ଓଡ଼ିଶାଲାଇଭ୍ ବ୍ୟୁରୋ

  • ସାତକୋଶିଆରେ ସୁନ୍ଦରୀର ତାଣ୍ଡବ
  • ପୁଣି ନେଲା ଆଉ ଏକ ଜୀବନ
  • ମଣିଷ ପରେ ବଳଦକୁ ଖାଇଲା ସୁନ୍ଦରୀ

ବାଘୁଣୀ ସୁନ୍ଦରୀର ଆତଙ୍କ ଧୀରେ ଧୀରେ ବଢ଼ିବାରେ ଲାଗିଛି। ସୋମବାର ଦିନ ବାଘଣୀ ସୁନ୍ଦରୀ ଆଉ ଏକ ଶିକାର କରିଛି। ସାତକୋଶିଆ ଜଙ୍ଗଲ ନିକଟତବର୍ତ୍ତୀ ଟାଇଁସିରି ଗାଁସ୍ଥିତ କୁମୁରିରେ ଏକ ବଳଦର ଶିକାର କରିଛି ବାଘଣୀ ସୁନ୍ଦରୀ। ବଳଦଟି ଗାଁ ନିକଟରେ ଥିବା ଜଙ୍ଗଲରେ ଚରୁଥିବା ବେଳେ ବାଘୁଣୀ ସୁନ୍ଦରୀ ଆକ୍ରମଣ କରିଥିଲା। ପୁଣି କିଛି ସମୟ ପରେ ବଳଦର ମଢ଼କୁ ଟାଣି ନେଇ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲା।

ଏହି ଘଟଣା ସାଧାରଣରେ ପ୍ରଘଟ ହେବା ପରେ ବାଘମୁଣ୍ଡା ଗ୍ରାମରେ ପ୍ରବଳ ଜନ ଅସନ୍ତୋଷ ଦେଖା ଦେଇଛି। ବାଘୁଣୀକୁ ଟ୍ରାଙ୍କ୍ୟୁଲାଇଜ୍ କରିବାକୁ ବାହାରିଥିବା ବନ ବିଭାଗର ଏକ ଟିମକୁ ମଧ୍ୟ ସେମାନେ ଅଟକାଇ ରଖିଛନ୍ତି।

ସେମାନଙ୍କର ଅଭିଯୋଗ ବାଘୁଣୀ ଗୃହପାଳିତ ପଶୁଙ୍କଠାରୁ ଆରମ୍ଭ କରି ମଣିଷ ଯାଏଁ ସମସ୍ତଙ୍କୁ ମାରି ଚାଲିଛି। କିନ୍ତୁ ବନ ବିଭାଗ କିମ୍ବା ପ୍ରଶାସନ ତରଫରୁ ସେମାନଙ୍କର ସୁରକ୍ଷା ପାଇଁ କୌଣସି ବନ୍ଦୋବସ୍ତ କରା ଯାଉନାହିଁ।

ସୁନ୍ଦରୀ ମୁହଁରେ ମଣିଷ ମାଂସ

ଟାଇଁସି ଗାଁ ପାଖରେ ଶନିବାର ରାତି ପ୍ରାୟ ୧୦ଟା ବେଳେ ବାଘୁଣୀ ସୁନ୍ଦରୀକୁ ଦେଖିବାକୁ ମିଳିଥିଲା। ଏହାପରେ ସେଠାରେ ଖେଳିଯାଇଥିଲା ଆତଙ୍କ। ସ୍ଥାନୀୟ ଲୋକେ ସୁନ୍ଦରୀକୁ ଦେଖିବା ପରେ ତୁରନ୍ତ ବନବିଭାଗକୁ ଖବର ଦେଇଥିଲେ।

