି ପ୍ରସଙ୍ଗ ହିଂସାର ରୂପ ନେବାକୁ ଲାଗିଥିଲା ଏବଂ ଆର୍ଯ୍ୟ ସମାଜର ଜଣେ ଅନୁଗାମୀଙ୍କର ମୃତ୍ୟୁ ଘଟିଥିଲା। ହିଂସାର ତର୍ଜମା କରିବା ସହିତ ରାମପାଲଙ୍କ ୨୪ ଜଣ ଅନୁଗାମୀଙ୍କୁ ଗିରଫ କରିବା ସହ ଆଶ୍ରମକୁ ବି କବଜାରେ ନେଇଯାଇଥିଲା ହରିଆଣା ପୋଲିସ। କିନ୍ତୁ ୨୦୦୯ରେ ପୁଣି ଆଶ୍ରମକୁ ଫେରିପାଇଥିଲେ ରାମପାଲ।

Comment