କେନ୍ଦ୍ରାପଡାରୁ ନାରାୟଣ ସାହାଣୀ

ନଭେମ୍ବର ପହିଲାରୁ ୨୦୧୯ ମେ ୩୧ ତାରିଖ ପର୍ଯ୍ୟନ୍ତ ଅଲିଭ୍ରିଡଙ୍କ ସୁରକ୍ଷା ପାଇଁ ମାଛ ଧରିବା ଉପରେ ଲାଗିଲା କଟକଣା।
ନଭେମ୍ବର ୧ ତାରିଖ ଠାରୁ ମେ ୩୧ ତାରିଖ ୨୦୧୯ ପର୍ଯ୍ୟନ୍ତ ସମୁଦ୍ର କୂଳଠାରୁ ୨୦ କିଲୋମିଟର ମଧ୍ୟକୁ ମାଛ ଧରିବାକୁ କଟକଣା ଜାରି କରିଛନ୍ତି ସାମୁଦ୍ରିକ ମତ୍ସ୍ୟବିଭାଗ। ଏହି କଟକଣା ମହାନଦୀ ମୁହାଣଠାରୁ ଋଷିକୂଲ୍ୟା ମୁହାଣ ଯାଏଁ ୬୮ କିଲୋମିଟର ବ୍ୟାପ୍ତ ହୋଇଛି।
ଗୁରୁବାରଠାରୁ ଗଭୀର ସମୁଦ୍ର ମଧ୍ୟରୁ ବିରଳ ଅଲିଭ୍ରିଡଲେ ସାମୁଦ୍ରିକ କଇଁଛମାନେ ଏହି ସମୁଦ୍ର ଉପକୂଳରେ ପହଞ୍ଚିବା ଆରମ୍ଭ କରିଥାନ୍ତି। ଏହି ସମୁଦ୍ର ଉପକୂଳର ମହାନଦୀ ମୁହାଣର ଗହିରମଥା ଅଲିଭ୍ରିଡଲେ କଇଁଛମାନଙ୍କ ଅନ୍ତୁଡ଼ିଶାଳ ଭାବରେ ପରିଚିତ ହୋଇ ଥିବାବେଳେ ଋଷିକୂଲ୍ୟା ନଦୀ ମୁହାଣରେ ବହୁବର୍ଷ ହେଲା ଏହି କଇଁଛମାନେ ଅଣ୍ଡା ଦେଇ ଆସୁଛନ୍ତି।

ରାଜନଗର ବନଖଣ୍ଡ ବିଭାଗର ଗହିରମଥା ସାମୁଦ୍ରିକ ଅଭୟାରଣ୍ୟରେ ବର୍ଷର ସବୁ ସମୟରେ ମାଛ ଧରିବାକୁ କଟକଣା ରହିଥିବା ବେଳେ ଦେବୀ ଓ ଋଷିକୂଲ୍ୟା ନଦୀ ମୁହାଣ ଅଞ୍ଚଳରେ ଗୁରୁବାରଠାରୁ କଟକଣା ଜାରି ହୋଇଛି। ଏହି କଟକଣା ସମୟରେ ବଡ଼ ବଡ଼ ବୋଟ ଓ ଟ୍ରଲରମାନେ ଏହି ନିଷିଦ୍ଧାଞ୍ଚଳ ମଧ୍ୟରେ ପ୍ରବେଶ କଲେ ବନବିଭାଗ, କୋଷ୍ଟ ଗାର୍ଡ ଓ ମତ୍ସ୍ୟ ବିଭାଗ ହାତରେ ଧରା ପଡ଼ି ଦଣ୍ଡିତ ହେବେ ବୋଲି କୁହାଯାଇଛି।
ନିଷିଦ୍ଧାଞ୍ଚଳ ମଧ୍ୟରେ ମାଛ ଧରୁଥିବା ବୋଟ ଓ ଟ୍ରଲରମାନେ କୋଷ୍ଟ ଗାର୍ଡ ହାତରେ ଧରା ପଡ଼ିଲେ କୋଷ୍ଟ ଗାର୍ଡ ବନ ବିଭାଗକୁ ସେଗୁଡ଼ିକୁ ହସ୍ତାନ୍ତର କରନ୍ତି। ବନବିଭାଗ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥାନ୍ତି। ସେହିଭଳି ବନବିଭାଗ ହାତରେ ଧରା ପଡ଼ୁଥିବା ଟ୍ରଲର ଓ ବୋଟମାନେ ଗିରଫ ହେବା ସହିତ ବୋଟ ଓ ଟ୍ରଲରକୁ ଜବତ କରାଯାଇଥାଏ।
