ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଉତ୍ତରା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଲିଭିଗଲା ୬ ଜଣଙ୍କ ଜୀବନ ଦୀପ।

ଦଶହରା ପାଇଁ ସାରା ରାଜ୍ୟ ଉତ୍ସବମୁଖର ହୋଇ ଉଠିଥିଲା। ମା’ ଦୁର୍ଗାଙ୍କ ଆରାଧନାରେ ଲୋକେ ମସ୍‌ଗୁଲ୍ ଥିବା ବେଳେ ଭୁବନେଶ୍ୱର ଉତ୍ତରା ଛକ ସିଫା ଗେଟ୍ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କର ଜୀବନ ଦୀପ ଲିଭି ଯାଇଛି। ବେପରୁଆ ଗାଡ଼ି ଚାଳନା ପାଇଁ ଏହି ଦୁର୍ଘଟଣା ଘଟିଥିବା କୁହାଯାଉଥିଲେ ମଧ୍ୟ ପୋଲିସ ତଦନ୍ତ ଚଳାଇଛି।

ଶୁକ୍ରବାର ରାତି ପ୍ରାୟ ୧୦ଟା। ଭୁବନେଶ୍ୱରରୁ ପିପିଲି ଅଭିମୁଖେ ଆସୁଥିଲା ଓଆର୍‌ ୦୨ ଏଏଲ୍ ୭୫୭୫ ନମ୍ବର ବିଶିଷ୍ଟ ସ୍ୱିଫ୍ଟ ଡିଜାୟାର କାର୍। ଏହି କାର୍‌ରେ ଗୋଟିଏ ପରିବାରର ୪ ଜଣ ସଦସ୍ୟ ଥିଲେ। କାର୍‌ଟି ବହୁତ ସ୍ପିଡ୍‌ରେ ଆସୁଥିବା ପ୍ରତ୍ୟକ୍ଷଦର୍ଶିମାନେ କହିଛନ୍ତି।

ଦ୍ରୁତ ବେଗରେ ଆସୁଥିବା କାର୍‌ଟି ଅନମୋଲ କଲେଜରୁ ସିଫା ଗେଟ୍‌ ମଝିରେ ଏକ ଓଡି ୦୨ ସି ୬୫୧୯ ନମ୍ବର ବାଇକକୁ ଧକ୍କା ଦେଇଥିଲା। କାର୍‌ଟି ଏତେ ଜୋର୍‌ରେ ବାଇକ୍‌କୁ ଧକ୍କା ଦେଇଥିଲା ଯେ ବାଇକ ଆରୋହୀ ମା’ ପୁଅ ରାସ୍ତାକୁ ସିଧା ଛିଟକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କର ମୃତ୍ୟୁ ଘଟିଥିଲା। ମୃତ ମା’ ଏବଂ ପୁଅ ହେଉଛନ୍ତି ଲକ୍ଷ୍ମୀପ୍ରିୟା ପ୍ରଧାନ ଏବଂ ପ୍ରଭାକର ପ୍ରଧାନ। ତାଙ୍କ ଘର ପିପିଲି ଥାନା ଅନ୍ତର୍ଗତ ପୂବା ଶାସନରେ। ଉଭୟ ତାଙ୍କ ଗାଁ ରାସ୍ତାରୁ ଆସି ଜାତୀୟ ରାଜପଥ ଛୁଇଁବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଏପଟେ କାର୍‌ର ସ୍ପିଡ୍ ଅଧିକ ଥିବାରୁ ବାଇକକୁ ପିଟିବା ପରେ କାର୍‌ଟି ରାସ୍ତାରୁ ତଳକୁ ଖସି ପଡ଼ିଥିଲା। ରାସ୍ତା ତଳେ ଥିବା ପୋଖରୀରେ ଖସି ପଡ଼ିଥିଲା କାର୍‌ଟି। ଫଳରେ କାର୍‌ରେ ଥିବା ଯାତ୍ରୀମାନେ ବାହାରକୁ ବାହାରି ପାରି ନଥିଲେ। କାର୍ ଭିତରେ ହିଁ ସମସ୍ତ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

ମୃତକମାନେ ହେଲେ ଅନିରୁଦ୍ଧ ବାରିକ, ତାଙ୍କ ସ୍ତ୍ରୀ ଦୀପାଞ୍ଜଳି ବାରିକ, ୨ ବର୍ଷର ଝିଅ ସାଇ ସରିତା ବାରିକ ଏବଂ ଶାଶୂ ନେତ୍ରମଣୀ ବେହେରା। ଏମାନେ ଭୁବନେଶ୍ୱରରୁ ନିଜ ଘର ପିପିଲି ଅନ୍ତର୍ଗତ ନିର୍ମାଲ ଗାଁକୁ ଫେରୁଥିଲେ।

ପୋଲିସ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା। ସେଠାରେ ଶବ ବ୍ୟବଛେଦ କରାଯାଇଛି। ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରିଛି ପୋଲିସ।

ପିପିଲି ଥାନା ଆଇଆଇସି ଶରତ ସାହୁ କହିଛନ୍ତି, “ଅନମୋଲ କଲେଜ ଏବଂ ସିଫା ଗେଟ୍ ମଝିରେ ପୂର୍ବରୁ ଅନେକ ଥର ଦୁର୍ଘଟଣା ଘଟିଛି। ବେପରୁଆ ଗାଡ଼ି ଚାଳନା ପାଇଁ ଏମିତି ଦୁର୍ଘଟଣା ଘଟୁଛି। ଶୁକ୍ରବାର ରାତିରେ ଘଟିଥିବା ଦୁର୍ଘଟଣା ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦେବାକୁ ଏମ୍‌ଭିଆଇଙ୍କୁ କୁହାଯାଇଛି। ଏମ୍‌ଭିଆଇ ରିପୋର୍ଟ ଦେବା ପରେ ପୋଲିସ ଯାହା ପଦକ୍ଷେପ ନେବା କଥା ନେବ।”

ମୃତକଙ୍କ ପରିବାର ପକ୍ଷରୁ ରେଡ୍‌କ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ଦିଆଯାଇଛି।

Comment