ଓଡ଼ିଶାଲାଇଭ୍ ବ୍ୟୁରୋ
ବିଧାନସଭା ଗୃହ କମିଟିରୁ ବାହାରିବା ପରେ ଅଭିଜିତ ଆୟାର ମିତ୍ରଙ୍କୁ ହେପାଜତରେ ନେଇଛି ସହିଦନଗର ଥାନା ପୋଲିସ। ଏକ ଅଜ୍ଞାତ ସ୍ଥାନକୁ ନେଇ ଅଭିଜିତଙ୍କୁ ଜେରା କରୁଛନ୍ତି ପୋଲିସ ଅଧିକାରୀ।
ଥାନାରେ ଜେରା କଲେ କିଛି ଅପ୍ରୀତିକର ଘଟଣା ଘଟିବାର ଆଶଙ୍କା କରି ପୋଲିସ ଅଧିକାରୀ ଅଭିଜିତଙ୍କୁ ଅଜ୍ଞାତ ସ୍ଥାନକୁ ନେଇଥିବା କୁହାଯାଉଛି।
ସେପ୍ଟେମ୍ବର ୧୫ ତାରିଖରେ ଅଭିଜିତ ଓଡ଼ିଶା ଗସ୍ତରେ ଆସିଥିଲେ। ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ସହ ହେଲିକପ୍ଟରରେ କୋଣାର୍କ, ଚିଲିକା ବୁଲିବା ପରେ ୧୬ ତାରିଖରେ ଆୟର ସୋସିଆଲ ମିଡିଆରେ କୋଣାର୍କ ମନ୍ଦିର ସମ୍ପର୍କରେ କଟୁ ମନ୍ତବ୍ୟ ଦେଇ ଏକ ଭିଡିଓ ପୋଷ୍ଟ କରିଥିଲେ।
ଏହାକୁ ନେଇ ସାରା ରାଜ୍ୟରେ ଝଡ଼ ସୃଷ୍ଟି ହୋଇଥିଲା। ଅଭିଜିତ ଓଡ଼ିଶାବାସୀଙ୍କ ଧର୍ମଭାବନାକୁ ଆଘାତ ଦେଇଥିବାରୁ ସହିଦନଗର, କୋଣାର୍କ ଏବଂ ପୁରୀ ଅରଖକୁଦା ଥାନାରେ ବିଭିନ୍ନ ସାମାଜିକ ସଙ୍ଗଠନ ପକ୍ଷରୁ ଏତଲା ଦିଆଯାଇଥିଲା।
ଅଭିଯୋଗକୁ ଆଧାର କରି ସହିଦନଗର ଥାନା ପୋଲିସ ଅଭିଜିତଙ୍କୁ ହେପାଜତକୁ ନେଇ ପଚରାଉଚରା କରୁଛି। ପୋଲିସ ପ୍ରଶ୍ନର ସନ୍ତୋଷଜନକ ଉତ୍ତର ଯଦି ଅଭିଜିତ ଦେଇ ନପାରନ୍ତି ତାହାଲେ ତାଙ୍କୁ ଗିରଫ କରିବାର ସମ୍ଭାବନା ରହିଛି।


















