ଓଡ଼ିଶା ଇଣ୍ଟରଟେନମେଣ୍ଟ ବ୍ୟୁରୋ

ବେଶ୍ କିଛି ବର୍ଷ ପରେ ଦୁଇ ଦିଗ୍‌ଗଜ କଳାକାର ମିହିର ଓ ଅପରାଜିତା ଆସୁଛନ୍ତି ପ୍ରେମୀ ଯୁଗଳ ରୂପେ…

ଆଗକୁ ଆସୁଛି ଏକ ଓଡ଼ିଆ ସିନେମା, ଯାହାର ଟାଇଟଲ୍ ହେଲା ‘ପଗଲୁ’। ଜଗନ୍ନାଥ ପାଟ୍ଟଯୋଶୀ ମହାପାତ୍ର ଏହାର ନିର୍ମାତା ଏବଂ ରାମପ୍ରସାଦ ସାମଲ ଏହାର ନିର୍ଦ୍ଦେଶକ। ଏହି ସିନେମାରେ ମିହିର ଦାସ, ଅପରାଜିତା, ଅଭିଷେକ, ପ୍ରକୃତି ମିଶ୍ର, ଦୈତାରି ପଣ୍ଡା ଓ ପପୁ ପମ୍‌ପମ୍‌ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।

ଏହି ଫିଲ୍ମରେ ଦୁଇଟି ପ୍ରେମୀ ଯୁଗଳଙ୍କ ପ୍ରେମ କାହାଣୀ ରହିଛି। ଏଥିମଧ୍ୟରୁ ୟଙ୍ଗ୍ କପଲ୍ ହେଲେ ଅଭିଷେକ ଓ ପ୍ରକୃତି। କିନ୍ତୁ ଆଉ ଜଣେ ବୟସ୍କ ଯୋଡ଼ି ହେଲେ ମିହିର ଦାସ ଓ ଅପରାଜିତା।

‘ପଗ୍‌ଲୁ’ର କାହାଣୀ ଅନୁଯାୟୀ ମିହିର ଦାସ ଓ ଅପରାଜିତା ଦୁହେଁ ଅବିବାହିତ। ଦୁହିଁଙ୍କର ବୟସ ପଚାଶ ବି ଟପି ଯାଇଛି। ହେଲେ ସେ ଦୁହେଁ ଭିନ୍ନ ଭିନ୍ନ କାରଣରୁ ବିବାହ କରିପାରିନାହାନ୍ତି।

ମିହିର ଜଣେ ଡାକ୍ତର, ହେଲେ ଅପରାଜିତା ଅଛନ୍ତି ଜଣେ ଶିକ୍ଷୟିତ୍ରୀ ଭୂମିକାରେ। ଏ ଦୁହିଁଙ୍କର ଏକ ଜବରଦସ୍ତ ପ୍ରେମ କାହାଣୀ ରହିଛି ‘ପଗଲୁ’ରେ। ୟଙ୍ଗ ଯୋଡ଼ି ଅଭିଷେକ- ପ୍ରକୃତିଙ୍କ ଲଭ ଷ୍ଟୋରି ସାଙ୍ଗକୁ ମିହିର- ଅପରାଜିତାଙ୍କ ପ୍ରେମ କାହାଣୀ ବି ସମାନ୍ତରାଳ ଭାବରେ ଗତି କରିଛି।

ଯଦି ଆପଣମାନେ ଜାଣିବାକୁ ଚାହାଁନ୍ତି ଯେ, ମିହିର ଓ ଅପରାଜିତାଙ୍କ ବୟସ୍କ ପ୍ରେମ କାହାଣୀ ଅବଶେଷରେ କି ରୂପ ନେଉଛି ସେ ଦୁହେଁ କାହିଁକି ବିବାହ କରି ନାହାନ୍ତି ଓ ଯୁବ ପ୍ରେମୀ ଯୁଗଳ ଅଭିଷେକ- ପ୍ରକୃତିଙ୍କ ସହିତ କି ସମ୍ପର୍କ ରହିଛି, ଏଥିପାଇଁ ଆପଣଙ୍କୁ ‘ପଗ୍‌ଲୁ’ର ରିଲିଜ୍‌ ଯାଏଁ ଅପେକ୍ଷା କରିବାକୁ ପଡ଼ିବ।

