ଓଡ଼ିଶାଲାଇଭ୍ ବ୍ୟୁରୋ
ଓକିଲ ଆନ୍ଦୋଳନ ଭଣ୍ଡୁର କରିବା ଉଦ୍ୟମ ଅଭିଯୋଗରେ ୩ ଜଣ ଆଇନଜୀବୀଙ୍କୁ ହାଇକୋର୍ଟ ବାର୍ ସାଧାରଣ ପରିଷଦରୁ ବହିଷ୍କୃତ କରାଯାଇଛି। ସେମାନେ ହେଲେ ବିଜେଡି ଲିଗାଲ ଫ୍ରଣ୍ଟ ଆବାହକ ମିଲନ କାନୁନଗୋ, ଉପଦେଷ୍ଟା ଅସୀମ ଅମିତାଭ ଦାଶ ଏବଂ ହାଇକୋର୍ଟ ବାର୍ର ପୂର୍ବତନ ଉପ-ସଭାପତି ବଂଶୀଧର ଶତପଥୀ।
ଏହାସହ ଆଇନଜୀବୀ ଟହଲ ଚରଣ ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବା ହାଇକୋର୍ଟ ବାର୍ ଆସୋସିଏସନର ସାଧାରଣ ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି।
ହାଇକୋର୍ଟ ଆଇନଜୀବୀଙ୍କୁ ଜଣେ ପୋଲିସ ମାଡ଼ ମାରିବା ପ୍ରତିବାଦରେ ଗତ ଦୁଇ ମାସ ହେଲା ରାଜ୍ୟବ୍ୟାପି ଆନ୍ଦୋଳନ ଚାଲିଛି। ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ କରିଛନ୍ତି। କିନ୍ତୁ ନିକଟରେ ବିଜେଡି ଲିଗାଲ ଫ୍ରଣ୍ଟ ଆନ୍ଦୋଳନରୁ ଓହରି ଯାଇ କାର୍ଯ୍ୟରେ ଯୋଗଦେବାକୁ କୋର୍ଟ ଭିତରେ ପ୍ରବେଶ କରିଥିଲା। ଫଳରେ ଦୁଇ ଓକିଲ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।
ଓକିଲମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲୁ ରଖିବେ କି ନାହିଁ ସେନେଇ ଶୁକ୍ରବାର ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକ ବସିଥିଲା। ବୈଠକରେ ୯ ତାରିଖ ଯାଏଁ ଆନ୍ଦୋଳନ ଚାଲୁ ରହିବ ବୋଲି ନିଷ୍ପତ୍ତି ହୋଇଛି।