ଓଡ଼ିଶାଲାଇଭ୍ ବ୍ୟୁରୋ

ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କ୍ୟୁଲାଇଜ୍‌ କରିବାକୁ ମଙ୍ଗଳବାର ସାତକୋଶିଆ ଅଭିମୁଖେ ୧୦ ଜଣିଆ ଦଳ।

ବାଘୁଣୀ ସୁନ୍ଦରୀକୁ କାବୁ କରିବା ପାଇଁ ବନ ବିଭାଗ ଅଣ୍ଟା ଭିଡ଼ିଛି। ସୁନ୍ଦରୀକୁ ଟ୍ରାଙ୍କ୍ୟୁଲାଇଜର୍‌ ମାରି ଅଚେତ କରିବାକୁ ବନ ବିଭାଗ ତରଫରୁ ଏକ ୧୦ ଜଣିଆ ଦଳ ମଙ୍ଗଳବାର ସକାଳେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳକୁ ଯାଇଛନ୍ତି। ଏଥିରେ ଓୟୁଏଟି, ଶିମିଳିପାଳ ଓ ନନ୍ଦନକାନନରୁ ଆସିଥିବା ଟ୍ରାଙ୍କ୍ୟୁଲାଇଜର୍‌ ବିଶେଷଜ୍ଞମାନେ ସାମିଲ୍‌ ହୋଇଛନ୍ତି।

ଗତ ସୋମବାରଠାରୁ ସେମାନେ ଘଟଣାସ୍ଥଳକୁ ଯିବାର ଥିଲା, ହେଲେ ସେଠାକାର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଅନୁଗୁଳରେ ଅଟକି ରହିଥିଲେ। ମଙ୍ଗଳବାର ସକାଳେ ଦୁଇ ପ୍ଲାଟୁନ୍‌ ପୋଲିସ ଫୋର୍ସର ସୁରକ୍ଷାରେ ସେମାନେ ସେଠାକୁ ବାହାରି ଯାଇଛନ୍ତି।

ଏବେ ବାଘୁଣୀ ‘ସୁନ୍ଦରୀ’ କୁମୁରି ଅଞ୍ଚଳରେ ବୁଲାବୁଲି କରୁଥିବା ଜଣାପଡ଼ିଛି। ସେଠାକାର ବାସିନ୍ଦା କହିବାନୁସାରେ, ମଙ୍ଗଳବାର ସକାଳେ ‘ସୁନ୍ଦରୀ’ ଗୋଟାଏ ବୁଲା କୁକୁର ମାରିଛି।

ହାତୀବାରିଠାରେ ଜଣେ ମହିଳାଙ୍କୁ ମାରିଥିବା ଅଭିଯୋଗ ପରେ ପୂର୍ବରୁ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କ୍ୟୁଲାଇଜ୍‌ କରିବାକୁ ଡେରାଡୁନ୍‌ ଆସିଥିବା ଟିମ୍‌ ବିଫଳ ହୋଇ ଫେରିଥିଲେ। ଉଗ୍ର ବାଘୁଣୀକୁ ଟ୍ରାଙ୍କ୍ୟୁଲାଇଜ୍‌ର୍‌ ମାରିବାକୁ ପୋଷା ହାତୀ ଦରକାର ହୋଇଥାଏ।

କାରଣ ହାତୀ ପିଠିରେ ବସି ଅପେକ୍ଷାକୃତ ସହଜରେ ଟ୍ରାଙ୍କ୍ୟୁଲାଇଜର୍‌ ମାରି ହୁଏ। କିନ୍ତୁ, ସେମାନଙ୍କୁ ପୋଷା ହାତୀ ଯୋଗାଇ ଦେବାକୁ ଶିମିଳିପାଳ ଅଭୟାରଣ୍ୟ ସମର୍ଥ ହୋଇ ନ ଥିଲା।

ଅପରପକ୍ଷରେ ମଙ୍ଗଳବାର ଯାଇଥିବା ଟିମ୍‌ ପାଖରେ ମଧ୍ୟ ପୋଷା ହାତୀ ନ ଥିବାରୁ ସେମାନଙ୍କ ସଫଳତା ଉପରେ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି।

Comment