ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ୨୩ ତାରିଖରେ ଗୃହ କମିଟିରେ ହାଜର ହେବେ ଅଭିଜିତ ଆୟାର ମିତ୍ର।

ପୁଣିଥରେ କ୍ଷମା ମାଗିଲେ ସାମ୍ବାଦିକ ଅଭିଜତ ଆୟାର ମିତ୍ର। କିଛିଦିନ ତଳେ ବିଧାନସଭା ଗୃହ କମିଟି ଆଗରେ ମୁଣ୍ଡ ନୂଆଁଇଥିବା ଅଭିଜିତ ଆଜି ପୁଣିଥରେ ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ନ୍ୟୁଜ୍ ଏଜେନ୍ସୀ ଏଏନଆଇରେ ପ୍ରତିକ୍ରିୟା ଦେଇ ଅଭିଜିତ ଏହା କହିଛନ୍ତି।

ଅଭିଜିତ ଆୟାର କହିଛନ୍ତି,  “ଭାରତୀୟ ସଂସ୍କୃତିକୁ ବହୁ ଉଚ୍ଚକୁ ନେବା ପାଇଁ ଓଡ଼ିଶାର ଅବଦାନ ରହିଛି। ଓଡ଼ିଶା ପ୍ରତି ମୋର ଯଥେଷ୍ଟ ସମ୍ମାନ ରହିଛି। କାହାକୁ ଆଘାତ ଦେବା ଭଳି ମନ୍ତବ୍ୟ ମୁଁ ଦେଇନି। ମୋ’ ମନ୍ତବ୍ୟ ଯଦି କାହାକୁ ଆଘାତ ଦେଇଥାଏ ସେଥିପାଇଁ ମୁଁ ଦୁଃଖିତ। ଟୁଇଟର୍‌ରେ ଏଭଳି ଥଟ୍ଟା ପରିହାସ କରିବା ଠିକ୍ ନୁହେଁ।”

ବୈଜୟନ୍ତ ପଣ୍ଡାଙ୍କ ସମ୍ପର୍କରେ ଅଭିଜିତ କହିଛନ୍ତି, “ବୈଜୟନ୍ତଙ୍କ ସହିତ ମୋର ଥରେ କିମ୍ବା ଦୁଇଥର ସାକ୍ଷାତ ହୋଇଛି।”

ଅଭିଜିତ ଆୟାର ମିତ୍ର କୋଣାର୍କ ମନ୍ଦିର ପରିସରରେ ଛିଡ଼ା ହୋଇ ଅରୁଚିକର ମନ୍ତବ୍ୟ ଦେଇଥିବା ଏକ ଭିଡିଓ ନିଜ ଟୁଇଟର ଆକାଉଣ୍ଟରେ  ପୋଷ୍ଟ କରିଥିଲେ। ଏହାକୁ ନେଇ ଓଡିଶାରେ ଝଡ଼ ଉଠିଥିଲା। ଅଭିଜିତ ଆୟର ମିତ୍ରଙ୍କୁ ଗିରଫ କରିବାକୁ ବିଧାୟକମାନେ ଦାବି କରିଥିଲେ। ଓଡ଼ିଶା ବିଧାନସଭାରେ ଅଭିଜିତଙ୍କ ଏହି ମନ୍ତବ୍ୟକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିଥିଲେ। ହେଲେ ଏଥିରେ ନରମି ନଥିଲେ ଅଭିଜିତ। ଓଲଟି ବିଧାୟକମାନଙ୍କୁ ‘ବୁଦୁ’ବୋଲି ସମ୍ବୋଧନ କରିଥିଲେ।

ଏହାପରେ ଅଭିଜିତ ଆୟାରଙ୍କୁ ସମନ କରିଥିଲା ବିଧାନସଭା ଗୃହ କମିଟି। ଅକ୍ଟୋବର ୧୧ ତାରିଖ ସକାଳ ୧୧ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହଜାର ହେବାକୁ ଆୟାରଙ୍କୁ କୁହାଯାଇଥିଲା। ହେଲେ ଅଭିଜିତ ୧୧ ତାରିଖ ଦିନ ଓଡ଼ିଶା ଆସିନଥିଲେ। ଏହାପରେ ସେ ବିଧାନସଭା ଗୃହ କମିଟିକୁ ମେଲ୍ କରି କ୍ଷମା ମାଗିବା ସହ ଆଉ ଗୋଟିଏ ତାରିଖରେ ହାଜର ହେବାକୁ ଅନୁମତି ଦେବାକୁ ନିବେଦନ କରିଥିଲେ।

ଓଡିଶା ବିଧାନସଭା ଗୃହ କମିଟି ସମ୍ମୁଖରେ ହାଜର  ହେବା ପାଇଁ ଅଭିଜିତ ଆୟରଙ୍କୁ ଆଉ ଥରେ ସମନ କରାଯାଇଛି। ଆସନ୍ତା ୨୩ରେ  ଗୃହ କମିଟିରେ ହାଜର ହେବାକୁ ନୋଟିସରେ କୁହାଯାଇଛି।

ମଙ୍ଗଳବାର ଓଡ଼ିଶା ପୋଲିସ ପକ୍ଷରୁ ଦିଲ୍ଲୀ ପୋଲିସର ସହାୟତାରେ ଅଭିଜିତଙ୍କୁ ବିଧାନସଭା ଗୃହ କମିଟିର ନୋଟିସ ହସ୍ତାନ୍ତର କରାଯାଇଛି। ସମନ ପାଇବା ପରେ ଆସନ୍ତା ୨୨ ତାରିଖରେ ଅଭିଜିତ ଓଡ଼ିଶାରେ ପହଞ୍ଚିବେ ଏବଂ ୨୩ ତାରିଖରେ ସେ ଗୃହ କମିଟି ନିକଟରେ ହାଜରେ ହେବେ।

Comment