ଓଡ଼ିଶାଲାଇଭ୍ ବ୍ୟୁରୋ

ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲାରେ ଲହୁଣିପଡ଼ା ପୋଲିସ ୪ ଜଣଙ୍କୁ ଗିରଫ କରିଛି।

ପୁଣି ଜଣେ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅନ୍ତର୍ଗତ ଲହୁଣିପଡ଼ାର ଜଣେ କର୍ମଜୀବୀ ନାବାଳିକାଙ୍କୁ ଘରେ ଛାଡ଼ି ଦେବାକୁ କହି ୪ ଜଣ ଯୁବକ ସାଙ୍ଗରେ ଡାକି ନେଇ ବିଲ ମଝିରେ ଗଣଦୁଷ୍କର୍ମ କରିଥିଲେ।

ଏ ନେଇ ଯୁବତୀଙ୍କ ପରିବାର ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରି ୪ ଜଣ ଯୁବକଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି। ଯୁବତୀଙ୍କୁ ଯେଉଁ ବାଇକ ଯୋଗେ ଅପହରଣ କରାଯାଇଥିଲା, ସେହି ବାଇକଟିକୁ ମଧ୍ୟ ପୋଲିସ ଜବତ କରିଛି।

ପୋଲିସଙ୍କ କହିବାନୁସାରେ, ସୁନ୍ଦରଗଡ଼ ଜିଲ୍ଲା ଲହୁଣିପଡ଼ା ବଜାରରେ ଥିବା ଏକ ଗାରମେଣ୍ଟ ଶୋ’ ରୁମ୍‌ରେ ଏହି ୧୭ ବର୍ଷୀୟା ନାବାଳିକା କାର୍ଯ୍ୟ କରନ୍ତି। ଗତ ୨୭ ତାରିଖ ସନ୍ଧ୍ୟାବେଳେ ନାବାଳିକା ଜଣକ ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ତାଙ୍କ ସହିତ ପୂର୍ବରୁ ପରିଚିତ ଥିବା ଲହୁଣିପଡ଼ା ବଜାରର ଜଣେ ଯୁବକ ତାଙ୍କୁ ବାଇକରେ ଘରେ ଛାଡ଼ିଦେବ ବୋଲି ଡାକିଥିଲା।

ଏହାପରେ ନାବାଳିକା ଜଣକ ଯୁବକଙ୍କ ସହ ବାଇକରେ ବସି ଘରକୁ ଯିବାକୁ ବାହାରିଥିଲେ। ମାତ୍ର ଯୁବକଙ୍କ ସହିତ ଅନ୍ୟ ୩ ଜଣ ମଧ୍ୟ ସାମିଲ ହୋଇ ନାବାଳିକାଙ୍କୁ ବଜାରଠାରୁ ଦୂରରେ ଥିବା ଏକ ଚାଷ ଜମିକୁ ନେଇ ସେଠାରେ ଗଣଦୁଷ୍କର୍ମ କରିଥିଲେ।

ଏହାଛଡ଼ା ଏ ବିଷୟରେ କହିଲେ ଜୀବନରୁ ମାରି ଦେବାର ଧମକ ଦେଇ ସେହି ବିଲରେ ଛାଡ଼ି ଦେଇ ଯୁବକମାନେ ଫେରାର ହୋଇ ଯାଇଥିଲେ। ଘରକୁ ଫେରି ଯୁବତୀଜଣକ ଏ ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ ଲହୁଣିପଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ପୋଲିସ ୪ ଜଣ ଯୁବକଙ୍କୁ ଗିରଫ କରିଛି। ଏହି ୪ ଜଣ ଅଭିଯୁକ୍ତ ଲହୁଣିପଡ଼ା ବସ୍ତିର ବାସିନ୍ଦା ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।

Comment