ବେଆଇନ ଭାବରେ ମାଛ ଧରୁଥିବା ଟ୍ରଲର ଓ ବୋଟ ଯଦି ସାମୁଦ୍ରିକ ମତ୍ସ୍ୟବିଭାଗ ହାତରେ ଧରାପଡ଼ନ୍ତି, ତେବେ ମତ୍ସ୍ୟବିଭାଗ ଅଭିଯୁକ୍ତ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରିବାର ଆଇନ ନଥିବାରୁ, ସେମାନେ କେତେ ମାତ୍ର ଟଙ୍କାର ଜରିମାନା ଦେଇ ଖସିଯା’ନ୍ତି।

ଅଲିଭ୍ରିଡଲେ କଇଁଛ ବିଶେଷଜ୍ଞମାନଙ୍କ ତଥ୍ୟ ଅନୁସାରେ, ପ୍ରତିବର୍ଷର ନଭେମ୍ବର ୧ ତାରିଖରୁ ଏହି କଇଁଛମାନେ ଗଭୀର ସମୁଦ୍ର ମଧ୍ୟରୁ ଶହ ଶହ କିଲୋମିଟର ବାଟ ଅତିକ୍ରମ କରି ସମୁଦ୍ରର ଏହି ଉପକୂଳରେ ପହଞ୍ଚିଥାନ୍ତି। ତେଣୁ ଏହି ସମୟଠାରୁ ଏହି ଉପକୂଳର ସୁରକ୍ଷାକୁ ଅଧିକ ବଢ଼େଇ ଦିଆଯାଇଥାଏ।
ମହାନଦୀ ମୁହାଣ ନିକଟରେ ଥିବା ପର୍ଯ୍ୟାପ୍ତ ପରିମାଣର ସାମୁଦ୍ରିକ ଜଙ୍ଗଲମାନଙ୍କରୁ ସମୁଦ୍ର ଜୁଆରର ସ୍ରୋତରେ ଭାସି ଆସୁଥିବା ପଚା ପତ୍ର, ଫଳ ଓ ଡାଳରେ ସୃଷ୍ଟି ହେଉଥିବା ଶିଉଳିକୁ ଖାଇବାକୁ ସାମୁଦ୍ରିକ ମାଛ ଓ କଙ୍କଡ଼ାମାନଙ୍କର ମେଳି ହୋଇଥାଏ। ବନବିଭାଗ, ସାମୁଦ୍ରିକ ମତ୍ସ୍ୟବିଭାଗ ଓ କୋଷ୍ଟ ଗାର୍ଡମାନଙ୍କର ସୁରକ୍ଷା ପାଇଁ ଏଠାରେ ପ୍ରଚୁର ପରିମାଣର ମାଛ, କଙ୍କଡ଼ା, ଜେଲିମାଛ ରହିବାକୁ ସୁଯୋଗ ପାଇଥାନ୍ତି।

ଯାହା ଅଲିଭ୍ରିଡଲେ କଇଁଛମାନଙ୍କ ପାଇଁ ପର୍ଯ୍ୟାପ୍ତ ଖାଦ୍ୟର ସୁଯୋଗ ସୃଷ୍ଟି କରିଥାଏ। ତେଣୁ ଅଲିଭ୍ରିଡଲେ କଇଁଛମାନେ ଏହି ଅଞ୍ଚଳକୁ ବିଶେଷ ଭାବରେ ପସନ୍ଦ କରିଥାନ୍ତି। ଏହାଛଡ଼ା ଗହିରମଥା ସାମୁଦ୍ରିକ ବାଲୁକା ରାଶିର ଗଠନ ଅନନ୍ୟ। ଦାନାଯୁକ୍ତ ଏହି ବାଲିରେ ପାଣି ଗ୍ରହଣ ଶକ୍ତି କମ୍ ଥାଏ। ଯେଉଁଥିରେ ଅଲିଭ୍ରିଡଲେ କଇଁଛମାନେ ଅଣ୍ଡା ଦେବାକୁ ନିରାପଦ ମନେ କରିଥାନ୍ତି।
