ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରା ଛକରେ ବଢ଼ୁଛି ଦୁର୍ଘଟଣା। ସର୍ଭିସ ରୋଡ୍ ନିର୍ମାଣ ପାଇଁ ଆନ୍ତରିକତା ଦେଖାଉନି ପ୍ରଶାସନ।

ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥର ଉତ୍ତରା ଛକ ରାସ୍ତା ପାଲଟିଛି ମରଣଯନ୍ତା। ଉତ୍ତରା ଛକରୁ ସିଫା ଗେଟ୍ ଏବଂ ଧଉଳିରୁ ଉତ୍ତରା ଛକ ଯାଏଁ ରାସ୍ତାରେ ପ୍ରତିଦିନ ଛୋଟ ବଡ଼ ଦୁର୍ଘଟଣା ଘଟୁଥିଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନାହିଁ।

ଏହି ରାସ୍ତାରେ ଦୁର୍ଘଟଣା ଏଡ଼ାଇବା ପାଇଁ ସର୍ଭିସ୍ ରୋଡ୍ ନିର୍ମାଣ କରିବାକୁ ସ୍ଥାନୀୟ ବରିଷ୍ଠ ନାଗରିକ ଫୋରମ୍ ଦାବି କରି ଆସୁଥିଲେ ହେଁ କୌଣସି ପଦକ୍ଷେପ ନେଉ ନାହାନ୍ତି ସରକାର। ଫଳରେ ବହୁ ଲୋକଙ୍କର ପ୍ରାଣହାନୀ ଘଟୁଥିବା ବେଳେ ଆଉ କିଛି ଲୋକ ଗୁରୁତର ଆହତ ହେଉଥିବା ନଜିର ରହିଛି। ଏହାର ସଦ୍ୟତମ ଉଦାହରଣ ହେଉଛି ଦଶହରା ରାତିର ଦୁର୍ଘଟଣା।

ଉତ୍ତରା ଛକରୁ-ସିଫା ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବାରୁ ଦୁଇଟି ପରିବାରର ୬ ଜଣଙ୍କର ମୃତ୍ୟୁ ଘଟିଥିଲା। ଗୋଟିଏ ପରିବାରର ମା’ ପୁଅ ଏବଂ ଆଉ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କର ଅକାଳ ବିୟୋଗ ଘଟିଥିଲା। ପିପିଲି ଥାନା ଅର୍ନ୍ତଗତ ନିର୍ମଳା ଗାଁର ଚାରି ଜଣ ସଦସ୍ୟ ଦଶହରା ଦେଖି କାର୍‌ରେ ଭୁବନେଶ୍ୱରରୁ ଘରକୁ ଫେରୁଥିବା ବେଳେ ପୂବା ଶାସନର ମା’ ପୁଅ ଆସୁଥିବା ବାଇକକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ମା’ ପୁଅଙ୍କର ମୃତ୍ୟୁ ହୋଇଥିଲା।

ଏପଟେ କାର୍‌ର ପଛ ଚକା ଫାଟି ଯିବାରୁ ଗାଡ଼ିଟି ସିଧା ରାସ୍ତା ତଳେ ଥିବା ପୋଖରୀରେ ପଡ଼ିଯାଇଥିଲା। ଏଥିରେ ଥିବା ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିଲା।

ଗତ ମାର୍ଚ୍ଚ ୨୬ ତାରିଖ ରାତିରେ ମଧ୍ୟ ସିଫା ଗେଟ୍‌ ସମ୍ନାରେ ଏକ ଦୁର୍ଘଟଣା ଘଟିଥିଲା। ରାତି ପ୍ରାୟ ୧୦ଟା ବେଳକୁ ନାଲ୍‌କୋ ସିଏମ୍‌ଡି ଡକ୍ଟର ତପନ କୁମାର ଚାନ୍ଦ ଏବଂ ତାଙ୍କ ପତ୍ନୀ ପ୍ରୀତି ରଏ ପୁରୀରୁ ଭୁବନେଶ୍ୱର ଆସୁଥିବା ବେଳେ ରଙ୍ଗ ରୁଟ୍‌ରେ ଆସୁଥିବା ଟ୍ରାକ୍ଟର ତାଙ୍କ ଗାଡ଼ିକୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ ନାଲ୍‌କୋ ସିଏମ୍‌ଡିଙ୍କର ପରିବାର। ହେଲେ ସିଏମ୍‌ଡିଙ୍କ ପତ୍ନୀ ପ୍ରୀତି ରଏ ଗୁରୁତର ଭାବେ ଆହତ ହୋଇ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

ଏଭଳି ଅନେକ ଛୋଡ଼ ବଡ଼ ଦୁର୍ଘଟଣା ଏହି ରାସ୍ତାରେ ଘଟୁଛି। କିଛି ଘଟଣା ଲୋକଲୋଚନକୁ ଆସୁଥିବା ବେଳେ ଆଉ କିଛି ଘଟଣା ଲୁଚି ଯାଉଛି। ହେଲେ ଦୁର୍ଘଟଣା ରୋକିବା ପାଇଁ ପ୍ରଶାସନ କିମ୍ବା ସରକାର କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବାରୁ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ବଢ଼ୁଛି।

କାହିଁକି ଘଟୁଛି ଦୁର୍ଘଟଣା?

