ଓଡ଼ିଶାଲାଇଭ୍‌ ବ୍ୟୁରୋ

ଯୋଗ ଗୁରୁ ବାବା ରାମଦେବଙ୍କ କମ୍ପାନି ‘ପତଞ୍ଜଳି’ ଏବେ ପୋଷାକ ବ୍ୟବସାୟରେ ପାଦ ଥାପିଛି। ଧନତେରସ ଅବସରରେ ‘ପତଞ୍ଜଳି ପରିଧାନ’ ନାମରେ ନାମିତ ପ୍ରଥମ ସୋ ରୁମକୁ ବାବା ରାମଦେବ  ନିଜେ ଲୋକାର୍ପଣ କରିଛନ୍ତି। ଏହି ସୋରୁମଟି ଆଜି ଦିଲ୍ଲୀର ନେତାଜୀ ସୁଭାଷ ପ୍ଲେସରେ ଖୋଲିଛି। ଏହି ଉଦଘାଟନ ଅବସରରେ ରାମଦେବଙ୍କ ବ୍ୟତୀତ ତାଙ୍କର ବହୁ ପ୍ରଶଂସକ, ପାଖ ଲୋକ, ପହଲମାନ ସୁଶୀଲ କୁମାର ଓ ଚିତ୍ର ନିର୍ମାତା ମଧୁର ଭଣ୍ଡାରକର ଉପସ୍ଥିତ ଥିଲେ।

ଏହି ଅବସରରେ ରାମଦେବ କହିଲେ ଯେ ଡିସେମ୍ବର ଶେଷ ସୁଦ୍ଧା ସମଗ୍ର ଦେଶରେ ସ୍ୱଦେଶୀ କପଡ଼ାର ୨୫ଟି ନୂଆ ଷ୍ଟୋର ଖୋଲାଯିବ। ସେ ଏକଥା ମଧ୍ୟ କହିଲେ ଯେ ଦେଶ ତମାମ ପତଞ୍ଜଳି ପୋଷାକ ଛଡ଼ା ଏହି ଦୋକାନମାନଙ୍କରେ ପାଶ୍ଚାତ୍ୟ କପଡ଼ା, ଆକ୍ସେସରିଜ୍ ଓ ଆଭୂଷଣ ବି  ଉପଲବ୍ଧ ହେବ। ଦିଲ୍ଲୀରେ ଖୋଲାହୋଇଥିବା ପ୍ରଥମ ସୋ ରୁମରେ ଜିନ୍ସ ୧୦୦ ଟଙ୍କାରେ ବିକ୍ରୀ ହେଉଛି। ରାମଦେବ କହିଲେ ଦୀପାବଳି ପାଇଁ ଗ୍ରାହକମାନଙ୍କୁ ସିଧା ୨୫ ପ୍ରତିଶତ ଛାଡ଼ ମିଳିବ।

ବାବା ରାମଦେବଙ୍କ ପ୍ରବକ୍ତା ଟୁଇଟ କରି କହିଛନ୍ତି, “ପତଞ୍ଜଳି ପରିଧାନରେ ମେନ୍ସ ୱେୟର, ଓମେନ୍ସ ୱେୟର, କିଡ୍ସ ୱେୟର, ଡେନିମ ୱେୟର,ଏଥନିକ ୱେୟର, କାଜୁଆଲ ୱେୟର ଓ ଫର୍ମାଲ ୱେୟର ଆଦି ୩ ହଜାର ରକମର ପୋଷାକ ମିଳିବ। ଏହିସବୁ ପୋଷାକର ବ୍ରାଣ୍ଡ ନାଁ ରଖାଯାଇଛି: ଲିଭଫିଟ, ଆସ୍ଥା ଓ ସଂସ୍କାର।

ଟୁଇଟରେ ଏକଥା ମଧ୍ୟ କୁହାଯାଇଛି ଯେ ଯେଉଁଭଳି ଖଦି ଦେଶର ସ୍ୱାଧୀନତା ସଂଗ୍ରାମରେ ନେତୃତ୍ୱ ନେଇଥିଲା, ଠିକ୍ ସେହିଭଳି ପତଞ୍ଜଳି ପରିଧାନ ଦେଶରେ ଆର୍ଥିକ ସ୍ୱାଧୀନତାର ବାହକ ହେବ।ନୂଆ ସାମଗ୍ରୀର ବଜାର ପ୍ରବେଶ ଅବସରରେ ଯେଉଁ ସ୍ଲୋଗାନ ଦିଆଯାଇଛି ସେଇଟି ବି ଖୁବ୍ ଆକର୍ଷଣୀୟ। ‘ଧ୍ୱଜ ଯେମିତି  ରାଷ୍ଟ୍ରର ସବୁକିଛି, ସେହିଭଳି ପରିଧାନ ବ୍ୟକ୍ତିର ବ୍ୟକ୍ତିତ୍ୱ, ପରିଚୟ ଓ ସମ୍ମାନ ସବୁକିଛି।’

Comment