ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିଜିତ ଆୟାର ମିତ୍ର ଓଡ଼ିଶା ଆସି ବନ୍ଧା ହୋଇଛନ୍ତି। ତାଙ୍କ ବିରୋଧରେ ଲାଗିଛି ଆଇପିସିର ସଙ୍ଗୀନ ଦଫା।

ଓଡ଼ିଶା ଆସି ବନ୍ଧା ହୋଇଛନ୍ତି ସାମ୍ବାଦିକ ଅଭିଜିତ ଆୟାର ମିତ୍ର। ତାଙ୍କୁ ଗିରଫ କରିଛି ସହିଦନଗର ଥାନା ପୋଲିସ। ତାଙ୍କ ବିରୋଧରେ ଲାଗିଛି ଆଇପିସି ଧାରା ୨୯୪, ୨୯୫(ଏ), ୫୦୦ ଏବଂ ୧୫୩(ଏ)।

କ’ଣ ଏହି ଦଫା?

ଆଇପିସି ଧାରା ୨୯୪ – ଅଶାଳୀନ ଆଚରଣ

୨୯୫(ଏ)- ଧାର୍ମିକ ଭାବନା ପ୍ରତି ଆଘାତ

୫୦୦- ମାନହାନି କରିବା

୧୫୩(ଏ)- ଅଶାଳୀନ ମନ୍ତବ୍ୟ ଦେଇ ଶାନ୍ତି ଭଙ୍ଗ କରିବା

ଅଭିଜିତଙ୍କ ବିରୋଧରେ ଯେଉଁସବୁ ଦଫା ଲାଗିଛି ଯଦି ତାହା ପ୍ରମାଣିତ ହୋଇଯାଏ ତାହାଲେ ତାଙ୍କୁ ୪ ବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ।

କ’ଣ ଥିଲା ଅଭିଯୋଗ?

ସେପ୍ଟେମ୍ବର ୧୫ ତାରିଖରେ ଅଭିଜିତ ଏବଂ ତାଙ୍କ ବାନ୍ଧବୀ ଆସିଥିଲେ ଓଡ଼ିଶା। ହେଲିକପ୍ଟରରେ ସେମାନଙ୍କୁ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଚିଲିକା, କେନ୍ଦ୍ରାପଡ଼ା, ପୁରୀ, କୋଣାର୍କ ଆଦି ଜାଗା ବୁଲାଇଥିଲେ। କିନ୍ତୁ ୧୬ ତାରିଖରେ ଅଭିଜିତଙ୍କ କାରନାମା ପଦାରେ ପଡ଼ିଥିଲା। କୋଣାର୍କ ମନ୍ଦିର ପରିସରରେ ଛିଡ଼ା ହୋଇ ଅଭିଜିତ ଅରୁଚିକର ମନ୍ତବ୍ୟ ଦେଇଥିଲେ। କୋଣାର୍କ ମନ୍ଦିରର କାରୁକାର୍ଯ୍ୟକୁ ସମାଲୋଚନା କରିବା ସହ ଏହା ହିନ୍ଦୁ ଧର୍ମ ବିରୋଧୀ ବୋଲି କହି ଏକ ଭିଡିଓ ନିଜ ଟୁଇଟର ହ୍ୟାଣ୍ଡେଲରରେ ପୋଷ୍ଟ କରିଥିଲେ। ଏହାକୁ ନେଇ ସାରା ରାଜ୍ୟରେ ବହିଥିଲା ଝଡ଼।

ଅଭିଜିତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ବିଧାନସଭା ହୋଇଥିଲା ହୁଲସ୍ତୁଲ୍। ବିଧାୟକମାନେ ଅଭିଜିତଙ୍କ ଗିରଫ ଦାବି କରିଥିଲେ। ହେଲେ ଅଭିଜିତ କ୍ଷମା ମାଗିବା ବଦଳରେ ଓଡ଼ିଶାର ବିଧାୟକମାନଙ୍କୁ ବୁଦୁ କହିଥିଲେ।

ଦଳମତ ନିର୍ବିଶେଷରେ ବିଧାୟକମାନେ ତାତିଥିଲେ। ଅଭିଜିତଙ୍କ ବିରୋଧରେ ଗୃହରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲେ। ଏହି ନୋଟିସକୁ ଗ୍ରହଣ କରିଥିଲେ ବାଚସ୍ପତି। ଅଭିଜିତ ଦେଇଥିବା ଅଶାଳୀନ ମନ୍ତବ୍ୟ ବିରୋଧରେ ତଦନ୍ତ ପାଇଁ ଗଠନ ହେଲା ଗୃହ କମିଟି।

