ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଣ୍ଡିଆ ଗେଟ୍‌ରେ ବୁଲିଲା, ଦୋଳି ଖେଳି ମଜା ନେଲା ଜଗା।

କନ୍ଧମାଳର ଯୋଡ଼ା ମୁଣ୍ଡ ଶିଶୁ ଜଗା-କାଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସୁଧରୁଛି। କାଳିଆ ଅପେକ୍ଷା ଜଗାର ସ୍ୱାସ୍ଥ୍ୟରେ ଅଧିକ ଉନ୍ନତି ପରିଲକ୍ଷିତ ହେଉଛି। ଏହାର ପ୍ରମାଣ ଆଜି ଦେଖିବାକୁ ମିଳିଛି।

ପ୍ରଥମ ଥର ପାଇଁ ଦିଲ୍ଲୀ ଏମ୍‌ସ ବାହାରେ ଆଜି ଜଗାକୁ ଦେଖିବାକୁ ମିଳିଛି। ବାପା-ମା’ଙ୍କ ସହ ଜଗା ଇଣ୍ଡିଆ ଗେଟରେ ବୁଲି ମଜା ନେଇଛି। ଇଣ୍ଡିଆ ଗେଟ୍ ପାଖରେ ଦିନ ସାରା ରହିଥିଲା ଜଗା।

ମୁଣ୍ଡରେ ଟୋପି ଓ ନୂଆ ଡ୍ରେସ୍ ପିନ୍ଧି ଜଗା ବାହାରକୁ ଆସିଥିଲା। ଇଣ୍ଡିଆ ଗେଟ୍‌ ପାଖରେ ଦୋଳି ଖେଳିଥିଲା। ଖୁସି ମନରେ ଫଟୋ ଉଠାଇଥିଲା। ପରେ ପୁଣି ଏମ୍‌ସକୁ ଫେରି ଆସିଥିଲା।

ଦିଲ୍ଲୀ ଏମ୍‌ସରେ ଯୋଡ଼ାମୁଣ୍ଡ ଶିଶୁ ଜଗା-କାଳିଆଙ୍କୁ ଅଲଗା କରିବା ପାଇଁ ବିଶେଷଜ୍ଞ ଟିମ୍ ଅସ୍ତ୍ରୋପଚାର କରିଥିଲେ। ୨୦୧୭ ଅକ୍ଟୋବରରେ ଉଭୟଙ୍କୁ ଅଲଗା କରାଯାଇଥିଲା।  ପ୍ରାୟ ୨୧ ଘଣ୍ଟାର ଅପରେସନ ପରେ ଡାକ୍ତରୀ ଟିମ୍ ସଫଳ ହୋଇଥିଲେ।

୨୦୧୭ ଜୁଲାଇ ୧୪ରେ ଉଭୟଙ୍କୁ ଦିଲ୍ଲୀ ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। କନ୍ଧମାଳ ଜିଲ୍ଲା ମିଳିପଡା ଗ୍ରାମର ଭୂୟାଁ କହଁର ଏବଂ ପୁଷ୍ପାଞ୍ଜଳି କହଁରଙ୍କଠାରୁ ଜଗା-କାଳିଆ ଜନ୍ମଗ୍ରହଣ କରିଥିଲେ। ଜନ୍ମରୁ ଉଭୟଙ୍କ ମୁଣ୍ଡ ଯୋଡି ହୋଇ ରହିଥିବାରୁ ପରିବାର ଲୋକ ଚିନ୍ତିତ ହୋଇଯାଇଥିଲେ। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ ସେମାନେ ଅସ୍ତ୍ରୋପଚାର କରିବାକୁ ସାହସ କରିପାରୁ ନଥିଲେ। ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ନିଜ ରିଲିଫ୍ ପାଣ୍ଠିରୁ ୧ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଥିଲେ।

Comment