ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଗୋପାଳପୁର ଜଙ୍ଗଲରେ ହାତୀପଲ ବିଶୃଙ୍ଖଳା ମଚାଇଛନ୍ତି। ଏହି ହାତୀପଲ ଝାଡ଼ଖଣ୍ଡରୁ ଆସିଥିବା ସୂଚନା ମିଳିଛି। ଏମାନଙ୍କ ମଧ୍ୟରେ ୨ଟି ଶାବକ ସମେତ ୩୨ଟି ହାତୀ ଅଛନ୍ତି।
ମଙ୍ଗଳବାର ଭୋରରୁ ଏହି ହାତୀମାନେ ନୀଳଗିରି ଅଞ୍ଚଳରେ ବୁଲୁଥିବା ଦେଖିବାକୁ ମିଳିଛି। ଏବେ ଭଉଁରିଆବାଡ଼ ପଞ୍ଚାୟତ ପାଖରେ ହାତୀପଲ ରହିଛନ୍ତି। ଯାହାକୁ ନେଇ ସ୍ଥାନୀୟ ଲୋକେ ଭୟଭୀତ ହେବାସହ ଆତଙ୍କର ବାତାବରଣ ଲାଗି ରହିଛି।
ସ୍ଥାନୀୟ ଲୋକଙ୍କ କହିବାନୁସାରେ, ହାତୀପଲ ସ୍ଥାନୀୟ ଅଞ୍ଚଳରେ ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି। ଝାଡ଼ଖଣ୍ଡ ଦଲମା ଜଙ୍ଗଲରୁ ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ହାତୀପଲ ଗୋପାଳପୁର ସଂରକ୍ଷିତ ଜଙ୍ଗଲ ନିକଟରେ ପହଞ୍ଚିଛନ୍ତି।
ବନ ବିଭାଗ କର୍ତ୍ତୃପକ୍ଷଙ୍କ କହିବାନୁସାରେ, ପୂର୍ବରୁ ଆମେ ଲୋକଙ୍କୁ ସଚେତନ କରାଇବା ସହ ହାତୀଙ୍କ ଗତିବିଧି ଉପରେ ନଜର ରଖିଛୁ।

















