ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଆଇ ଅନ୍ତଃକନ୍ଦଳ ମାମଲାର ଶୁଣାଣି କରି ୨ ସପ୍ତାହ ମଧ୍ୟରେ ରିପୋର୍ଟ ଦେବା ପାଇଁ ସୁପ୍ରିମକୋର୍ଟ ସିଭିସିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଜଟିଳ ହେଉଛି ସିବିଆଇ ବିବାଦ। ସିବିଆଇ ପ୍ରସଙ୍ଗକୁ କେନ୍ଦ୍ର କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ମୋଦି ସରକାରଙ୍କୁ ଆଟାକ କରି ଚାଲିଥିବା ବେଳେ ଆଜି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଶୁଣାଇଛନ୍ତି। ସିବିଆଇ ଅନ୍ତଃକନ୍ଦଳ ମାମଲାର ତଦନ୍ତ ୧୦ ଦିନ ମଧ୍ୟରେ ଶେଷ କରି ରିପୋର୍ଟ ଦେବାକୁ ପ୍ରଧାନ ବିଚାରପତି ସିଭିସି (କେନ୍ଦ୍ରୀୟ ଭିଜିଲାନ୍ସ କମିଶନ)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସିବିଆଇ ଘଟଣାର ସମସ୍ତ ଯାଞ୍ଚ ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ହେବ। ସୁପ୍ରିମକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଏ କେ ପଟ୍ଟନାୟକଙ୍କ ନେତୃତ୍ୱରେ ଏହି ଯାଞ୍ଚ ପ୍ରକ୍ରିୟା ସମାପ୍ତ କରିବେ ସିଭିସି।

ସିବିଆଇ ମାମଲାରେ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ମାଗିଛନ୍ତି ସୁପ୍ରିମକୋର୍ଟ। ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇ ଦେଇ କେନ୍ଦ୍ର ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏହାକୁ ନେଇ ମୋଦି ସରକାର ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେଉଛନ୍ତି।

ସିଭିସି ଓକିଲ ତୁଷାର ମେହେଟ୍ଟା ଏହି ମାମଲାର ତଦନ୍ତ ପାଇଁ ତିନି ସପ୍ତାହ ସମୟ ମାଗିଥିଲେ। ହେଲେ ସୁପ୍ରିମକୋର୍ଟ ଦୁଇ ସପ୍ତାହ ସମୟ ଦେଇଛନ୍ତି। ନଭେମ୍ବର ୧୨ରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସେ ପର୍ଯ୍ୟନ୍ତ ଏମ୍ ନାଗେଶ୍ୱର ରାଓ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ନିର୍ବାହ କରିବେ।

ଏମ୍‌ ନାଗେଶ୍ୱର ରାଓ କୌଣସି ନୀତି ସଂକ୍ରାନ୍ତୀୟ ନିଷ୍ପତ୍ତି ଗ୍ରହଣ କରି ପାରିବେନାହିଁ ବୋଲି ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ କୁମାର ବର୍ମାଙ୍କର ପିଟିସନ୍ ଉପରେ ମଧ୍ୟ ଶୁକ୍ରବାର ଦିନ ରାୟ ଶୁଣାଇ କହିଛନ୍ତି ସୁପ୍ରିମକୋର୍ଟ।

ବର୍ମା ଏବଂ ଆସ୍ଥାନାଙ୍କ ବିରୋଧରେ ଆସିଥିବା ଲାଞ୍ଚ କାରବାର ଅଭିଯୋଗର ଯାଞ୍ଚ କରୁଛନ୍ତି କେନ୍ଦ୍ରୀୟ ଭିଜିଲାନ୍ସ କମିଶନ (ସିଭିସି)। ତଦନ୍ତ ଚାଲିବା ପର୍ଯ୍ୟନ୍ତ ଏମ୍ ନାଗେଶ୍ୱର ରାଓ ହିଁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ବିଭିନ୍ନ ମାମଲା ପରିଚାଳନା କରିବେ। ଦୁଇ ପ୍ରମୁଖ ଅଧିକାରୀ ପରସ୍ପର ବିରୋଧରେ ଅଭିଯୋଗ କରିଥିବାରୁ ନିରପେକ୍ଷ ତଦନ୍ତ ପାଇଁ ସେମାନଙ୍କୁ ଏବେ ସିବିଆଇଠାରୁ ଦୂରେଇ ରଖାଯାଇଛି।

