ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଚନ୍ଦକାରୁ ଗଲା ହାତୀ।

ସାତକୋସିଆରେ ବନବିଭାଗର ସବୁପ୍ରକାର ଉଦ୍ୟମ ବିଫଳ ହୋଇଛି। ଯେତେ ଚେଷ୍ଟା କଲେ ବି ମଣିଷ ଖିଆ ବାଘୁଣୀ ସୁନ୍ଦରୀକୁ ଧରିବା ସମ୍ଭବ ହେଉନି। ବାଘୁଣୀ ଏ ଜଙ୍ଗଲରୁ ସେ ଜଙ୍ଗଲକୁ ବୁଲି ବନବିଭାଗ ଏବଂ ବିଶେଷଜ୍ଞ ଟିମ୍‌କୁ ଚକମା ଦେଉଛି। ଶେଷରେ ବାଘୁଣୀକୁ ଧରିବା ପାଇଁ ହାତୀର ସହାୟତା ଲୋଡ଼ା ପଡ଼ିଛି।

ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଚନ୍ଦକା ଜଙ୍ଗଲରୁ ହାତୀ ଯଶୋଦାକୁ ସାତକୋସିଆ ପଠାଯାଇଛି। ଶୁକ୍ରବାର ସନ୍ଧ୍ୟାରେ ଯଶୋଦାକୁ ଟ୍ରକ ସହାୟତାରେ ସାତକୋସିଆ ନିଆଯାଇଛି।

ମଧ୍ୟପ୍ରଦେଶରୁ ଆସିଥିବା ଟିମ୍‌ ହାତୀ ସହାଯ୍ୟରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଯୋଜନା କରିଛନ୍ତି। ମଧ୍ୟପ୍ରଦେଶର ପେଞ୍ଚ ଏବଂ କାହ୍ନା ବ୍ୟାଘ୍ର ସଂରକ୍ଷଣ ଜଙ୍ଗଲରୁ ଦୁଇଟି ଟିମ୍ ସାତକୋସିଆରେ ପହଞ୍ଚିଛନ୍ତି।

ଗତ ଜୁନ୍ ୨୮ ତାରିଖରେ ବାଘୁଣୀ ସୁନ୍ଦରୀକୁ ମଧ୍ୟପ୍ରଦେଶର ବାନ୍ଧବଗଡ଼ ଜଙ୍ଗଲରୁ ସାତକୋସିଆ ଅଣାଯାଇଥିଲା। ଓଡ଼ିଶାରେ ବାଘ ସଂଖ୍ୟା ବୃଦ୍ଧି କରିବା ଉଦ୍ଦେଶ୍ୟରେ ସୁନ୍ଦରୀକୁ ସାତକୋସିଆ ଅଣାଯାଇଥିଲା। ହେଲେ ସୁନ୍ଦରୀ ସାତକୋସିଆରେ ଦୁଇଟି ମଣିଷ ଏବଂ ଗୋଟିଏ ବଳଦ ଶିକାର କରିବା ପରେ ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଲୋକେ ଦାବି କରୁଛନ୍ତି।

ବାଘୁଣୀକୁ ଧରିବା ପାଇଁ ଗତ ସପ୍ତାହେ ହେଲା ବନ ବିଭାଗ ଉଦ୍ୟମ କରି ଫେଲ୍ ମାରିଛି।

Comment