୨୦୧୫ରେ ମହାପ୍ରଭୁ ଜଗନ୍ନାଥଙ୍କ ନବକଳେବର ପାଇଁ ଭୁବନେଶ୍ୱରରୁ ପୁରୀ ଜାତୀୟ ରାଜପଥର ଉନ୍ନତୀକରଣ କରାଯାଇଥିଲା। ଲୋକଙ୍କ ଜମି ଅଧିଗ୍ରହଣ କରି ସରକାର ରାସ୍ତା ନିର୍ମାଣ କରିବା ସହ ରାସ୍ତାକୁ ପ୍ରଶସ୍ତିକରଣ କରିଥିଲେ। ଆଶା କରାଯାଉଥିଲା ଏହି ରାଜପଥ ନିର୍ମାଣ ହେବା ଫଳରେ ଦୁର୍ଘଟଣା ସଂଖ୍ୟା ହ୍ରାସ ପାଇବ। କିନ୍ତୁ ଦୁର୍ଘଟଣା ବଢ଼ି ଚାଲିଛି।

ଭୁବନେଶ୍ୱର-ପୁରୀ ୩୧୬ ନମ୍ବର ଜାତୀୟ ରାଜପଥ ନିର୍ମାଣ କରିବା ବେଳେ ସରକାର ରାସ୍ତା କଡ଼ରେ ଥିବା ଗାଁଗୁଡ଼ିକର କଥା ସମ୍ପୂର୍ଣ୍ଣ ଭୁଲି ଯାଇଥିବା ପରି ମନେହେଉଛି। ଜାତୀୟ ରାଜପଥ କଡ଼ରେ ଗାଁଗୁଡ଼ିକ ବର୍ଷ ବର୍ଷ ଧରି ରହି ଆସିଛି। ଏବେ ନୂଆ ରାସ୍ତା ହେବା ଦ୍ୱାରା ଗ୍ରାମବାସୀ ଦୁର୍ଦ୍ଦଶା ଭୋଗୁଛନ୍ତି।

ଉତ୍ତରା ଛକରୁ ସିଫା ଗେଟ୍ ଏବଂ ଧଉଳି ଛକରୁ ଉତ୍ତରା ଛକ ରାସ୍ତା କଡ଼ରେ ଅନେକ ଗାଁ ରହିଛି। ଗ୍ରାମବାସୀ କୌଣସି କାମରେ ପୁରୀ କିମ୍ବା ଭୁବନେଶ୍ୱର ଅଭିମୁଖେ ଯିବାକୁ ହେଲେ ଅସୁବିଧାରେ ପଡ଼ୁଛନ୍ତି। ଗାଁ ରାସ୍ତାରୁ ଜାତୀୟ ରାଜପଥକୁ ଉଠିବା ପରେ ସେମାନେ ନିଜ ଗନ୍ତବ୍ୟସ୍ଥଳକୁ ସିଧା ଯାଇପାରୁ ନାହାନ୍ତି। ଏଥିପାଇଁ ଅଧିକାଂଶ ଲୋକେ ରଙ୍ଗ ରୁଟ୍‌ରେ ଯାଇ ଦୁର୍ଘଟଣାର ଶିକାର ହୋଇଥାନ୍ତି।

ସର୍ଭିସ ରୋଡ୍ ପାଇଁ ଚିଠି

ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ଉତ୍ତରା ଛକରୁ ସିଫା ଏବଂ ଧଉଳି ଛକରୁ ଉତ୍ତରା ଛକ ଭିତରେ ସର୍ଭିସ ରୋଡ୍ ନିର୍ମାଣ କରିବାକୁ ଉତ୍ତରା ବରିଷ୍ଠ ନାଗରିକ ଫୋରମ୍ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ଏବଂ ଜାତୀୟ ରାଜପଥର ମୁଖ୍ୟ ଯନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଥିଲେ। ଗତ ସେପ୍ଟେମ୍ବର ୯ ତାରିଖରେ ବରିଷ୍ଠ ନାଗରିକମାନେ ଏକାଠି ହୋଇ ଚିଠି ଲେଖିଥିଲେ ମଧ୍ୟ ଜାତୀୟ ରାଜପଥ ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି।

ଦଶହରା ରାତିରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିବାରୁ ବରିଷ୍ଠ ନାଗରିକ ଫୋରମ୍ ଇ-ମେଲ୍ ଜରିଆରେ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

