ଓଡ଼ିଶାଲାଇଭ୍ ବ୍ୟୁରୋ

ବୋଲେରୋ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ। ସଡ଼କ ଦୁର୍ଘଟଣାରେ ୧୦ଜଣଙ୍କର ମୃତ୍ୟୁ।

ନୂଆପଡ଼ା ଜିଲ୍ଲାର କୋମନା ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ରାତି ପ୍ରାୟ ୨ଟା ବେଳେ ୩୫ ନମ୍ବର ଜାତୀୟ ରାଜପଥର ନୂଆପଡ଼ା ପେଟ୍ରୋଲ ପମ୍ପ ଓ ସିଲିଦା ଗାଁ ମଝିରେ ଏକ ଟ୍ରକ୍ ଓ ବୋଲେରୋ ମୁହାଁମୁହିଁ ହୋଇଥିଲେ। ଯାହା ଫଳରେ ଘଟଣାସ୍ଥଳରେ ହିଁ ୧୦ଜଣଙ୍କର ମୃତ୍ୟୁ ଘଟିଛି।

ଦୁର୍ଗାପୂଜା ଅବସରରେ ନୂଆପଡ଼ା ଜିଲ୍ଲାର କୋମନା ବୈଷ୍ଣୋଦେବୀ ମନ୍ଦିରରେ ଏକ ଭଜନ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ଯେଉଁଥିରେ ଭଜନ ପରିବେଷଣ କରିବା ପାଇଁ ଛତିଶଗଡ଼ରୁ କଳାକାରମାନେ ଆସିଥିଲେ।

ସନ୍ଧ୍ୟାରେ ଭଜନ ସାରି କଳାକାରମାନେ ଏକ ବୋଲର ଜରିଆରେ ଛତିଶଗଡ଼ ଫେରୁଥିଲେ। ସେହି ସମୟରେ ଏକ ଟ୍ରକ୍ ଆସି ବୋଲରକୁ ଧକ୍କା ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ହିଁ ୧୦ଜଣଙ୍କର ମୃତ୍ୟୁ ଘଟିଥିଲା।

ଏହାପରେ ପୋଲିସ ଘଟଣାସ୍ଥଳ ପହଁଞ୍ଚି ତଦନ୍ତ ଆରମ୍ଭ କରିଥିଲା। ପୋଲିସ କହିବାନୁସାରେ, “ ମୃତ କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେଇ ଛତିଶଗଡର ମହାସମୁନ୍ଦ ଜିଲ୍ଲାର ସଙ୍କାରା, ଅଂଶୁଳା ଏବଂ ବଳଦିଡିହି ଗ୍ରାମକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।

ମୃତକମାନଙ୍କ ମଧ୍ୟରେ ଗୋଟିଏ ପରିବାରର ୪ଜଣ ସଦସ୍ୟ ଅଛନ୍ତି। ଏହାଛଡ଼ା ଏହି ଦୁର୍ଘଟଣାରେ ମୋଟ ୬ଜଣ ପୁରୁଷ, ଜଣେ ମହିଳା ଓ ୩ଜଣ ନାବାଳକଙ୍କର ମୃତ୍ୟୁ ଘଟିଛି। ସମସ୍ତେ ଗୋଟିଏ ସାଂସ୍କୃତିକ ଦଳର ସଦସ୍ୟ ବୋଲି ଜଣାପଡ଼ିଛି।

ମୃତକଙ୍କ ମଧ୍ୟରେ ଥିଲେ ଦିନେଶ ଦଣ୍ଡସେନା, ତାଙ୍କ ପତ୍ନୀ ଚାନ୍ଦନୀ ଦଣ୍ଡସେନା, ପୁଅ ଧନଞ୍ଜୟ ଦଣ୍ଡସେନା, ଝିଅ ଭାରତୀ ଦଣ୍ଡସେନାଙ୍କ ସହିତ ମେଘନାଦ ନିଷାଦ, ସୁରଜିତ ସିଂ ଛାବାଡ଼ା, ନୀନର ପାନେଶ୍ୱର, ଦିନେଶ୍ୱର ନେତାମ ଓ ଧର୍ମେନ୍ଦ୍ର ନେତାମ।

ସେମାନେ ସଙ୍ଗୀତ ପରିବେଷଣ କରି ସାରିଲା ପରେ ଡ୍ରାଇଭର ମୁକେଶ ଅଗ୍ରୱାଲଙ୍କ ସହିତ ଗାଁକୁ ଫେରୁଥିଲେ। ଭଜନ ପରିବେଷଣ କରି ଗାଁକୁ ଫେରୁଥିବା ସମୟରେ ଡ୍ରାଇଭର ବ୍ୟତୀତ ଅନ୍ୟମାନେ ଗାଡ଼ିରେ ଶୋଇ ପଡ଼ିଥିଲେ।

ମଙ୍ଗଳବାର ହୋଇଥିବା ସଡ଼କ ଦୁର୍ଘଟଣାରେ ଘଟିଥିବା ମୃତ୍ୟୁ ପାଇଁ ସମଗ୍ର ନୂଆପଡ଼ା ଜିଲ୍ଲା ସମେତ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲାରେ ମଧ୍ୟ ଶୋକର ଛାୟା ଖେଳିଯାଇଛି।

Comment