ଓଡ଼ିଶାଲାଇଭ୍‌ ବ୍ୟୁରୋ

 

୩୪୦ କୋଟି ଟଙ୍କା ମୂଲ୍ୟର ୪ଟି ନିବେଶ ପ୍ରସ୍ତାବକୁ ରାଜ୍ୟ ସରକାର ଗୁରୁବାର ମଞ୍ଜୁରି ଦେଇଛନ୍ତି। ମୁଖ୍ୟ ସାଚନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଥରିଟି ବୈଠକରେ ଏହି ମଞ୍ଜୁରି ପ୍ରଦାନ କରାଯାଇଛି।

ମଞ୍ଜୁରି ଦିଆଯାଇଥିବା ପ୍ରସ୍ତାବଗୁଡ଼ିକ ଧାତବ କ୍ଷେତ୍ରର ଶିଳ୍ପ ସମେତ ଲଜିଷ୍ଟିକ୍ସ ଓ ପର୍ଯ୍ୟଟନ କ୍ଷେତ୍ର ସହ ଜଡ଼ିତ। ଏହି ୪ଟି ପ୍ରକଳ୍ପ କାଯ୍ୟକାରୀ ହେଲେ ୧୩୫୪ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଦିଲ୍ଲୀସ୍ଥିତ ଏକ କମ୍ପାନି ପକ୍ଷରୁ ଯାଜପୁର ଜିଲ୍ଲାର କଳିଙ୍ଗନଗର ଶିଳ୍ପାଞ୍ଚଳରେ ୧୩୦ କୋଟି ଟଙ୍କା ନିବେଶରେ ବାର୍ଷିକ ୧ ଲକ୍ଷ ୮୦ ହଜାର ଟନ କ୍ଷମତା ବିଶିଷ୍ଟ ଏକ ଇସ୍ପାତ ଟ୍ୟୁବ ଓ ପାଇପ କାରଖାନା ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି।

ଏହି କାରଖାନା ୬୦୦ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ।

କଳିଙ୍ଗନଗର ଶିଳ୍ପାଞ୍ଚଳରେ ୯୨ କୋଟି ବ୍ୟୟରେ ଇସ୍ପାତ କବାଟ ଓ ଝରକା ନିର୍ମାଣ କରିବାକୁ ଆସିଥିବା ଅନ୍ୟ ଏକ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଏଥିରେ ୨୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଅନ୍ୟପକ୍ଷରେ ଖୋର୍ଦ୍ଧା ଜିଲ୍ଲାରେ ଲଜିଷ୍ଟିକ ପାର୍କ ନିର୍ମାଣ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଏହି ପାର୍କରେ ଏକ ଗୋଦାମ ଗୃହ ନିର୍ମାଣ କରାଯାଇଛି। ଏହି ଗୋଦାମ ଗୃହର ଛାତ ଉପରେ ୬୦୦ କିଲୋୱାଟର ସୌର ଶକ୍ତି ଉତ୍ପାଦନ ହେବ।

ଏଠାରେ ଏଫଏମସିଜି, ପୋଷାକ, ଦୀର୍ଘସ୍ଥାୟୀ ସାମଗ୍ରୀ, ଔଷଧ ଆଦି ସାମଗ୍ରୀ ମହଜୁଦ ରହିବ। ଏହି ପ୍ରକଳ୍ପରେ ମୋଟ ୬୬ କୋଟି ୭୯ ଲକ୍ଷ ଟଙ୍କା ନିବେଶ ହେବ ଏବଂ ଏଥିରେ ୩୬୨ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ବ୍ରହ୍ମପୁରର ବନ୍ଥପାଲି ଗ୍ରାମରେ ଏକ ରିସର୍ଟ ସ୍ଥାନ ଲାଗି ବ୍ରହ୍ମପୁରଭିତ୍ତିକ କମ୍ପାନି ଦେଇଥିବା ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ୫୦ କୋଟି ୪୮ ଲକ୍ଷ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ହେବ। ଏଥିରେ ୧୪୨ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ।

ଏହି ବୈଠକରେ ଜଙ୍ଗଲ ଓ ପରିବେଶ ବିଭାଗର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଏମଏସଏମଇ ବିଭାଗର ମୁଖ୍ୟ ଶାସନ ସଚିବ ଏଲ ଏନ ଗୁପ୍ତାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

 

 

 

Comment