ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେଡି ଲିଗାଲ ଫ୍ରଣ୍ଟର ଓକିଲମାନେ କାର୍ଯ୍ୟରେ ଯୋଗ ଦେବାକୁ ଯେଉଁ ନିଷ୍ପତ୍ତି ନେଇଥିଲେ ତାହା କେନ୍ଦ୍ରାପଡ଼ା ଜିଲ୍ଲାରେ କାର୍ଯ୍ୟକାରୀ ହେବନି। ଏନେଇ ମଙ୍ଗଳବାର ଦିନ କେନ୍ଦ୍ରାପଡ଼ା ଜିଲ୍ଲା ବାର ଆସୋସିଏସନ ବୈଠକରେ ନିଷ୍ପତ୍ତି ହୋଇଛି। ଓଡ଼ିଶା ହାଇକୋର୍ଟ ବାର୍ ଆସୋସିଏସନର ନିଷ୍ପତ୍ତିକୁ ମାନିବାକୁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଛି।
କଟକରେ ଜଣେ ଓକିଲଙ୍କୁ ପୋଲିସ ମାଡ଼ ମାରିବା ଘଟଣାରେ ଗତ ଅଗଷ୍ଟ ୨୯ ତାରିଖରୁ ଜାରି ରହିଥିବା କାର୍ଯ୍ୟବନ୍ଦ ଆନ୍ଦୋଳନକୁ ଚାଲୁ ରଖିବା ପାଇଁ କେନ୍ଦ୍ରପଡ଼ା ଜିଲ୍ଲା ବାର ଆସୋସିଏସନ ସ୍ଥିର କରିଛି।
ଯେତେବେଳେ ବିଜେଡି ଲିଗାଲ ଫ୍ରଣ୍ଟ ଓକିଲମାନେ କାର୍ଯ୍ୟରେ ଯୋଗ ଦେବାକୁ ଚର୍ଚ୍ଚା ଆରମ୍ଭ ହେଲା ସେତେବେଳେ କେନ୍ଦ୍ରାପଡ଼ା ଜିଲ୍ଲା ବିଜେଡି ଲିଗାଲ ଫ୍ରଣ୍ଟ ଜିଲା ବାରଆସୋସିଏସନର ଏକ ବୈଠକ ଡାକିବା ପାଇଁ ପ୍ରସ୍ତାବ ଦେଇଥିଲେ।
କେନ୍ଦ୍ରାପଡ଼ା ଜିଲ୍ଲା ବାର ଆସୋସିଏସନର ସଭାପତି ଦେବଦାସ ମହାନ୍ତି ଏପରି ଏକ ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବାକୁ ଆଜି ଏକ ବୈଠକ ଡାକିଥିଲେ।
ଏହି ବୈଠକରେ ସର୍ବସମ୍ମତି କ୍ରମେ ଓଡ଼ିଶା ହାଇକୋର୍ଟର ଆନ୍ଦୋଳନ ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତାବ ଗୃହିତ ହୋଇଛି ବୋଲି ସଭାପତି ଦେବଦାସ ମହାନ୍ତି ସୂଚନା ଦେଇଛନ୍ତି।















