ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ୱ କପ ପାଇଁ ଭୁବନେଶ୍ୱର ପୁଣି ଥରେ ସଜେଇ ହେଉଛି।
ରାଜଧାନୀ ଭୁବନେଶ୍ୱର ପୁଣି ଥରେ ସଜେଇ ହେଉଛି। ହକି ବିଶ୍ୱ କପ ଆଗକୁ ଆସୁଥିବା ବେଳେ ବିଭିନ୍ନ ସ୍ଥାନରେ କାନ୍ଥଗୁଡ଼ିକୁ ନୂଆ ରଙ୍ଗ ଦିଆଯାଉଛି। ଆଉ କିଛି ଦିନ ମଧ୍ୟରେ ପ୍ରାୟ ୪୦ କିମି ପର୍ଯ୍ୟନ୍ତ କାନ୍ଥରେ ନୂଆ ନୂଆ ଛବି ଦେଖିବାକୁ ମିଳିବ।

ଏଥିପାଇଁ ରାଜଧାନୀର ବିଭିନ୍ନ ଆର୍ଟିଷ୍ଟ ଗ୍ରୁପକୁ ଚୟନ କରାଯାଇଛି। ଏହି କଳାକାରମାନେ ଇତିମଧ୍ୟରେ କାମ ବି ଆରମ୍ଭ କରି ସାରିଛନ୍ତି। ଆସନ୍ତା ଡିସେମ୍ବେର ମାସରେ ହେବାକୁ ଥିବା ବିଶ୍ୱକପ ହକି ପୂର୍ବରୁ ଏହି ଛବି ଅଙ୍କା କାମ ଶେଷ ହେବା ଆଶା କରାଯାଉଛି।
ପ୍ରଥମ ପର୍ଯ୍ୟାୟରେ ଗଭର୍ଣ୍ଣର ହାଉସରୁ କଳିଙ୍ଗ ଷ୍ଟାଡିୟମ ପର୍ଯ୍ୟନ୍ତ ଏହି ରଙ୍ଗତୁଳୀ କାମ କରିବାକୁ ନିଷ୍ପତ୍ତି ନିଆଯାଇଛି। କଳିଙ୍ଗ ଷ୍ଟାଡି଼ୟମ, ବିଦ୍ୟୁତ ମାର୍ଗ ଓ ରାଜଭବନ ଯାଏଁ ଯେତେ ସବୁ କାନ୍ଥ ରହିଛି, ତାହାରି ଉପରେ ବିଭିନ୍ନ ବିଷୟକୁ ନେଇ ଶିଳ୍ପୀମାନେ ଛବି ଆଙ୍କୁଛନ୍ତି। ନଭେମ୍ବର ମାସ ମଧ୍ୟ ଭାଗ ସୁଦ୍ଧା ରାଜଧାନୀର ସମଗ୍ର ଅଞ୍ଚଳରେ କାନ୍ଥରେ ଏହି ତୁଳୀ କାମ କରାଯିବ।

“ପୂର୍ବରୁ ଯେଉଁ ସବୁ ଚିତ୍ର ଅଙ୍କା ଯାଇଥିଲା ଏଥର ସେଗୁଡ଼ିକ ସ୍ଥାନ ପାଇବେ ନାହିଁ, ବରଂ ପ୍ରାକୃତିକ ସୌନ୍ଦର୍ଯ୍ୟ ଉପରେ ଧ୍ୟାନ ଦିଆଯିବ”, କହିଛନ୍ତି ଜଣେ ଚିତ୍ରଶିଳ୍ପୀ। ବାଘ, ଅଲିଭ ରିଡ଼ଲେ କଇଁଛ ଆଦି ପଶୁପକ୍ଷୀ ଏଥର କାନ୍ଥରେ ସ୍ଥାନ ଅଳଙ୍କୃତ କରିବେ। ବିଶେଷ କରି ରାଜ୍ୟର ବନ୍ୟଜନ୍ତୁ ଏହି ଚିତ୍ରରେ ସ୍ଥାନ ପାଇବେ।
ସେପ୍ଟେମ୍ବର ମାସରେ ବିଏମସି ପକ୍ଷରୁ ୧୫ ଟି ଗ୍ରୁପ ଓ କିଛି ବ୍ୟକ୍ତିବିଶେଷଙ୍କୁ ଏହି ରଙ୍ଗ କାର୍ଯ୍ୟ ପାଇଁ ଚୟନ କରାଯାଇଥିଲା। ଯେଉଁ ସବୁ ସଂସ୍ଥାକୁ ଏଥିପାଇଁ ସ୍ଥିର କରାଯାଇଛି ତାହା ଭିତରେ ଅଛନ୍ତି ଓଡ଼ିଶା ମଡ଼ର୍ଣ୍ଣ ଆର୍ଟ ଗ୍ୟାଲେରୀ, କୃତିକା, କନକ ଆର୍ଟସ, ବକୁଳ ଫାଉଣ୍ଡେସନ ଓ ସୂତ୍ର ବିଜ୍ଞାପନ ସଂସ୍ଥା।

ବିଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, “ପ୍ରଥମ ଥର ପାଇଁ ସହରର ସୌନ୍ଦର୍ଯ୍ୟକରଣ ପାଇଁ ଏକତ୍ର ଏତେ ସଂସ୍ଥା ଓ ବ୍ୟକ୍ତିବିଶେଷଙ୍କୁ ଚୟନ କରାଯାଇଛି”। ଏହି ସଂସ୍ଥା ଓ ବ୍ୟକ୍ତିଙ୍କ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ତାହା ପର୍ଯ୍ୟଟନ ବିଭାଗଠାରୁ ଅନୁମୋଦନ ଲାଭ କରିଥିବା ଜଣାପଡ଼ିଛି।

ମନେ ପକାଇ ଦିଆ ଯାଇପାରେ ଯେ, ଗତବର୍ଷ ଏସିଆନ ଅଥଲେଟିକ ଚାମ୍ପିଆନ ଖେଳ ସମୟରେ ବି ସହରର ମୁଖ୍ୟ ଛକରେ ଏହିଭଳି ଚିତ୍ରମାନ ଅଙ୍କା ଯାଇଥିଲା। ବିଶେଷକରି ଫ୍ଲାଇଓଭର ତଳେ ନୂଆ ନୂଆ ଚିତ୍ର ସ୍ଥାନ ପାଇଥିଲା। ଏଥର ଯେଉଁସବୁ ବିଷୟକୁ ନେଇ ଚିତ୍ରଶିଳ୍ପୀମାନେ ଚିତ୍ର ଆଙ୍କିବେ, ସେଥିରେ ବନ୍ୟଜନ୍ତୁ ବ୍ୟତୀତ ଓଡ଼ିଶାର ଇତିହାସ ପରମ୍ପରା ଓ ହକି ଖେଳର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ।

