ତେବେ ଆପଣ ଆଗରୁ ବି ପରଦାରେ ମିହିର-ଅପରାଜିତାଙ୍କ ଯୋଡ଼ିକୁ ଦେଖିଥିବେ। ସେଥିମଧ୍ୟରୁ କେତେକ ସିନେମାରେ ଏହି ଯୋଡ଼ିଙ୍କ କଥା ସ୍ମରଣୀୟ ଆସନ୍ତୁ ସେଭଳି କିଛି ସିନେମା କଥା ମନେ ପକାଇବା…

ସାକ୍ଷୀ ରହିବ ମୋ ଶଙ୍ଖା ସିନ୍ଦୂର

ମିହିର ଦାସ-ଅପରାଜିତାଙ୍କ ଯୋଡ଼ିର ଏକ ସୁପରହିଟ୍ ସିନେମା ହେଲା ‘ସାକ୍ଷୀ ରହିବ ମୋ’ ଶଙ୍ଖା ସିନ୍ଦୂର’। ଲତିକା ମହାନ୍ତିଙ୍କ ପ୍ରଯୋଜିତ ଏହି ସିନେମାର ଚିତ୍ରନାଟ୍ୟ, ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା ଦାୟିତ୍ୱ ବହନ କରିଥିଲେ ଅରୁଣ ମହାନ୍ତି।

ଏଥିରେ ପତିପତ୍ନୀ ଭୂମିକାରେ ଥିଲେ ମିହିର ଓ ଅପରାଜିତା। ଏହି ଫିଲ୍ମରେ ବିଜୟ ମହାନ୍ତି, ସିଦ୍ଧାନ୍ତ ଓ ରଚନାଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିଥିଲା।

କଥା କହିବ ମୋ’ ମଥା ସିନ୍ଦୂର

ଏହା ବି ମିହିର-ଅପରାଜିତା ଯୋଡ଼ିଙ୍କର ଏକ ହିଟ୍ ଫିଲ୍ମ। ଏହାର ନିର୍ଦ୍ଦେଶନା ଓ ସଙ୍ଗୀତ ନିର୍ଦ୍ଦେଶନା ଉଭୟ ଗୁରୁ ଦାୟିତ୍ୱ ବହନ କରିଥିଲେ ଅରୁଣ ମହାନ୍ତି। ଏହି ସିନେମାରେ ଉଭୟଙ୍କ ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ।

ଏଥିରେ ସିଦ୍ଧାନ୍ତ, ପ୍ରିୟଙ୍କା ତ୍ରିବେଦୀ, ହର ପଟ୍ଟନାୟକ, ଦେବୁ ବୋଷ ଓ ଈଶା ବେବର୍ତ୍ତା ପ୍ରମୁଖ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ‘କଥା କହିବ ମୋ’ ମଥା ସିନ୍ଦୂର’ରେ ମିହିର ଦାସ ଓ ଅପରାଜିତା ମହାନ୍ତି ସ୍ୱାମୀ-ସ୍ତ୍ରୀ ଭୂମିକାରେ ଦେଖା ଦେଇଥିଲେ।

ଭାଇ-ଭାଉଜ ବ୍ୟତୀତ ମିହିର- ଅପରାଜିତା ଅନେକ ଓଡ଼ିଆ ସିନେମାରେ ନାୟକ/ ନାୟିକାଙ୍କ ପିତାମାତା ଭୂମିକାରେ ବି ଏକାଠି ନଜର ଆସିଛନ୍ତି।

Comment