ଓଡ଼ିଶାଲାଇଭ୍ ବ୍ୟୁରୋ
ଚାଷୀ ଆତ୍ମହତ୍ୟାକୁ ନେଇ ପଶ୍ଚିମ ଓଡ଼ିଶା ଏବେ ଉଠୁଛୁ ପଡ଼ୁଛି। ୮ ଦିନରେ ତିନି ଜଣ ଚାଷୀ ଜୀବନ ହାରିଛନ୍ତି।
ଚାଷୀ ଆତ୍ମହତ୍ୟା ଘଟଣା ପୁଣି ଥରେ ଖବର ମଣ୍ଡନ କରିଛି। ଗତ ୮ ଦିନ ଭିତରେ ବିଭିନ୍ନ ଜିଲ୍ଲାରେ ଅନ୍ତତଃ ତିନି ଜଣ ଚାଷୀ ଜୀବନ ଦେଇଛନ୍ତି। କଳାହାଣ୍ଡି ଜିଲ୍ଲାର ଗମ୍ଭାରୀଗୁଡ଼ା ଗ୍ରାମର ପରମାନନ୍ଦ ଲହଜଳ ଋଣ ବୋଝ ଯୋଗୁଁ ଆତ୍ମହତ୍ୟା କରିଥିବା ବେଳେ ସୁନ୍ଦରଗଡ଼ ଜିଲ୍ଲାର ନିଆଳିପାଲି ଗାଁର ପୂର୍ଣ୍ଣଚନ୍ଦ୍ର ସେଠ ବିଷ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ସେହିଭଳି ସମ୍ବଲପୁର ଜିଲ୍ଲାର ପଞ୍ଚଫୁଟ ଗ୍ରାମର ତିରିଶି ବର୍ଷୀୟ ଗୌତମ ସେଠ ମଧ୍ୟ ଜୀବନ ହାରିଛନ୍ତି।
ଏବର୍ଷର ଏହି ତିନୋଟି ଘଟଣା ସାମ୍ନାକୁ ଆସିବା ପରେ ଆଗକୁ ଆହୁରି ଆତ୍ମହତ୍ୟାର ଆଶଙ୍କା ରହିଛି ବୋଲି ଅନୁମାନ କରାଯାଉଛି।
ଏ ସବୁ ଆତ୍ମହତ୍ୟା ପଛରେ ମୁଖ୍ୟ କାରଣ ହେଉଛି ଫସଲ ନଷ୍ଟ, ଋଣ ସୁଝି ନପାରିବା ଓ ପରିବାର ପୋଷିବାର ଦାୟୀତ୍ୱ। କଳାହାଣ୍ଡି ଘଟଣାରେ ଚାଷୀ ଜଣକ ୩୫ ହଜାର ଟଙ୍କା ନିଜ ପତ୍ନୀର ସୁନା ଗହଣା ବନ୍ଧକ ଦେଇ ମହାଜନଠାରୁ ହାତ ଉଧାରି ନେଇଥିଲେ। ଆଶା ରଖିଥିଲେ ଫସଲ ଅମଳ ଶେଷ ହେବା ପରେ ସେହି ଟଙ୍କାରେ ଋଣ ସୁଝିବେ।କିନ୍ତୁ ଅଦିନ ମରୁଡ଼ି ଯୋଗୁଁ ଠିଆ ଫସଲ ନଷ୍ଟ ହେବା ପରେ ସେ ପ୍ରାଣ ହରାଇଛନ୍ତି। ପରମାନନ୍ଦ ଚାରି ଏକର ଜମି ଭାଗଚାଷରେ ନେଇଥିଲେ ଓ ଏଥିରେ ଗାଁର ଆଉ ଦୁଇ ଜଣ ଚାଷୀ ମଧ୍ୟ ଯୋଡ଼ି ହୋଇଥିଲେ।
ସୁନ୍ଦରଗଡ଼ ଆତ୍ମହତ୍ୟା ମଧ୍ୟ ଏକା ଭଳି। ପୂର୍ଣ୍ଣଚନ୍ଦ୍ର ୮ ଏକର ଜମିରେ ଭାଗଚାଷ କରିଥିଲେ। ଏଥିରୁ ୫ ଏକର ଅନ୍ୟ ମାନଙ୍କ ସହ ମିଶି ଚାଷ କରୁଥିଲେ। ବିଭିନ୍ନ ଲୋକଙ୍କ ଠାରୁ ଆଣିଥିବା ଋଣ ସୁଝିବା ସ୍ଥିତିରେ ନଥିବାରୁ ସେ ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଗୌତମ ସେଠ ୧୨ ଏକର ଜମିରେ ଧାନ ଚାଷ କରିଥିବା ବେଳେ ବର୍ଷା ଅଭାବ ଯୋଗୁଁ ଜମିରେ ଫସଲ ହାନିକୁ ହଜମ କରି ନପାରି ଆତ୍ମହତ୍ୟା କରିଛନ୍ତି। ଚାଷ ଜମିରେ ପାଣି ନଥିବାରୁ ଗୌତମ ସମ୍ପୃକ୍ତ ଅଧିକାରୀଙ୍କୁ ଭେଟିଥିଲେ। କିନ୍ତୁ ଏହା ବିଶେଷ ଫଳ ଦେଇନଥିଲା।
“ମୋ ପୁଅ ଉପାୟ ନପାଇ ହତାଶ ହୋଇ ନିଜ ଜୀବନ ହାରିଛି” – କହିଛନ୍ତି ଗୌତମଙ୍କ ବାପା ବାଇସଖୁ।
ଓଡ଼ିଶାରେ ୨୦୧୫ ଓ ୨୦୧୬ରେ ଚାଷୀ ଆତ୍ମହତ୍ୟା ହାର ସମଗ୍ର ଦେଶ ତୁଳନାରେ ସର୍ବାଧିକ ଥିଲା। ୨୦୧୫ରେ ସରକାରୀ ତଥ୍ୟ ଅନୁଯାୟୀ ୫୦ ଜଣ ଚାଷୀ ଆତ୍ମହତ୍ୟା କରିଥିବା ବେଳେ ୨୦୧୬ରେ ଏହା ବଢ଼ି ୧୨୧ରେ ପହଞ୍ଚିଥିଲା। ୨୦୧୭ରେ କେତେ ଚାଷୀ ଆତ୍ମହତ୍ୟା କରିଛନ୍ତି ତାହାର ତଥ୍ୟ ଏ ପର୍ଯ୍ୟନ୍ତ ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋରେ ମିଳୁନାହିଁ ।
ଏମ୍ଏସ୍ପି ଦର ବୃଦ୍ଧି, ଚାଷୀଙ୍କୁ ପେନସନ ଆଦି ଦାବିରେ କୃଷକମାନେ ରାଜରାସ୍ତାକୁ ଓହ୍ଲାଉଛନ୍ତି ଅଥଚ ସେମାନଙ୍କ ଦାବି ରାଜନୀତିର ଆତସବାଜି ଭିତରେ ହଜିଯାଉଛି ବୋଲି କହିଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ଚାଷୀ ନେତା।








ଚାଷୀ ଆତ୍ମହତ୍ୟାକୁ ନେଇ ପଶ୍ଚିମ ଓଡ଼ିଶା ଏବେ ଉଠୁଛୁ ପଡ଼ୁଛି। ୮ ଦିନରେ ତିନି ଜଣ ଚାଷୀ ଜୀବନ ହାରିଛନ୍ତି।









