ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ‘ଓଡ଼ିଶା ଭର୍ଚୁଆଲ ଏକାଡେମୀ’ର ନୂଆ ୱେବ ପୋର୍ଟାଲର ଉଦ୍‌ଘାଟନ କରିଛନ୍ତି।

ଓଡ଼ିଶା ଭାଷା ଭଣ୍ଡାରକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ହୋଇଥିବା ‘ଓଡ଼ିଶା ଭର୍ଚୁଆଲ ଏକାଡେମୀ’କୁ ସମ୍ପୂର୍ଣ୍ଣ ନୂଆ ରୂପ ଦିଆଯାଇଛି। ଏଥିସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ‘ଓଡ଼ିଆ ଭର୍ଚୁଆଲ ଏକାଡେମୀ’ର ନୂତନ ୱେବ ପୋର୍ଟାଲ www.ova.gov.inର ଉଦ୍‌ଘାଟନ କରିଛନ୍ତି। ଓଡ଼ିଶାର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ବଞ୍ଚେଇ ରଖିବା ସହ ଦେଶ ବିଦେଶରେ ରହୁଥିବା ଓଡ଼ିଆଙ୍କ ନିକଟରେ ଓଡ଼ିଆ ଭାଷାକୁ ପହଞ୍ଚାଇବାକୁ ରାଜ୍ୟ ସରକାର ଏଭଳି ଏକ ନୂଆ ପଦକ୍ଷେପ ନେଇଛନ୍ତି।

ପୂର୍ବ ଅପେକ୍ଷା ଏହା ଆହୁରି ଉନ୍ନତମାନର ହେବ। ଏଥିରେ ଓଡ଼ିଆ ଭାଷାପ୍ରେମୀମାନେ ଦୁର୍ଲଭ ଓଡ଼ିଆ ପୁସ୍ତକ, ଅଭିଧାନ, ପ୍ରାଚୀନ ପତ୍ରପତ୍ରିକା, ପୁରାତନ ସଙ୍ଗୀତ, ପ୍ରାଚୀନ ପୋଥି, ବିଶିଷ୍ଟ ବ୍ୟକ୍ତିଙ୍କ ଅଭିଭାଷଣ, ଶ୍ରୀଜଗନ୍ନାଥ ସଂସ୍କୃତି, ମନ୍ଦିର ଓ ସ୍ଥାପତ୍ୟ ଆଦିକୁ ଡିଜିଟାଇଜେଶନ ରୂପରେ ଦେଖି ପାରିବେ।

ଏହାବ୍ୟତୀତ ୧୭୦ ଖଣ୍ଡ କାଳଜୟୀ ଓ ଲୋକପ୍ରିୟ ଓଡ଼ିଆ ପୁସ୍ତକକୁ ଡିଜିଟାଇଜ୍ କରାଯାଇ ଏହି ନୂତନ ପୋର୍ଟାଲରେ ସ୍ଥାନିତ କରାଯାଇଛି। ଯାହାଫଳରେ ପାଠକମାନେ ଇ-ବୁକ୍ ମାଧ୍ୟମରେ ଏହାକୁ ପଢ଼ି ପାରିବେ। ସେଥିପାଇଁ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରାଙ୍କ ଉପସ୍ଥିତିରେ ସି-ଡାକ୍‌, ୟୁଚିକାଗୋ ଏବଂ ସେଣ୍ଟର ଫର୍ ଇଣ୍ଟରନେଟ୍ ସୋସାଇଟି ମଧ୍ୟରେ ବୁଝାମଣା ନତ୍ର ସ୍ୱାକ୍ଷର ହୋଇଛି।

“ଡିଜିଟାଲ ଏବଂ ଇଣ୍ଟରନେଟର ଚାହିଦା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଖାସ୍ ସେଥିପାଇଁ ଏହାକୁ ଆଖି ଆଗରେ ରଖି ଓଡ଼ିଆ ଭାଷା ଓ ସଂସ୍କୃତି ସଂକ୍ରାନ୍ତ ବିଭବକୁ ଡିଜିଟାଲ ରୂପରେ ଉପଲବ୍ଧ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଥିଲା”, କହିଛନ୍ତି ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଚନ୍ଦ୍ର ସାରଥୀ ବେହେରା।

୨୦୧୭ ଏପ୍ରିଲ ୧୪ ତାରିଖରେ ‘ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ’ ପ୍ରସ୍ତୁତ କରାଯାଇ ସେଥିରେ ଓଡ଼ିଆ ଭାଷାରେ ପ୍ରକାଶିତ ବିଭିନ୍ନ ପୁସ୍ତକ, ଓଡ଼ିଶାର ପରମ୍ପରା, ସଂସ୍କୃତି, ପର୍ବପର୍ବାଣି ସମ୍ପର୍କୀତ ସମ୍ପୂର୍ଣ୍ଣ ତଥ୍ୟ ଉପଲବ୍ଧ କରାଯାଇଥିଲା। କିନ୍ତୁ ଏବେ ଓଡ଼ିଆ ଭାଷାର ସହଜ ଓ ସୁଗମ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ଏହି ୱେବ ପୋର୍ଟାଲକୁ ସମ୍ପୂର୍ଣ୍ଣ ନୂଆ ରୂପରେ ପ୍ରସ୍ତୁତ କରାଯାଇଛି। ଯେଉଁଥିରେ ଓଡ଼ିଆ ସାହିତ୍ୟର କିଛି କାଳଜୟୀ ରଚନାକୁ ଇ-ବୁକ୍ ମାଧ୍ୟମରେ ଏଥିରେ ସ୍ଥାନିତ କରାଯାଇଛି।

ଏହାଛଡ଼ା ଅତିବଡ଼ି ଜଗନ୍ନାଥ ଦାସଙ୍କ ଅର୍ଥ କୋଇଲି, ଅଚ୍ୟୁତାନନ୍ଦ ଦାସଙ୍କ ଓଗାଳ ଖଣ୍ଡ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ସୁଭଦ୍ରା ପରିଣୟ, ଯମକରାଜ ଚଉତିଶା, ଲାବଣ୍ୟବତୀ, କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ଲୋକପ୍ରିୟ ପୁସ୍ତକ ମାଟିର ମଣିଷ, ଭଳି ପ୍ରାଚୀନ ଓଡ଼ିଆ ପୋଥି, ପତ୍ରପତ୍ରିକା ଆଦିକୁ ଏଥିରେ ଉପଲବ୍ଧ କରାଯାଇଛି।

Comment