ଉଭୟ ପର୍ଯ୍ୟାପ୍ତ ଖାଦ୍ୟ, ତନ୍ତ୍ର ବାଲୁକା ରାଶି ଓ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଅଲିଭ୍ରିଡମାନଙ୍କୁ ଯୋଜନା ଦୂରରୁ ଆକୃଷ୍ଟ କରି ଆଣିଥାଏ। ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ମଧ୍ୟରେ ବର୍ଷ ସାରା କଟକଣା ରହିଛି। ଗତ ୨୦୧୭-୨୦୧୮ ଆର୍ଥିକ ବର୍ଷରେ ବନବିଭାଗ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟର ନିଷିଦ୍ଧାଞ୍ଚଳ ମଧ୍ୟରେ ବେଆଇନ ମାଛ ଧରିବା ଅଭିଯୋଗରେ ୫୭ଟି ଟ୍ରଲର ଓ ବୋଟଗୁଡ଼ିକୁ ଜବତ କରିଥିବା ବେଳେ ୪୫୦ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ସେମାନଙ୍କ ନିକଟରୁ ୨୦ ଲକ୍ଷ ୨୮ ହଜାର ଟଙ୍କାର ମାଛ ଜବତ ହୋଇଛି। ହେଲେ ବନ ବିଭାଗର ଏହି କୋହଳ କଟକଣା ଉପରେ ଆପତ୍ତି ଉଠାଇଛନ୍ତି ପରିବେଶବିତ୍ମାନେ। ବିଶିଷ୍ଟ ପରିବେଶବିତ୍ ହେମନ୍ତ ରାଉତଙ୍କ କହିବାନୁସାରେ, ବନବିଭାଗର ଦୁର୍ବଳ କଟକଣା ବ୍ୟବସ୍ଥା ଯୋଗୁଁ ନିଷିଦ୍ଧାଞ୍ଚଳ ମଧ୍ୟରେ ବହୁ ଟ୍ରଲର ଓ ବୋଟମାନେ ମାଛ ଧରିଥାନ୍ତି।

ଫଳରେ ଟ୍ରଲର ଓ ବୋଟମାନଙ୍କର ପ୍ରୋପେଲର ବାଜି ବହୁ ନିରୀହ କଇଁଛମାନଙ୍କର ମୃତ୍ୟୁ ଘଟେ। ଯାହାର ସଠିକ ସଂଖ୍ୟା ବନବିଭାଗ ପ୍ରକାଶ କରନ୍ତି ନାହିଁ। ସୁରକ୍ଷା ଦାୟିତ୍ୱରେ ରହିଥିବା କେତେକ ଅସାଧୁ ବନ କର୍ମଚାରୀମାନଙ୍କ ସହିତ ଟ୍ରଲର ମାଫିଆମାନେ ଗୁପ୍ତ ସଂଯୋଗ ରଖିଥାନ୍ତି। ପ୍ରଚୁର ଅର୍ଥ କାରବାର କରି ଏହି ଟ୍ରଲର ମାଫିଆମାନେ ବନବିଭାଗ କର୍ମଚାରୀମାନଙ୍କୁ କାବୁ କରି ନେଇଥାନ୍ତି।
