ଭାସ୍କର ପରିଚ୍ଛା

ସୁଦର୍ଶନ ଦାସଙ୍କ ଏହି କବିତା ସଙ୍କଳନକୁ ପଢ଼ିବା ପୂର୍ବରୁ ଅଣଔପଚାରିକ ଭାବେ ତାଙ୍କ ସହ ଯେଉଁ କଥୋପକଥନ ହୋଇଥିଲା ସେଥିରୁ ଗୋଟିଏ କଥା ସ୍ପଷ୍ଟ ସଂକେତ ମିଳିଥିଲା ଯେ, ସେ ଜଣେ ନିଚ୍ଛକ ଜୀବନବାଦୀ କବି, ଅନୁଭବୀ ଏବଂ ରାସ୍ତାରେ ଯାଉଥିବା ବେଳେ ବି ନିରନ୍ତର ଚରିତ୍ର ଓ ଘଟଣାର ସନ୍ଧାନରେ ଥାଆନ୍ତି। ତାଙ୍କର ଅନେକ କବିତାର ଅନ୍ତରାତ୍ମା ହେଉଛି ମାମୁଲି ଘଟଣା, ମାମୁଲି କ୍ରିୟାନୁଷ୍ଠାନ। କିନ୍ତୁ ସେଗୁଡ଼ିକର ଅର୍ଥ ଓ ଭାବ ସୁଦୂରପ୍ରସାରୀ।

ସାହିତ୍ୟରେ ଯେତେବେଳେ ଦିଗବଳୟର ସଂଜ୍ଞା ନିରୂପଣ କରାଯାଏ, ସାଧରଣତଃ ଉପନ୍ୟାସ ଓ  କବିତା ପଂକ୍ତିର  ଆଶ୍ରୟ ନିଆ ଯାଇଥାଏ। ତାତ୍ତ୍ଵିକ ଦୃଷ୍ଟିରୁ ଚକ୍ରବାଳର ଦୃଶ୍ୟ ଗଭୀର ଓ ସୀମାହୀନ। ଏଣୁ ସ୍ଥାନ, କାଳ, ପାତ୍ର ଏ ସବୁକୁ   ଦିଗବଳୟର ଛାତି ଉପରେ ପରିକଳ୍ପନା କରିବା ବେଳେ କବିର ମନରେ ଏକ ବୃହତ୍ତର ଚିନ୍ତାର ପରିପ୍ରକାଶ ଘଟିଥାଏ। ଏଠି ବି ସେହି କଥା ହିଁ ଘଟିଛି।

‘କାଳ ଦିଗବଳୟ ଓ ଅନ୍ୟାନ୍ୟ କବିତା’ରେ ଏକ ଗଭୀର ଜୀବନ ଦର୍ଶନର ଉପସ୍ଥିତି ଲକ୍ଷ୍ୟ କରି ହେବ। ତିରିଶି ପାଖାପାଖି କବିତାକୁ ନେଇ ଏହି ସଂକଳନର ମୁଖବନ୍ଧରେ ସୁଦର୍ଶନ ଦାସ ତାଙ୍କ କବିଆତ୍ମା ପଛରେ ମନୋଜ ଦାସଙ୍କ ପ୍ରେରଣାକୁ ସ୍ୱୀକାର କରିଛନ୍ତି। ସ୍ୱାଭାବିକ ଭାବରେ, ପ୍ରତିଟି କବିତାରେ ଏକ ଦାର୍ଶନିକ ଦୃଷ୍ଟିଭଙ୍ଗୀ ଦେଖିବାକୁ ମିଳେ। ଅବଶ୍ୟ ସେ ଦୈନନ୍ଦିନ ଜୀବନର ଚରିତ୍ର ଓ ଘଟଣାକୁ ନେଇ ହିଁ କବିତା ଲେଖିଥାନ୍ତି ଯେମିତିକି:

