ଓଡ଼ିଶାଲାଇଭ୍ ବ୍ୟୁରୋ

ମାଲକାନଗିରି ଜିଲ୍ଲା ମାଥିଲି ଥାନା ଅନ୍ତର୍ଗତ ବରୁବେଡ଼ା ଗ୍ରାମର ଅନନ୍ତରାମ ଭୂମିଆଙ୍କ ହତ୍ୟା ମାମଲାରେ ପୋଲିସ ୫ ଜଣ ମାଓବାଦୀଙ୍କୁ ଗିରଫ କରିଛି। ଗତ ୨୩ ତାରିଖ ବିଳମ୍ବିତ ରାତିରେ ଘରେ ଶୋଇଥିବା ବେଳେ ଅନନ୍ତରାମଙ୍କୁ ଉଠାଇ ଯାତ୍ରା ଦେଖିବାକୁ ଡାକି ନେଇଥିଲେ ଦୁଇ ଜଣ ବ୍ୟକ୍ତି।

ତାଙ୍କୁ ଜଙ୍ଗଲରେ ମାଓବାଦୀଙ୍କ ନିକଟକୁ ନେଇ ସେଠାରେ ଏକ ପ୍ରଜାକୋର୍ଟ ଆୟୋଜନ କରି ଅନନ୍ତରାମକୁ ହତ୍ୟା କରାଯାଇଥିଲା। ପୋଲିସ ଇନ୍‌ଫୋର୍ମର କହି ମାଓବାଦୀମାନେ ତାଙ୍କୁ ହତ୍ୟା କରିଥିଲେ। ଟାଙ୍ଗିଆ ଓ ଛୁରି ବ୍ୟବହାର କରି ହତ୍ୟା କରାଯାଇଥିଲା ବୋଲି ପୋଲିସ ସୂଚନା ଦେଇଛି।

ଏହି ଘଟଣା ପରେ ପୋଲିସ ତଦନ୍ତ କରି ହତ୍ୟା ଘଟଣାରେ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ତଲାସି କରିବାରେ ଲାଗି ପଡ଼ିଥିଲା। ଶେଷରେ ମାଓ ସଂଗଠନ ସହ ଜଡ଼ିତ ୫ ଜଣ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ପାଇଛି ମାଥିଲି ପୋଲିସ।

ତୁଳସୀ ପାହାଡ଼ରେ ସର୍ଚିଂ କରିବା ସମୟରେ ପୋଲିସ ଏମାନଙ୍କୁ ଗିରଫ କରିଥିଲା। ତେବେ ଏପର୍ଯ୍ୟନ୍ତ ଏମାନଙ୍କ ନାମ ପ୍ରକାଶ କରା ଯାଇନାହିଁ। ଗିରଫ ପରେ ମାଥିଲି ଥାନାରେ କେସ ନମ୍ବର ୧୦୯ରେ ଏକ ମକଦ୍ଦମା ରୁଜୁ ହୋଇଛି।

ଗିରଫ ବ୍ୟକ୍ତିମାନଙ୍କ ବିରୋଧରେ ଦଫା ୧୪୭, ୧୪୮, ୧୨୦(ବି), ୧୨୧, ୧୨୧(ଏ), ୩୦୨, ୧୪୯ ଏବଂ ଆର୍ମସ ଧାରାରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ମାଲକାନଗିରି ଏସ.ପି. ଜଗମୋହନ ମିନା ସୂଚନା ଦେଇଛନ୍ତି।

Comment