ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିଜିତ ଆୟାର ମିତ୍ର। ଜଣେ ସାମ୍ବାଦିକ ଭାବେ ଦିଲ୍ଲୀରେ ବେଶ୍ ଜଣାଶୁଣା। କିନ୍ତୁ ଓଡ଼ିଶାର ଐତିହ୍ୟ କୋଣାର୍କ ମନ୍ଦିର ଉପରେ ଅରୁଚିକର ମନ୍ତବ୍ୟ ଦେଇ ଫସିଛନ୍ତି ଅଭିଜିତ। ଧାର୍ମିକ ଭାବନାକୁ ଆଘାତ ଦେବା ଅଭିଯୋଗରେ ବନ୍ଧା ହୋଇଛନ୍ତି ଅଭିଜିତ।

ଏବେ ଅଭିଜିତଙ୍କ ଠିକଣା ପାଲଟିଛି ଭୁବନେଶ୍ୱର ଝାରପଡ଼ା ଜେଲ୍‌ର ୧୧ ନମ୍ବର ସେଲ୍। ଏହି ସେଲରେ ହିଁ ଅଭିଜିତଙ୍କ ପ୍ରଥମ ରାତି କଟିଛି।

କେମିତି କଟିଲା ରାତି?

ମଙ୍ଗଳବାର ଦିନ ସାଢ଼େ ୨ଟାରୁ ସନ୍ଧ୍ୟା ସାଢ଼େ ୫ଟା ଯାଏଁ ଅଭିଜିତଙ୍କୁ କମିଶନରେଟ୍ ପୋଲିସର ବରିଷ୍ଠ ଅଧିକାରୀମାନେ ଅଜ୍ଞାତ ସ୍ଥାନରେ କରିଥିଲେ ମାରାଥନ ଜେନା। ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ପୋଲିସ ଅଧିକାରୀ। ହେଲେ ଅଭିଜିତଙ୍କଠାରୁ ସନ୍ତୋଷଜନକ ଉତ୍ତର ନପାଇବାରୁ ତାଙ୍କୁ ଗିରଫ କରିଥିଲା ପୋଲିସ।

ଅଜ୍ଞାତ ସ୍ଥାନରୁ ସନ୍ଧ୍ୟା ପ୍ରାୟ ୬ଟାରେ ଅଭିଜିତଙ୍କୁ ସହିଦନଗର ଥାନାକୁ ଅଣାଯାଇଥିଲା। ସେଠାରେ ଅଭିଜିତ କିଛି ସମୟ ରହିଥିଲେ। କୋର୍ଟ ଚାଲାଣ ପାଇଁ ପୋଲିସ ସମସ୍ତ ପ୍ରସ୍ତୁତି ଶେଷ କରିବା ପରେ କଡ଼ା ପୋଲିସ ବଳୟ ଭିତରେ ଅଭିଜିତଙ୍କୁ ନିଆଯାଇଥିଲା ଭୁବନେଶ୍ୱର ଏସ୍‌ଡିଜେଏମ୍ କୋର୍ଟ ଅଭିମୁଖେ। କୋର୍ଟରେ ଅଭିଜିତଙ୍କୁ ହାଜର କରିଥିଲା ପୋଲିସ।

ଅଭିଜିତଙ୍କ ଜାମିନ ଆବେଦନ ଖାରଜ ହେବା ପରେ କୋର୍ଟ ଝାରପଡ଼ା ଜେଲ୍‌କୁ ପଠାଇଦେଇଥିଲେ। ରାତି ପ୍ରାୟ ୧୧ଟା ବେଳକୁ ଜେଲରେ ପହଞ୍ଚିଥିଲେ ଅଭିଜିତ। ବିଚାର ବିଭାଗୀୟ ହାଜରେ ରହିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିବାରୁ ଜେଲ୍ କର୍ତ୍ତୃପକ୍ଷ ପ୍ରସ୍ତୁତ ହୋଇ ରହିଥିଲେ। ଅଭିଜିତ ଜେଲ୍‌ରେ ପହଞ୍ଚିବା ପରେ ୧୧ ନମ୍ବର ସେଲ୍‌କୁ ନିଆଯାଇଥିଲା। ଏହି ସେଲ୍‌ରେ ହିଁ ଅଭିଜିତଙ୍କ ପ୍ରଥମ ରାତି କଟିଛି।

ଖାଇବାକୁ ମନା କରିଦେଲେ ଅଭିଜିତ

୧୧ ନମ୍ବର ସେଲ୍‌ରେ ରହିବା ପରେ ଅଭିଜିତଙ୍କୁ ଜେଲ୍ ପକ୍ଷରୁ ରୁଟି ଏବଂ ତରକାରୀ ଦିଆଯାଇଥିଲା। ହେଲେ ଖାଇବାକୁ ମନା କରିଦେଇଥିଲେ ଅଭିଜିତ। ଭୋକ ନାହିଁ କହି ଖାଇବା ଫେରାଇ ଦେଇଥିଲେ। ବୁଧବାର ସକାଳୁ ଅଭିଜିତ ସ୍ୱାଭାବିକ ହୋଇଯାଇଥିବା ଜେଲ୍‌ ପକ୍ଷରୁ ଜଣାପଡ଼ିଛି। ସେ ବିଚଳିତ କିମ୍ବା ଚିଡ୍‌ଚିଡ୍ ନଥିବା ଜେଲ୍‌ କର୍ତ୍ତୃପକ୍ଷ କହିଛନ୍ତି।

କୋଣାର୍କ ମନ୍ଦିର ଏବଂ ଓଡ଼ିଶାର ବିଧାୟକମାନଙ୍କ ସମ୍ପର୍କରେ କଟୁ ମନ୍ତବ୍ୟ ଦେଇ ବିବାଦୀୟ ହୋଇପଡ଼ିଥିଲେ ଅଭିଜିତ। ଏଣୁ ବିଧାନସଭା ଗୃହ କମିଟି ତାଙ୍କୁ ହାଜର ହେବା ପାଇଁ ନୋଟିସ ଦେଇଥିଲା। ନୋଟିସ ପାଇ ଅଭିଜିତ ମଙ୍ଗଳବାର ସକାଳେ ଦିଲ୍ଲୀରୁ ଭୁବନେଶ୍ୱରରେ ଆସି ପହଞ୍ଚିଥିଲେ। ଦିନ ୧୧ଟା ବେଳେ ସେ ବିଧାନସଭା ଗୃହ କମିଟିରେ ହାଜର ହୋଇ ସବୁ ଦୋଷ ମାନିଥିଲେ। ପ୍ରାୟ ତିନି ଘଣ୍ଟା ଧରି ଅଭିଜିତଙ୍କୁ ଘାଣ୍ଟି ଥିଲା ବିଧାନସଭା କମିଟି।

ବିଧାନସଭା କମିଟି ପରେ ଅଭିଜିତଙ୍କୁ ହେପାଜତରେ ନେଇଥିଲା ପୋଲିସ। ପରେ ପୋଲିସ ଅଭିଜିତଙ୍କୁ ଗିରଫ କରିଥିଲା।

Comment