ସୁନ୍ଦରୀ ଭୟରେ ଗାଁର ଲୋକମାନେ ରାତି ସାରା ଶୋଇ ପାରି ନଥିଲେ। ରବିବାର ଭୋର ୫ଟା ଯାଏଁ ଉଜାଗର ରହିବା ପରେ ଟାଇଁସି ଗାଁର ଚାଷୀ ତ୍ରିନାଥ ସାହୁ(୬୦) ନିଜ ଜମିକୁ ଚାଷ କରିବାକୁ ଯାଇଥିଲେ। ଏହାପରେ ସେ ଚାଷ ଜମିଠାରୁ ପ୍ରାୟ ୧୦୦ମିଟର ଦୂରରେ ଥିବା ଏକ ନାଳ ନିକଟକୁ ମାଛ ଧରିବା ପାଇଁ ଯାଇଥିଲେ।

ସେଠାରେ ମାଛ ଧରିବା ସମୟରେ ସୁନ୍ଦରୀ ତାଙ୍କୁ ପଛରୁ ଆକ୍ରମଣ କରିଥିଲା। ତାଙ୍କ ତଣ୍ଟିକୁ ଧରି ପ୍ରାୟ ୧୦୦ମିଟର ଦୂର ବୁଦା ଆଡ଼କୁ ଟାଣି ନେଇଯାଇଥିଲା ବାଘୁଣୀ ସୁନ୍ଦରୀ। କିଛି ସମୟ ପରେ ଏହି ଘଟଣା ପ୍ରସାରିତ ହେବା ପରେ ସେଠାରେ ଲୋକେ ଜମା ହୋଇ ଯାଇଥିଲେ।

କିନ୍ତୁ ସେତେବେଳକୁ ତ୍ରିନାଥଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଠିକ୍ ସେହି ସମୟରେ ସାମ୍ବାଦିକ ରଘୁନାଥ ସାହୁ ମୃତକଙ୍କର ଫଟୋ ଉଠାଇବା ବେଳେ ସୁନ୍ଦରୀ ପୁଣିଥରେ ତାଙ୍କ ଉପରକୁ କରିଥିଲା ଆକ୍ରମଣ। ହେଲେ ସୌଭାଗ୍ୟବଶତଃ ବଞ୍ଚି ଯାଇଥିଲେ ସାମ୍ବାଦିକ ରଘୁନାଥ ସାହୁ।

ଏହାଛଡ଼ା କିଛିଦିନ ପୂର୍ବେ ସାତକୋଶିଆ ହାତୀବାରି ଗାଁର କୌଳାସୀ ସାଏ ନାମ୍ନୀ ଜଣେ ମହିଳା ଗାଁ ପାଖରେ ଥିବା ନାଳକୁ ଗାଧୋଇବାକୁ ଯାଉଥିଲେ। ସେହି ସମୟରେ କୌଳାସୀଙ୍କୁ ଆକ୍ରମଣ କରିଥିଲା ବାଘୁଣୀ ସୁନ୍ଦରୀ। ସୁନ୍ଦରୀ ଆକ୍ରମଣରେ ତାଙ୍କର ମୃତ୍ୟୁ ହୋଇଥିଲା।

ଏହି ଘଟଣା କାରଣରୁ ଟିକରପଡ଼ା ଅଞ୍ଚଳରେ ହିଂସାକାଣ୍ଡ ଘଟିଥିଲା। ଏଥିରେ ବନବିଭାଗର ପ୍ରାୟ ୫କୋଟି ଟଙ୍କା ମଧ୍ୟ ନଷ୍ଟ ହୋଇଥିଲା। ଚହଳ ପକାଇଥିବା ବାଘୁଣୀ ସୁନ୍ଦରୀକୁ ଆଠମଲ୍ଲିକ ବନଖଣ୍ଡରୁ ସାତକୋଶିଆକୁ ଫେରାଇ ଆଣିବାକୁ ଆରମ୍ଭ ହୋଇଛି କସରତ।

