ଓଡ଼ିଶାଲାଇଭ୍ ବ୍ୟୁରୋ

୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୭ ହାତୀ ମୃତ୍ୟୁ।
ଢେଙ୍କାନାଳ ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା। ସେଠାକାର ସଦର ଥାନା ଅନ୍ତର୍ଗତ କମଲାଙ୍ଗ ଗାଁ ନିକଟରେ ବିଦ୍ୟୁତ ଆଘାତରେ ୭ଟି ହାତୀଙ୍କର ମୃତ୍ୟୁ ଘଟିଛି। ଏପରି ଏକ ଦୁଃଖଦ ଘଟଣା ପଶୁପ୍ରେମୀଙ୍କ ମନରେ ଆଘାତ ଦେଇଛି। ଗୋଟିଏ ପଟେ ଗଜଲକ୍ଷ୍ମୀ ପୂଜା ଚାଲିଥିବା ବେଳେ ଅନ୍ୟପଟେ ହାତୀଙ୍କ ମୃତ୍ୟୁ ସେଠାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଏକ ଘରୋଇ କମ୍ପାନୀର ରେଳ ଲାଇନ୍ କାମ ଚାଲିଥିବା ବେଳେ ସେଠାରେ ଟଣାଯାଇଥିବା ବିଦ୍ୟୁତ ତାରର ଖୁଣ୍ଟ ଚାର୍ଜ ହୋଇଯାଇଥିଲା। ଏହି ୧୧ କେଭି ବିଦ୍ୟୁତ ତାର ଓ ଖୁଣ୍ଟ ସଂସ୍ପର୍ଶରେ ଆସି ଗୋଟିଏ ପରେ ଗୋଟିଏ ଏପରି ୭ଟି ହାତୀଙ୍କ ମୃତ୍ୟୁ ହୋଇଥିଲା। ଶନିବାର ସକାଳେ ଗୋଟିଏ ସ୍ଥାନରେ ୭ଟି ହାତୀ ମରିଥିବା ଖବର ପାଇ ବନବିଭାଗର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳେ ପହଞ୍ଚିଥିଲେ। ଏପର୍ଯ୍ୟନ୍ତ ହାତୀଙ୍କ ମୃତ୍ୟୁ ଶରୀର ନ ଉଠାଯାଇଥିବା ଯୋଗୁଁ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, “କମଳାଙ୍ଗଠାରେ ଏକ ଘରୋଇ କମ୍ପାନୀର ମାଲ ପରିବହନ ପାଇଁ ରେଳ ଟ୍ରାକ୍ କାମ ଚାଲିଛି। ଏଥିପାଇଁ ନିର୍ମାଣ କାର୍ଯ୍ୟ ଦାୟିତ୍ୱ ନେଇଥିବା ଠିକାଦାର ସଂସ୍ଥା ତା’ର ଶ୍ରମିକମାନଙ୍କ ପାଇଁ ବିଦ୍ୟୁତ ତାର ଟଣାଯାଇଛି”।

ତେବେ କୌଣସି କାରଣରୁ ଏହି ବିଦ୍ୟୁତ ତାର ଛିଡ଼ି ଯାଇ ଖୁଣ୍ଟକୁ ଚାର୍ଜ କରି ଦେଇଥିଲା। ଯେଉଁ ସ୍ଥାନରେ ବିଦ୍ୟୁତ ତାର ଟଣାଯାଇଛି, ସେହି ବାଟ ଦେଇ ହାତୀ ଚଳାଚଳ କରନ୍ତି। ତେଣୁ ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ପଲ୍ଲ ଯାଉଥିବା ବେଳେ ୧୧ କେଭି ବିଦ୍ୟୁତ ତାର ଆଘାତରେ ୭ଟି ହାତୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

















