ଓଡ଼ିଶାଲାଇଭ୍ ବ୍ୟୁରୋ

ଡ୍ରେନରେ ପଡ଼ି ଆଖି ବୁଜିଲା ୭ ବର୍ଷିୟ ବାଳକ।

ପେଣ୍ଠକଟା ମେରାଇନ୍‌ ଥାନା ଅନ୍ତର୍ଗତ ଗୋପାଳପୁର ଗ୍ରାମ ନିକଟରେ ଥିବା ଏକ ଡ୍ରେନ୍‌ରୁ ଜଣେ ବାଳକର ଶବ ଉଦ୍ଧାର କରାଯାଇଛି। ବୁଧବାର ସକାଳେ ବାଳକର ଶବକୁ ଡ୍ରେନରେ ପଡ଼ିଥିବାର ସ୍ଥାନୀୟ ଲୋକେ ଦେଖି ତାକୁ ଚିହ୍ନଟ କରିଥିଲେ।

ଗୋପାଳପୁର ଗ୍ରାମ ନିବାସୀ ପ୍ରକାଶ ନାୟକଙ୍କ ୭ ବର୍ଷିୟ ପୁଅ ଗଣେଶର ଶବ ବୋଲି ସ୍ଥାନୀୟ ଲୋକେ ଜାଣିଥିଲେ। ଏହାପରେ ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖବର ଦେଇଥିଲେ।

ଗତ ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗଣେଶକୁ ତା’ର ମାଆ ଚା’ ପତି କିଣିବାକୁ ସେ ଅଞ୍ଚଳରେ ଥିବା ଏକ ଦୋକାନକୁ ପଠାଇଥିଲେ। କିନ୍ତୁ ସେ ନ ଫେରିବାରୁ କେଉଁଠି ଖେଳକୁଦ କରୁଥିବ ବୋଲି ପରିବାର ଲୋକେ ଭାବିଥିଲେ।

ଗଣେଶ ଘରକୁ ନ ଫେରିବାରୁ ପରିବାର ଲୋକେ ସ୍ଥାନୀୟ ଅଞ୍ଚଳରେ ଖୋଜାଖୋଜି କରିଥିଲେ ମଧ୍ୟ ତା’ର ପତ୍ତା ପାଇ ନ ଥିଲେ।

ବୁଧବାର ସକାଳେ ସ୍ଥାନୀୟ ଲୋକେ ସେ ଅଞ୍ଚଳର ଏକ ଡ୍ରେନ୍‌ରେ ଗଣେଶର ଶବ ଦେଖି ତାକୁ ଖୋଜୁଥିବା ତା’ର ବାପା ମାଆଙ୍କୁ ଖବର ଦେଇଥିଲେ। ଗଣେଶ ଅଙ୍ଗନବାଡ଼ିରେ ପଢ଼ୁଥିଲା। ଡ୍ରେନ୍‌ରୁ ଶବ ଉଦ୍ଧାର କରାଯିବା ପରେ ସ୍ଥାନୀୟ ଲୋକେ ଏଭଳି ଘଟଣା ପାଇଁ ଉତ୍ତେଜିତ ହୋଇ ପଡ଼ିଥିଲେ।

ଡ୍ରେନ୍‌ କାହିଁକି ଏଭଳି ଭାବେ ଖୋଲା ରହିଛି ଏବଂ ବାଳକଟିର ମୃତ୍ୟୁ ନିମନ୍ତେ ପରିବାରକୁ କ୍ଷତିପୂରଣ ଦେବା ପାଇଁ ସ୍ଥାନୀୟ ଲୋକେ ବାଲିଘାଟ ଛକରେ ଟାୟାର୍‌ ଜାଳି ରାସ୍ତା ଅବରୋଧ କରିଛନ୍ତି।

ଏବିଷୟରେ ଖବର ପାଇ ପେଣ୍ଠକଟା ମେରାଇନ୍‌ ପୋଲିସ ଘଟଣାସ୍ଥଳ ପହଞ୍ଚିଥିଲେ। ହେଲେ ଏପର୍ଯ୍ୟନ୍ତ କୌଣସି ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳକୁ ଯାଇ ନାହାନ୍ତି।

Comment