ବରିଷ୍ଠ ନାଗରିକ ଫୋରମ ସଭାପତି ଡକ୍ଟର ଏ ଏନ୍ ମହାନ୍ତି କହିଛନ୍ତି, “ଜାତୀୟ ରାଜପଥରେ ମେଡିଆନ ଗ୍ୟାପ ନଥିବାରୁ ପୂବାଶାସନ ଗ୍ରାମବାସୀ ଅସୁବିଧା ଭୋଗୁଛନ୍ତି। ଦେଢ଼ କିଲୋମିଟର ଦୂରରେ ମେଡିଆନ ଗ୍ୟାପ୍ ଥିବାରୁ ଅଧିକାଂଶ ଲୋକେ ରଙ୍ଗ ରୁଟ୍‌ରେ ଯିବା ଆସିବା କରୁଛନ୍ତି। ଫଳରେ ବାରମ୍ବାର ଏହି ଅଞ୍ଚଳରେ ଦୁର୍ଘଟଣା ଘଟୁଛି। ସେହିପରି କାଇରି, ଉତ୍ତରାଶାସନ, ବେହେରା ସାହିର ଗ୍ରାମବାସୀ ରଙ୍ଗ ରୁଟ୍‌ରେ ଯିବା ଆସିବା କରୁଛନ୍ତି।”

ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ଉତ୍ତରାଛକରୁ ପୂବାଶାସନ ଗାଁ ଏବଂ ଉତ୍ତରାସାହି ବେହେରା ସାହିରୁ କାଇରି ରୋଡ୍ ପର୍ଯ୍ୟନ୍ତ ଦୁଇଟି ସର୍ଭିସ ରୋଡ୍ ନିର୍ମାଣ କରିବାକୁ ଦାବି କରିଛନ୍ତି ବରିଷ୍ଠ ନାଗରିକ।

“ସର୍ଭିସ ରୋଡ୍ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ତରଫରୁ ବିଗତ ଦିନରେ ପୁରୀ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ବରିଷ୍ଠ ନାଗରିକମାନେ ମଧ୍ୟ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ଚିଠି ଲେଖିଛନ୍ତି। ପ୍ରତିଦିନ ଲୋକଙ୍କ ଧନ ଜୀବନ ବିପଦରେ ପଡ଼ୁଥିଲେ ମଧ୍ୟ ସରକାର ଏ ଦିଗରେ ଆନ୍ତରିକତା ଦେଖାଉ ନାହାନ୍ତି”, କହିଛନ୍ତି ଲକ୍ଷ୍ମୀନାରାୟଣପୁର ସରପଞ୍ଚ ଶୁଭାଶିଷ ଶତପଥୀ।

ଦୟା ବ୍ରିଜଠାରୁ ପିପିଲି ଏକଚାଳିଆସିଡି ଯାଏଁ ସର୍ଭିସ ରୋଡ୍ ନିର୍ମାଣ କରିବାକୁ ସେ ଦାବି କରିଛନ୍ତି।

କେବଳ ଉତ୍ତରାରୁ ସିଫା ଗେଟ୍ ନୁହେଁ କି ଧଉଳିରୁ ଉତ୍ତରା ଛକ ରାସ୍ତା ନୁହେଁ। ରାଜଧାନୀର ବିଭିନ୍ନ ଛକ ମରଣଯନ୍ତା ପାଲଟିଛି। ଲୋକେ ଜାତୀୟ ରାଜପଥରେ ଥିବା ମେଡିଆନ ଗ୍ୟାପକୁ ଠିକ୍‌ ଭାବେ ବ୍ୟବହାର କରୁ ନାହାନ୍ତି। ରାଜପଥରେ ନିଜେ ଡିଭାଇଡର ତିଆରି କରି ମନଇଚ୍ଛା ଯିବା ଆସିବା କରୁଛନ୍ତି। ଫଳରେ ଦୁର୍ଘଟଣାମାନ ଘଟୁଛି।

ରଙ୍ଗ ରୁଟ୍‌ରେ ଯାତାୟାତ କରି ଲୋକେ ମୃତ୍ୟୁମୁଖରେ ପଡ଼ୁଛନ୍ତି। ପ୍ରଶାସନ ଏବଂ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏସବୁ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରୁ ନାହାନ୍ତି। ଏ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ସହ ରଙ୍ଗ ରୁଟ୍‌ରେ ଗାଡ଼ି ଚଳାଇବା ଉପରେ କଟକଣା ଲାଗୁ କରିବାକୁ ଦାବି ହେଉଛି।

ଉତ୍ତରା ବରିଷ୍ଠ ନାଗରିକ ଫୋରମ୍ ଦାବି କରୁଥିବା ସର୍ଭିସ୍ ରୋଡ୍ ନିର୍ମାଣ ସମ୍ପର୍କରେ ଜାଣିବା ପାଇଁ ‘ଓଡ଼ିଶାଲାଇଭ୍‌’ ଟିମ୍ ଏନଏଚ୍‌ଏଆଇ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲା। କିନ୍ତୁ କୌଣସି ପ୍ରତିକ୍ରିୟା ମିଳିପାରି ନଥିଲା।

Comment