ଭାସ୍କର ପରିଛା

ନାମକରଣରୁ ହିଁ ଜାଣି ହେବ ବହିର ଦାମ୍ କେତେ। ୨୫ ବର୍ଷ ଧରି ଇତସ୍ତତଃ ଭାବେ ଲେଖା ହୋଇଥିବା ଲେଖା ଭିତରୁ ୫୦ଟି ଲେଖାକୁ ଟାଣି ଆଣି ଏକ ପୁସ୍ତକ ଆକାରରେ ପାଠକଙ୍କ ନିକଟରେ ପହଞ୍ଚାଇବା ଏକ ବଡ଼ କାମ ନୁହେଁ ଓ ଅଟେ ମଧ୍ୟ। ନୁହେଁ ଏଥିପାଇଁ ଯେ ଏଭଳି ବହୁ ଲେଖା ପ୍ରକାଶ ପାଏ ଯେଉଁଗୁଡ଼ିକ ପାଠକ ପାଖରେ ପହଞ୍ଚେ ନାହିଁ।। ଆଉ ବଡ଼ ଏଥିପାଇଁ ଯେ ପୁସ୍ତକର ଆବେଦନ ହିଁ କିଛି ନିଆରା।

ଶତ୍ରୁଜିତ ଜଣେ ବରିଷ୍ଠ ସାମ୍ବାଦିକ, ଲେଖକ ଏବଂ ଓଡ଼ିଶାର ବିଜ୍ଞାପନ ମିଡ଼ିଆରେ ଜଣେ ଅତି ପରିଚିତ ନାମ। ଢ଼େର ବର୍ଷ ଧରି ସେ ‘ପ୍ରଗତିବାଦୀ’ରେ କାର୍ଯ୍ୟ କରିଥିଲେ। ଏ ସବୁ କାର୍ଯ୍ୟ ସମ୍ପାଦନ ଓ କିଛି ମହତ ଲୋକଙ୍କ ସାନ୍ନିଧ୍ୟ ତାଙ୍କୁ ଏକ ପରିପକ୍ୱ ବ୍ୟକ୍ତିତ୍ୱରେ ପରିଣତ କରିପାରିଛି।

ଏହି ପୁସ୍ତକଟି ଅସଲରେ ଏକ ମିନି ଫିଚର ସଂକଳନ। ମିନି ଏଥିପାଇଁ କୁହାଯାଉଛି ଯେ, ସଂକଳିତ ଫିଚର ଭିତରୁ କୌଣସିଟି ବି ଦୁଇ ତିନି ପୃଷ୍ଠାରୁ ବେଶି ନୁହେଁ। ଛୋଟ ଲେଖାର ଗୋଟିଏ ବଡ଼ ଫଳ ହେଉଛି ଆପଣ ପାଠକକୁ ସବୁ ସମୟରେ ଧରି ରଖିପାରିବେ। ସମୟର ଅଭାବ ହେଉକି ଆଗ୍ରହର ଅଭାବ ଯୋଗୁଁ ବଡ଼ ଓ ବିସ୍ତୃତ ଆଲୋଚନାକୁ ପଢ଼ିବା ଆଜିକାଲି କଷ୍ଟ। ଏଣୁ ଲେଖା ଯେତେ ‘ମିନି’ ତା’ର ପାଠକ ସେତେ ବେଶି।

ଶତ୍ରୁଜିତ ଫିଚର ଲେଖାରେ ଧୁରନ୍ଧର। ଅବଶ୍ୟ ସେ କବିତା ଲେଖନ୍ତି, ଗଳ୍ପ ବି ଲେଖନ୍ତି। କିନ୍ତୁ ଫିଚର ହିଁ ତାଙ୍କ ଅସଲ ପରିଚୟ। ଏହି ସଂକଳନରେ ସ୍ଥାନିତ ପ୍ରତିଟି ଫିଚରରେ କିଛି ନା କିଛି ସନ୍ଦେଶ ଅଛି। ଦେଖାଯାଇଛି ଆପଣ ଯେତେବେଳେ ଦୈନନ୍ଦିନ ଜୀବନର ଘଟଣାକୁ ନେଇ ଫିଚର ଲେଖିବେ ତାହା ପାଠକୀୟ ଆକର୍ଷଣ ଲାଭ କରିବାକୁ ବାଧ୍ୟ। ଶତ୍ରୁଜିତଙ୍କ ପାଇଁ ଆଉ ଗୋଟିଏ ଅନୁକୂଳ ପରିବେଶ ରହିଆସିଛି ଯେ ସେ ବାଣୀବିହାରରେ ପଢ଼ିଛନ୍ତି, ସେଠାକାର ସାହିତ୍ୟିକ ହାବଭାବ ସହିତ ପରିଚିତ ହୋଇଛନ୍ତି ଓ ଗଣମାଧ୍ୟମରେ କାମ କରୁଥିବା ବେଳେ ଏଗୁଡିକୁ ଲେଖିଛନ୍ତି। ସୁତରାଂ ତାଙ୍କ ନିକଟରେ ଘଟଣା, ଚରିତ୍ର ଓ ଦୃଷ୍ଟିକୋଣର ଅଭାବ କଦାପି ପରିଲକ୍ଷିତ ହୋଇ ନଥିବ।

