ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଇପିଏଲରୁ ଚାଇନିଜ ମୋବାଇଲ କମ୍ପାନି ଆଉଟ ହେବା ପରେ ଆଇପିଏଲ ଗ୍ରାଉଣ୍ଡ ଉପରେ ସ୍ୱଦେଶୀ କମ୍ପାନି ପତଞ୍ଜଳି ଆଖି ପକାଇଛି। ମୁଖ୍ୟ ପ୍ରାୟୋଜକ ଥିବା ଭିଭୋ ମୋବାଇଲ କମ୍ପାନି ସହ ଆଇପିଏଲର ସମ୍ପର୍କର ଛିନ୍ନ ହେବା ପରେ ସ୍ପନସରସିପ୍ ଦୌଡ଼ରେ ସାମିଲ ହୋଇଛି ବାବା ରାମଦେବଙ୍କ ପତଞ୍ଜଳି। କାରଣ ଦେଶୀ-ଚାଇନିଜ ଲଢ଼େଇ ଭିତରେ ଏ ଦେଶୀ ଫର୍ମାଟର କ୍ରିକେଟକୁ ପତଞ୍ଜଳିର ପ୍ରୋତ୍ସାହନର ଫାଇଦା ଆଇପିଏଲ ଅପେକ୍ଷା ବେଶୀ ପତଞ୍ଜଳିକୁ ହିଁ ମିଳିବ। ବ୍ରାଣ୍ଡିଂ ଓ ମାର୍କେଟିଂ ବିଶେଷଜ୍ଞଙ୍କ ମତ ଅନୁସାରେ ଏବେ ଚାଇନା ସାମଗ୍ରୀକୁ ନେଇ ଦେଶରେ ଗୋଟେ ବିରୋଧାଭାଷ ରହିଛି।

ଜାତୀୟତା ଭାବନା ଯୋଗୁ  ଦେଶୀ ଉତ୍ପାଦ ପ୍ରତି ଗୋଟେ ଭାବାବେଗ ସୃଷ୍ଟି ହୋଇଛି। ତେଣୁ ସ୍ୱାଭାବିକ ଭାବେ ଏହା ପତଞ୍ଜଳିର ବ୍ରାଣ୍ଡକୁ ଆହୁରି ଉପରକୁ ନେବ। ତେଣୁ ବିଶ୍ୱସ୍ତରର ବ୍ରାଣ୍ଡ ଭାବେ ନିଜକୁ ଉପସ୍ଥାପନ କରିବାକୁ ଆଇପିଏଲ ଏକ ଭଲ ପ୍ଲାଟଫର୍ମ ହେବ ବୋଲେ ବ୍ରାଣ୍ଡିଂ ଓ ମାର୍କେଟିଂ ବିଶେଷଜ୍ଞଙ୍କ ମତ। ଅବଶ୍ୟ ସ୍ପନସର ଦୌଡ଼ରେ ଜିଓ, ଆମାଜନ, ଟାଟାଗ୍ରୁପ୍, ଡ୍ରିମ-୧୧  ଓ ବାଇଜୁ ଭଳି କମ୍ପାନି ରହିଛନ୍ତି।

କିନ୍ତୁ ପ୍ରଥମ ଥର ପାଇଁ ପତଞ୍ଜଳିର ନାଁ ଚର୍ଚ୍ଚାକୁ ଆସିଛି। ସେପଟେ ଭିଭୋ ସହ ସମ୍ପର୍କ ଛିନ୍ନ ହେବା ପରେ ମଧ୍ୟ ଆଇପିଏଲ ଆୟୋଜନକୁ ନେଇ କୌଣସି ଆର୍ଥିକ ସମସ୍ୟା ସୃଷ୍ଟି ହେବ ନାହିଁ ବୋଲି କହିଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି। ସେ କହିଛନ୍ତି ଯେ, କୌଣସି ବଡ଼ ଆୟୋଜନ ବେଳେ ପ୍ଲାନ୍ ବି ଓ ସିକୁ ପ୍ରସ୍ତୁତ କରି ରଖାଯାଇଥାଏ। ଗୋଟିଏ ଦାୟିତ୍ୱସମ୍ପନ୍ନ ସଂସ୍ଥା ଭାବେ ବିସିସିଆଇ ପାଖରେ ବିକଳ୍ପ ବ୍ୟବସ୍ଥା  ରହିଛି। ସେପଟେ ପତଞ୍ଜଳିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ପତଞ୍ଜଳିକୁ ସେମାନେ ବିଶ୍ୱସ୍ତରରେ ପହଞ୍ଚାଇବାକୁ ଚାହୁଁଛନ୍ତି।

‘‘ଏ ବର୍ଷ ଆମେ ଆଇପିଏଲ ଟାଇଟଲ ସ୍ପନସରସିପ୍ ଦୌଡ଼ରେ ସାମିଲ ହେବାକୁ ଚିନ୍ତା କରିଛୁ। ସେଥିପାଇଁ ବିସିସିଆଇକୁ ଏକ ବିଧିବଦ୍ଧ ପ୍ରସ୍ତାବ ପଠାଇବାକୁ ପ୍ରସ୍ତୁତି କରୁଛୁ’, ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ପତଞ୍ଜଳିର ମୁଖପାତ୍ର ଏସକେ ତିଜାରାୱାଲା।

Comment