ଓଡ଼ିଶାଲାଇଭ୍ ବ୍ୟୁରୋ

ଶେରଗଡ଼ ଥାନା ପୋଲିସଙ୍କ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଜିତୁ ସାହୁ ଗୁରୁତର।

ଗଞ୍ଜାମରେ ପୁଣିଥରେ ପୋଲିସ ଏନକାଉଣ୍ଟର କରିଛି। ଏହି ଏନକାଉଣ୍ଟର ହିଞ୍ଜିଳି – ଶେରଗଡ଼ ରାସ୍ତାର ଡେଙ୍ଗାପଦର ଛକ ନିକଟରେ ହୋଇଛି। ଏହି ଏନକାଉଣ୍ଟରରେ ଗୁରୁତର ଭାବେ ଆହତ ହୋଇଛନ୍ତି ଜିତୁ ସାହୁ ଓରଫ ବାଦଲ।

ପୂର୍ବରୁ ଜିତୁ ବିଭିନ୍ନ ହତ୍ୟା ଓ ଡକାୟତିରେ ସମ୍ପୃକ୍ତ ଥିବା ପୋଲିସ କହିଛି। ଜିତୁର ଡାହାଣ ଗୋଡ଼ରେ ଗୁଳି ବାଜିଥିବାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଏମକେସିଜି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି।

ପୋଲିସଙ୍କ କହିବାନୁସାରେ, ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଗାଙ୍ଗପୁର ଅଞ୍ଚଳର ବରପୋଲି ଗାଁରେ ଜିତୁ ସ୍ୱାଇଁ ବିଭିନ୍ନ ଅପରାଧିକ ମାମଲାରେ ସମ୍ପୃକ୍ତ। ଜିତୁ ଆସ୍କା ଥାନା ବୁଢ଼ା ବିଶୋଇଙ୍କ ହତ୍ୟା ଏବଂ ଗାଙ୍ଗପୁର ଥାନା ସନ୍ତୋଷ ବିଶ୍ୱାଳଙ୍କ ହତ୍ୟା ମାମଲାରେ ମଧ୍ୟ ସମ୍ପୃକ୍ତ ଅଛନ୍ତି।

ଏହାଛଡ଼ା ନିକଟରେ ଶେରଗଡ଼ ବ୍ଲକ ଗୋଠ ଗାଁରେ ହୋଇଥିବା ହତ୍ୟା ମାମଲାରେ ମଧ୍ୟ ଜିତୁ ସମ୍ପୃକ୍ତ। ତେବେ ଗତକାଲି ବିଳମ୍ବିତ ରାତିରେ ଜିତୁ ନିଜ ବାଇକରେ ଦୃତ ଗତିରେ ଯାଉଥିବା ବେଳେ ପେଟ୍ରୋଲିଂ କରୁଥିବା ଶେରଗଡ଼ ଥାନା ପୋଲିସ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ।

ମାତ୍ର ଜିତୁ ନିଜ ପାଖରେ ଥିବା ମାଉଜରରୁ ପୋଲିସ ଉପରକୁ ଗୁଳି ଚଳାଇ ଖସିଯିବାକୁ ଉଦ୍ୟମ କରିଥିଲା। ହେଲେ ପୋଲିସ, ଜିତୁ ଉପରକୁ ପାଲଟା ଗୁଳି ଚଳାଇଥିଲା ଓ ଗୋଟିଏ ଗୁଳି ଜିତୁର ଡାହାଣ ଗୋଡ଼ରେ ବାଜି ଥିଲା। ଯାହାଫଳରେ ଜିତୁ ପଡ଼ିଯିବାରୁ ପୋଲିସ ତାକୁ କାବୁ କରି ନେଇଥିଲା।

ଜିତୁ ଠାରୁ ପୋଲିସ ଗୋଟିଏ ମାଉଜର ରିଭଲଭର, ଗୋଟିଏ ବାଇକ ଓ ମୋବାଇଲ ଫୋନ ଆଦି ଜବତ କରିଛି। ଜିତୁ ନାମରେ ହିଞ୍ଜିଳି, ଶେରଗଡ଼ ସମେତ ଭୁବନେଶ୍ୱର, ଖାରବେଳନଗର, ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅଞ୍ଚଳରେ ପାଖାପାଖି ୧୫ରୁ ଅଧିକ ଅପରାଧିକ ମାମଲା ଥିବା ଜଣାଯାଇଛି।

Comment