ଏହି ସଂକଳନରେ ଯେତେସବୁ ଫିଚର ସ୍ଥାନ ପାଇଛି ସେଗୁଡ଼ିକ ତାତ୍କାଳିକ, ପ୍ରସଙ୍ଗ-ଭିତ୍ତିକ ଓ ରୋଚକ ମଧ୍ୟ। ଫିଚରର ଏକ ଅନ୍ତର୍ନିହିତ ଉଦେଶ୍ୟ ହେଉଛି ଘଟି ଯାଇଥିବା ଘଟଣା ଓ ଆଲୋଚିତ ଚରିତ୍ରମାନଙ୍କ ଜରିଆରେ କିଛି ମୂଲ୍ୟବୋଧର ବାର୍ତ୍ତା ଦେବା। ତାହା ହିଁ ହେଉଛି ସମ୍ବାଦିକତାର ଧର୍ମ।ମନେ ହୁଏ ଶତ୍ରୁଜିତ ଏହି ଧର୍ମଟିକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି।

ସଂକଳନରେ ସ୍ଥାନ ପାଇଥିବା ଫିଚରଗୁଡ଼ିକର ନାମକରଣ ବି ବେଶ୍ ଚମତ୍କାର। ଉଦାହରଣ : ପତ୍ନୀଙ୍କର ପତ୍ନୀ ଦରକାର, ବ୍ୟଙ୍ଗ ଚଳିବ – ଗାଳି ମନା, ଚରିତ୍ରହୀନାର ଆତ୍ମସମ୍ମାନ, ନର୍ଗିସମାନଙ୍କ ଭାରତ, ଆଃ! ଓକିଲାତି, କେତକୀ ଫୁଲର ବାସ, ମହିଳାଙ୍କ ବଜାର, ଲେଖାର ଭାଗ୍ୟ, ନେତୃତ୍ୱର ଅପମୃତ୍ୟୁ, 69 ପରେ ବି ନଗଡ଼ା, ମାତୃଭାଷା : ନିଜେ କହିବା, ବାଧ୍ୟ କରିବାନି ପ୍ରଭୃତି।

ଶତ୍ରୁଜିତ ଗୋଟିଏ ଭଲ କଥା ତାଙ୍କ ପୁସ୍ତକର ପୃଷ୍ଠଭାଗରେ କହିଛନ୍ତି : କୌଣସି ଲେଖା ଟୁଥ ପେଷ୍ଟ ନୁହେଁ କି ଅଏଣ୍ଟମେଣ୍ଟ ନୁହେଁ ଯେ ଟ୍ୟୁବ ଚିପି ଦେଲେ ପିଚ କରି ବାହାରି ଆସିବ। ଆମେ ମନୁଷ୍ୟମାନେ ଯେମିତି ନିଜ ନିଜ ଭାଗ୍ୟ ନେଇ ଜନ୍ମଗ୍ରହଣ କରିଛୁ, ଲେଖାଟିଏ ସେମିତି ନିଜ ମଗଜ ନେଇ ଲେଖକର ମଗଜରୁ ବାହାରିଥାଏ। ବେଶ୍ ଭଲ ଓ ଉପାଦେୟ ମନ୍ତବ୍ୟଟିଏ।

ଆଶା କରାଯିବା ସ୍ୱାଭାବିକ, ଶତ୍ରୁଜିତ ଏଣିକି କେବଳ ‘ଭାଗ୍ୟବାନ’ ଲେଖା ହିଁ ଲେଖିବେ।

Comment