ଏଥିପାଇଁ ୨୬ ସେପ୍ଟେମ୍ବରରେ ଏକ ୮ଜଣିଆ ବିଶେଷଜ୍ଞ ଟିମ ସୁନ୍ଦରୀର ପିଛା କରିଥିଲେ। ଏପରିକି ଜଙ୍ଗଲର ସ୍ଥାନେ ସ୍ଥାନେ ଯନ୍ତା ବି ବିଛା ଯାଇଥିଲା। ହେଲେ ବହୁ ଉଦ୍ୟମ ସତ୍ତ୍ୱେ ବି ବନ ବିଭାଗ ସବୁଥିରେ ଫେଲ୍ ମାରିଥିଲା।

ସୁନ୍ଦରୀ ଆସିବ ଏନକ୍ଲୋଜରକୁ

“ବାଘୁଣୀ ସୁନ୍ଦରୀର ବାରମ୍ବାର ଆକ୍ରମଣ ପରେ ଏବେ ସୁନ୍ଦରୀକୁ ଏନକ୍ଲୋଜରକୁ ଅଣାଯିବ” ବୋଲି ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ପିସିସିଏଫ୍ ଡକ୍ତର ସନ୍ଦୀପ ତ୍ରିପାଠୀ। ତେବେ ବାଘୁଣୀ ଉପରେ ନିଶ୍ଚେତକ ପ୍ରୟୋଗ କରି ତାକୁ ଅଚେତ କରି ଏନକ୍ଲୋଜରକୁ ଅଣାଯିବା ଲାଗି ଏକ ବିଶେଷଜ୍ଞ ଦଳ ଅନୁଗୁଳ ପହଞ୍ଚି ସାରିଛନ୍ତି।

ହେଲେ ସ୍ଥାନୀୟ ଅଞ୍ଚଳରେ ଲାଗି ରହିଥିବା ଉତ୍ତେଜନା କାରଣରୁ ବିଶେଷଜ୍ଞ ଦଳ ଜଙ୍ଗଲ ଯାଇ ପାରୁନାହାନ୍ତି। ଡକ୍ତର ତ୍ରିପାଠୀ ଏହା ମଧ୍ୟ କହିଛନ୍ତି, “ବାଘୁଣୀ ଆକ୍ରମଣରେ ଆସୁଥିବା ମୃତ୍ୟୁ ଅଭିଯୋଗ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ”। କାରଣ ଦୁଇ ମୃତ ବ୍ୟକ୍ତିଙ୍କର ଶବ ବ୍ୟବଚ୍ଛେଦ ରିପୋର୍ଟ ଏପର୍ଯ୍ୟନ୍ତ ଆସିନାହିଁ। ରିପୋର୍ଟ ଆସିବା ପରେ ହିଁ ଜଣାପଡ଼ିବ ପ୍ରକୃତରେ ଦୁଇଟି ମୃତ୍ୟୁ ବାଘୁଣୀ କାରଣରୁ ହୋଇଛି ନା ନାହିଁ।

 

ତେବେ ପୂର୍ବରୁ ଜଙ୍ଗଲ ମଧ୍ୟକୁ ଯାଇଥିବା ବନ ବିଭାଗର ୪ ଜଣ କର୍ମଚାରୀ ବି ନିଖୋଜ ଅଛନ୍ତି। ସେପଟେ ଘଟଣାକୁ ବିରୋଧ କରି ଆଠମଲ୍ଲିକ ବିଧାୟକ ସଞ୍ଜୀବ ସାହୁ କହିଛନ୍ତି, “ତୁରନ୍ତ ସୁନ୍ଦରୀକୁ ସ୍ଥାନାନ୍ତର କରାଯାଉ”।

ଏହାଛଡ଼ା ସାତକୋଶିଆ ବାସିନ୍ଦା ବାଘୁଣୀ ସୁନ୍ଦରୀ ଭୟରେ ଚିନ୍ତାରେ ଅଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମେତ ଜଙ୍ଗଲ ମନ୍ତ୍ରୀଙ୍କୁ ଜଣାଇଥିଲେ ବିଧାୟକ ସଞ୍ଜୀବ।

Comment