ତଦନ୍ତ ଶେଷ ହେବା କ୍ଷଣି ସେମାନେ ନିଜ ନିଜ କାର୍ଯ୍ୟରେ ପୁଣି ଯୋଗ ଦେବେ। ତେବେ ଛୁଟିରେ ଥିବା ସତ୍ତ୍ୱେ ସେମାନଙ୍କୁ ସେମାନଙ୍କ ବେତନ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି ସିବିଆଇ ମୁଖପାତ୍ର ସ୍ପଷ୍ଟ କରିଛନ୍ତି। ଏହାଛଡ଼ା ସିବିଆଇ ମୁଖ୍ୟ ଆଲୋକ ବର୍ମା ସୁପ୍ରିମକୋର୍ଟରେ ଯେଉଁ ପିଟିସନ ଦାଖଲ କରିଥିଲେ ସେଥିରେ ସେ ତାଙ୍କ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ଚାଲେଞ୍ଜ କରିଛନ୍ତି।

ଏହି କାର୍ଯ୍ୟାନୁଷ୍ଠାନକୁ ବେଆଇନ ଦର୍ଶାଇବା ସହିତ ଏହା ଉପରେ ରୋକ ଲଗାଇବାକୁ ସେ ଅନୁରୋଧ କରିଛନ୍ତି। ଶୁକ୍ରବାର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ, ଜଷ୍ଟିସ ଏସ୍‌କେ କାଉଲ ଏବଂ ଜଷ୍ଟିସ କେଏମ୍ ଯୋଶେଫଙ୍କୁ ନେଇ ଗଠିତ ଖଣ୍ଡପୀଠରେ ସିବିଆଇ ମାମଲାର ଶୁଣାଣି ହୋଇଛି।

ବିବାଦର ସୂତ୍ରପାତ

ଆଲୋକ ବର୍ମା ସିବିଆଇ ନିର୍ଦ୍ଦେଶକ ଥିଲେ ମଧ୍ୟ ନମ୍ବର-୨ ଅଫିସର ଭାବେ ପରିଗଣିତ ହେଉଥିଲେ ରାକେଶ ଆସ୍ଥାନା। ତାଙ୍କୁ ସିବିଆଇର ସ୍ୱତନ୍ତ୍ର ନିର୍ଦ୍ଦେଶକ ପଦବୀରେ ନିଯୁକ୍ତି ଦେଇଥିଲେ କେନ୍ଦ୍ର ସରକାର। କିଛି ଦିନ ତଳେ ସିବିଆଇର ଏହି ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ବିରୋଧରେ ଲାଞ୍ଚ କାରବାର ଅଭିଯୋଗ ଆସିଥିଲା। ମାଂସ ବ୍ୟବସାୟୀ ମୋଇନ କ୍ୟୁରେସୀଙ୍କ ବିରୋଧରେ ଆସିଥିବା ମନି ଲଣ୍ଡରିଂ ମାମଲାରେ ହାଇଦ୍ରାବାଦର ଜଣେ ବ୍ୟବସାୟୀ ସତୀଶ ସାନା ଫସିଥିଲେ। ସେହି ବ୍ୟବସାୟୀଙ୍କୁ ଏହି ମାମଲାରୁ ରକ୍ଷା କରିବା ପାଇଁ ଲାଞ୍ଚ କାରବାର ହୋଇଥିବା ଅଭିଯୋଗ ହୋଇଥିଲା। ମାମଲାକୁ ରଫାଦାଫା କରିବା ଲାଗି ଆସ୍ଥାନା ଲାଞ୍ଚ ନେଇଥିବା ସିବିଆଇ ପକ୍ଷରୁ ଏତଲା ଦିଆଯାଇଥିଲା।

ମାଂସ ବ୍ୟବସାୟୀ ମୋଇନ କ୍ୟୁରେସି ମାମଲାରେ ଛନ୍ଦି ହୋଇଥିବା ସତୀଶ ସାନା ନାମକ ଜଣେ ବ୍ୟକ୍ତି ମାମଲାରୁ ନିଜ ନାଁକୁ ରଫାଦଫା କରିବା ଲାଗି ସ୍ୱତନ୍ତ୍ର ନିର୍ଦ୍ଦେଶକ ଆସ୍ଥାନାକୁ ୩ କୋଟି ଟଙ୍କା ଲାଞ୍ଚ ଦେଇଥିବା ଅଭିଯୋଗ କରିଥିଲେ। ଏହାପରେ ମଙ୍ଗଳବାର ଦିନ ଆସ୍ଥାନାଙ୍କ ବିରୋଧରେ ମାମଲା ରୁଜୁ ହୋଇଥିଲା।

ଏହାକୁ ନେଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନା ଏକ ପ୍ରକାର ମୁହାଁମୁହିଁ ହୋଇଥିଲେ। କେନ୍ଦ୍ର ସରକାର ସିଭିସିର ସୁପାରିଶ ପରେ ଦୁଇ ଅଧିକାରୀଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ଦେଇଥିଲେ। ଓଡ଼ିଶା କ୍ୟାଡରର ଅଫିସର ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ।

Comment