ଓଡ଼ିଶାଲାଇଭ୍ ବ୍ୟୁରୋ

 ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଶନିବାର ସକାଳେ ଖଣ୍ଡଗିରିରେ ୨ଟି ବସ୍‌ ଜଳିଯାଇଛି।

ଖଣ୍ଡଗିରିରେ ଜଳିଯାଇଛି ଦୁଇଟି ବସ୍। ଖଣ୍ଡଗିରି ମହିନ୍ଦ୍ରା ପେଟ୍ରୋଲ ଟାଙ୍କି ନିକଟରେ ଘଟିଛି ଏଭଳି ଏକ ଅଘଟଣ। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଯୋଗୁଁ ଏଭଳି ଦୁର୍ଘଟଣା ଘଟିଥିବ ବୋଲି କୁହାଯାଇଛି। ତେବେ ଏହି ବସ୍ ଦୁଇଟି ଶୁକ୍ରବାର ରାତିରେ ସେଠାରେ ପାର୍କିଂ କରାଯାଇଥିଲା। ଏହାଛଡ଼ା ଏହି ବସ୍ ଭିତରେ କେହି ନ ଥିବାରୁ ଏହି ଅଘଟଣରେ କୌଣସି ମୃତାହତ ଘଟି ନାହିଁ।

ଖଣ୍ଡଗିରି ପୋଲିସଙ୍କ କହିବାନୁସାରେ, ଶୁକ୍ରବାର ରାତିରେ ଖଣ୍ଡଗିରିସ୍ଥିତ ଏକ ପେଟ୍ରୋଲ ପମ୍ପ ନିକଟରେ ରାସ୍ତାକଡ଼ରେ ୨ଟି ଘରୋଇ ବସ୍‌କୁ ପାର୍କିଂ କରାଯାଇଥିଲା। ଶନିବାର ସକାଳୁ ବସ୍ ଦୁଇଟି ହଠାତ୍‌ ଜଳି ଯାଇଥିଲା। ତେବେ ବସ୍ ଦୁଇଟି ଉପରେ ୧୧ କେଭିର ବିଦ୍ୟୁତ ତାର ଟଣାଯାଇଥିଲା।

ବୋଧହୁଏ ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ବସ୍ ଦୁଇଟି ହଠାତ୍ ଧୁଧୁ ହୋଇ ଜଳି ଉଠିଥିଲା। ଶନିବାର ସକାଳ ୬ଟା ବେଳେ ଏହି ଅଘଟଣ ଘଟିଥିଲା।

ଏ ବିଷୟରେ ଖବର ପାଇ ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲା। ଏଥିସହ ଖଣ୍ଡଗିରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

Comment