କମିଟିର ଅଧ୍ୟକ୍ଷ ରହିଥିଲେ ବିରୋଧୀ ଦଳ ନେତା ନରସିଂହ ମିଶ୍ର। ସଦସ୍ୟ ରହିଥିଲେ ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ବିଧାୟକ ଅରୁଣ ସାହୁ, ସଞ୍ଜୟ ଦାସବର୍ମା ଏବଂ ପ୍ରମିଳା ମଲ୍ଲିକ। ଗୃହ କମିଟି ତଦନ୍ତ ଆରମ୍ଭ କରିଥିଲା।

ସେପ୍ଟେମ୍ବର ୨୮ ତାରିଖରେ ବସିଥିବା ବୈଠକରେ ଅଭିଜିତଙ୍କୁ ସମନ କରିଥିଲା ଗୃହ କମିଟି। ଅକ୍ଟୋବର ୧୧ ତାରିଖରେ ହାଜର ହୋଇ ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।  କିନ୍ତୁ ବ୍ୟକ୍ତିଗତ ସମସ୍ୟା ଦର୍ଶାଇ ଅଭିଜିତ ନିର୍ଦ୍ଧାରିତ ତାରିଖରେ ଆସି ନଥିଲେ। ଇ-ମେଲ୍ କରି ବିଧାନସଭା ଗୃହ କମିଟିକୁ ଭୁଲ୍ ମାଗିଥିଲେ ଅଭିଜିତ। ଶେଷରେ ୨୩ ତାରିଖରେ ହାଜର ହେବା ପାଇଁ ସାନି ନୋଟିସ କରିଥିଲା ବିଧାନସଭା କମିଟି।

ବିଧାନସଭାରେ ମାରାଥନ ଜେରା

ଓଡ଼ିଶାକୁ କାହିଁକି ଆସିଥିଲ? ତମେ କ’ଣ କର? କୋଣାର୍କ ମନ୍ଦିର ସମ୍ପର୍କରେ ଅରୁଚିକର ମନ୍ତବ୍ୟ କେମିତି ଦେଲ? ବିଧାୟକମାନଙ୍କୁ ବୁଦୁ କହିବାକୁ ସାହସ କଲ କେମିତି? – ଏମିତି ଡଜନେରୁ ଅଧିକ ପ୍ରଶ୍ନବାଣରେ ଅଭିଜିତ ଆୟାର ମିତ୍ରଙ୍କୁ ଛନ୍ଦିଥିଲା ବିଧାନସଭା କମିଟି।

ଅଭିଜିତ ବିଧାନସଭା କମିଟି ପଚାରିଥିବା ସବୁ ପ୍ରଶ୍ନର ଉତ୍ତର ଦେଇଥିଲେ। ସେ ନିଜର ଭୁଲ୍ ମାନିଥିଲେ। “ମୋ ମୂର୍ଖାମୀ ପାଇଁ ମୁଁ ଲଜ୍ଜିତ, ମୁଁ ମୋ ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରୁଛି” – କହିଥିଲେ ଅଭିଜିତ।

ଓଡ଼ିଶା ବିଧାନସଭାର ରୁମ୍ ନମ୍ବର ୫୪। ଅଭିଜିତଙ୍କୁ ପ୍ରଶ୍ନବାଣରେ ଛନ୍ଦିବା ପାଇଁ ଗୃହ କମିଟିର ୫ ଜଣ ସଦସ୍ୟ ପ୍ରସ୍ତୁତ ହୋଇ ରହିଥିଲେ। ନିର୍ଦ୍ଧାରିତ ସମୟ ୧୧ଟାରେ ଅଭିଜିତ ଏବଂ ତାଙ୍କ ଓକିଲ ଗୃହ କମିଟି ଆଗରେ ଉପସ୍ଥିତ ହୋଇଥିଲେ। ଆଣିଥିବା କାଗଜପତ୍ରକୁ କମିଟିକୁ ହସ୍ତାନ୍ତର କରିବା ପରେ ଆରମ୍ଭ ହୋଇଥିଲା ଜେରା।

ଅଭିଜିତଙ୍କୁ ଗୋଟିଏ ପରେ ଗୋଟିଏ ପ୍ରଶ୍ନବାଣରେ ଛନ୍ଦିଥିଲେ ବିଧାନସଭା କମିଟିର ସଦସ୍ୟ। ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର, କନକବର୍ଦ୍ଧନ ସିଂହଦେଓ, ଦେବୀ ପ୍ରସାଦ ମିଶ୍ର, ପ୍ରମିଳା ମଲ୍ଲିକ, ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା ଅଭିଜିତଙ୍କୁ ପ୍ରଶ୍ନ କରି ଘାଇଲା କରିଥିଲେ।

ଅଭିଜିତ ନମ୍ରତାର ସହ ଉତ୍ତର ଦେଇଥିଲେ। ଅଭିଜିତଙ୍କ ପାଇଁ ବିଧାନସଭା ପରିସରରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା। ଅପରାହ୍ଣ ୨ଟା ଯାଏଁ ମାରାଥନ ଜେରା ଚାଲିଥିଲା।