ସମୁଦ୍ର ମଧ୍ୟକୁ ବନବିଭାଗର ସୁରକ୍ଷା ଟ୍ରଲର ପହଞ୍ଚିବା ଆଗରୁ ନିଷିଦ୍ଧାଞ୍ଚଳରେ ମାଛ ଧରୁଥିବା ଟ୍ରଲରମାନଙ୍କ ନିକଟରେ ଖବର ପହଞ୍ଚି ଯାଇଥାଏ। ସେତେବେଳେ ସେମାନେ ନିଷିଦ୍ଧାଞ୍ଚଳ ମଧ୍ୟରୁ ବାହାରି ଯାଇଥାନ୍ତି। ଯେଉଁ ଟ୍ରଲର କିମ୍ବା ବୋଟମାନେ ସେମାନଙ୍କ ପଞ୍ଝାରେ ନପଡ଼ନ୍ତି ସେମାନେ ନିଷିଦ୍ଧାଞ୍ଚଳ ବାହାରେ ରହିଥିଲେ ମଧ୍ୟ ସେମାନଙ୍କୁ ବନବିଭାଗ ଧରିଆଣି ମାମଲାରେ ଛନ୍ଦି ଦେଇଥାଏ ବୋଲି ଅଭିଯୋଗ କରିଛନ୍ତି ମହାକାଳପଡ଼ା ଅଞ୍ଚଳର ଟ୍ରଲର ଡ୍ରାଇଭର ଅଶୋକ ଡିଣ୍ଡା।
କଇଁଛ ସୁରକ୍ଷା ପାଇଁ ବନବିଭାଗ ପକ୍ଷରୁ କରାଯାଇଥିବା କଟକଣା ଯୋଗୁଁ ଗତବର୍ଷ ଏହି ସମୁଦ୍ର ଉପକୂଳରେ ୭୮୮ଟି ମୃତ କଇଁଛ ଦେଖିବାକୁ ମିଳିଥିଲା, ଯାହା ଓଡ଼ିଶାର ଅନ୍ୟାନ୍ୟ ସ୍ଥାନରେ ମିଶି ମୋଟ ୩୭୨୮ଟି ଥିଲା। କେନ୍ଦ୍ରପଡ଼ା ଜିଲ୍ଲା ରାଜନଗର ବନଖଣ୍ଡ ବିଭାଗର ତୀକ୍ଷ୍ଣ କଟକଣା ଯୋଗୁଁ ଗତବର୍ଷ ଗହିରମଥା ସମୁଦ୍ର ବାଲିରେ ୬ ଲକ୍ଷ ୬୫ ହଜାର ଅଲିଭ୍ରିଡଲେ କଇଁଛ ଅଣ୍ଡା ଦେଇଥିଲେ।

ବର୍ଷସାରା ଏହି ସୁରକ୍ଷା ପାଇଁ ସମୁଦ୍ର ଉପକୂଳରେ ୧୪ଟି କ୍ୟାମ୍ପ କରାଯାଇ ଥିବାବେଳେ ସମୁଦ୍ର ମଧ୍ୟରେ ଅଗରନାସୀ ଓ ବାବୁବାଲି ଦ୍ୱୀପରେ ସୁରକ୍ଷା କ୍ୟାମ୍ପ ରହିଛି। କଇଁଛ ସୁରକ୍ଷାରେ ୨ଟି ଟ୍ରଲର ଓ ୨ଟି ସ୍ପିଡବୋଟ ନିୟୋଜିତ କରାଯାଇଛି। ଏହି ସୁରକ୍ଷା ବ୍ୟବସ୍ଥାରେ ୫ଜଣ ବନ କର୍ମଚାରୀ ରହିଥିବା ବେଳେ ୨୭ଜଣ ଅସ୍ଥାୟୀ କର୍ମଚାରୀମାନଙ୍କୁ ତାଲିମ ଦିଆଯାଇ ନିୟୋଜିତ କରାଯାଇଛି।
ଏହାଛଡ଼ା ୧୦ଜଣ ସଶସ୍ତ୍ର ପୋଲିସ ମଧ୍ୟ ଏହି ସୁରକ୍ଷା ଦାୟିତ୍ୱରେ ରହିଥିବା ରାଜନଗର ବନଖଣ୍ଡ ଡିଏଫ୍ଓ ବିମିଳ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି।

