କାବୁ କରିନେଲା ସହିଦ ନଗର ଥାନା ପୋଲିସ

ବିଧାନସଭା କମିଟିରୁ ଫେରିବା ପରେ ସହିଦ ନଗର ଥାନା ପୋଲିସ ଅଭିଜିତଙ୍କୁ ହେପାଜତରେ ନେଇଥିଲା। ଅଜ୍ଞାତ ସ୍ଥାନକୁ ନେଇ ବରିଷ୍ଠ ପୋଲିସ ଅଧିକାରୀମାନେ ଅଭିଜିତକୁ ପଚରା ଉଚରା କରିଥିଲେ। ଅଭିଜିତ ପୋଲିସ ଆଗରେ ସବୁ ଦୋଷ ମାନିବା ପରେ ତାଙ୍କୁ ଗିରଫ କରାଯାଇଛି।

ଓଡ଼ିଶାର ଐତିହ୍ୟ କୋଣାର୍କ ସମ୍ପର୍କରେ ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ଫସିଥିଲେ ଅଭିଜିତ। ତାଙ୍କ ମନ୍ତବ୍ୟ ଧାର୍ମିକ ଭାବନା ପ୍ରତି ଆଘାତ ଦେଇଥିବାରୁ ଅଭିଜିତଙ୍କ ବିରୋଧରେ ସହିଦନଗର ଥାନାରେ ଏତଲା ଦିଆଯାଇଥିଲା। ଏହାସହ ପୁରୀ ଅରଖକୁଦ ଏବଂ କୋଣାର୍କ ଥାନାରେ ମଧ୍ୟ ସମାନ ଅଭିଯୋଗ କରିଥିଲେ ସାମାଜିକ ସଙ୍ଗଠନ।

ଦିଲ୍ଲୀରେ ଗିରଫ ହୋଇଥିଲେ ଅଭିଜିତ

କୋଣାର୍କ ମନ୍ଦିରର କାରୁକଳା ସମ୍ପର୍କରେ ବିବାଦୀୟ ଭିଡିଓ ପୋଷ୍ଟ କରି ଅଡ଼ୁଆରେ ପଡ଼ିଥିବା ଅଭିଜିତ ସେପ୍ଟେମ୍ବର ୨୦ ତାରିଖରେ ଗିରଫ ହୋଇଥିଲେ। କୋଣାର୍କ ଥାନାର ଏକ ଟିମ୍‌ ଦିଲ୍ଲୀ ଯାଇ ଅଭିଜିତଙ୍କୁ ଗିରଫ କରିଥିଲା।

୧୯ ତାରିଖରେ କୋଣାର୍କ ଥାନା ଆଇଆଇସି ସଞ୍ଜୀବ କୁମାର ପ୍ରଧାନ ଏବଂ ପୁରୀ ସଦର ଥାନା ଆଇଆଇସି ଗୌରାଙ୍ଗ ଚରଣ ପୃଷ୍ଟିଙ୍କୁ ନେଇ ଗଠିତ ଟିମ୍ ଦିଲ୍ଲୀ ପହଞ୍ଚିଥିଲା। ପୋଲିସ ଟିମ୍ ନୂଆଦିଲ୍ଲୀର ନିଜାମୁଦ୍ଦିନ ଅଞ୍ଚଳରେ ଥିବା ଅଭିଜିତଙ୍କ ଘରକୁ ଯାଇଥିଲା। ତେବେ ତାଙ୍କୁ ଘରେ ନପାଇ ଫେରି ଆସିଥିଲା ପୋଲିସ ଟିମ୍।

୨୦ ତାରିଖ ସକାଳେ ଓଡ଼ିଶା ପୋଲିସ ଟିମ୍ ନିଜାମୁଦ୍ଦିନ ଥାନାରେ ପହଞ୍ଚି ଅଭିଜିତଙ୍କୁ ଗିରଫ କରିବା ପାଇଁ ନୋଟିସ ପଠାଇଥିଲେ। ଫଳରେ ନିଜାମୁଦ୍ଦିନ ପୋଲିସ ସହାୟତାରେ ଅଭିଜିତ ଗିରଫ ହୋଇଥିଲେ। ହେଲେ ଓଡ଼ିଶା ପୋଲିସ ଦିଲ୍ଲୀ ସାକେତ କୋର୍ଟରେ ଆବଶ୍ୟକୀୟ ପ୍ରମାଣପତ୍ର ଦାଖଲ କରି ନପାରିବାରୁ ଅଭିଜିତ ସର୍ତ୍ତମୂଳକ ଜାମିନ ପାଇଥିଲେ।

Comment