ଯେଉଁଠାରେ ଦେଖ ଧୂଳି – ବହି ଥାକରେ ଚିକ୍କଣ ଧୂଳି/କାଠ ଆଲମାରୀରେ ଘୁଣର ଧୂଳି/ଘର କୋଣରେ ବୁଢ଼ିଆଣୀର ଧୂଳି/ଚୁଲିରେ ନିଆଁର ଧୂଳି/ଆଲବମରେ ସ୍ମୃତିର ଧୂଳି/….କେତେ ବିଚିତ୍ର ଏ ଧୂଳି-ଜୀବନର ଗଳିରେ ଚାଲୁ ଚାଲୁ /ଦିନେ ଥକି ବସିପଡ଼ିଲି/ଆଖି ଲାଗିଗଲା ବେଲକୁ ବନିଗଲି ମୁଁ ମୁଠାଏ ଧୂଳି। (ଧୂଳି)

ଅଥବା

କେତେ ସୁନ୍ଦର ଏ ଦାଗ!
ମାଟିରେ ପହିଲି ଆଷାଢ଼ର ଦାଗ
କୁଆଁରୀ ଦେହରେ ମଙ୍ଗୁଳା ହଳଦୀର ଦାଗ
ହଳଦୀ ବସନ୍ତରେ ଚିକ୍‌ଚିକ୍‌ କଳା ଦାଗ
ଗୁଣ୍ଡୁଚି ମୂଷା ଦେହରେ ଶ୍ରଦ୍ଧାର ଦାଗ …
କେତେ ଭୟଙ୍କର ଏ ଦାଗ
ମାଟିରେ ରକ୍ତର ଦାଗ
ସମୁଦ୍ରରେ ସୁନାମୀର ଦାଗ
ଆକାଶରେ ବିସ୍ଫୋରଣର ଦାଗ
କପୋତ ଦେହରେ ଛନ୍‌ଚାଣର ଦାଗ।
(ଦାଗ)

ସୁଦର୍ଶନ ଦାସଙ୍କ କବିତା ସମ୍ପର୍କରେ ମନୋଜ ଦାସ ଲେଖିଛନ୍ତି : କବିତାରେ ଆଜି ବନ୍ୟାର ପ୍ରାଦୁର୍ଭାବ। କିନ୍ତୁ ବନ୍ୟା ନୁହେଁ, ତୁମର ଏ କବିତା ସ୍ତବକ ଏକ କୁଳୁକୁଳୁ ସ୍ରୋତସ୍ୱିନୀ। ସେହିଭଳି ରମାକାନ୍ତ ରଥ ଲେଖିଛନ୍ତି, ‘ସୁଦର୍ଶନଙ୍କ କବିତା ଗଭୀର ସମୁଦ୍ର ପରି, ବିସ୍ତୃତ ବି ସମୁଦ୍ର ପରି। ଏପରି ମାର୍ମିକ, ପ୍ରତୀକଧର୍ମୀ, ଆନ୍ତରିକ କବିତା ପାଇଁ ସେ ଅଭିନନ୍ଦନୀୟ।’

ସଂକଳନର ଶେଷ କବିତାଟି ହିଁ ତାଙ୍କ କାବ୍ୟିକ ମନୋଭାବ ଓ ଜୀବନ ଜିଜ୍ଞାସାର ପ୍ରକୃତ ପରିଚୟ :

କାହିଁ ଅନ୍ଧକାର?
କାହିଁ ମୃତ୍ୟୁର ଡର?
ଯେଣୁ ଧରିଚ ହୃଦେ ମୋତେ ଅବିରତ
ହେ ବିଦ୍ୟୁତିକା, ମୁଁ ଅଭୟ, ଅନିର୍ବାପିତ (ମୁଁ ଅଭୟ, ଅନିର୍ବାପିତ)

ଆଲୋଚ୍ୟ ସଂକଳନରେ ସୁଦର୍ଶନ ଦାସଙ୍କ ପରିବେଷିତ ପ୍ରତିଟି କବିତା ପଢ଼ିବା ଭଳି କବିତା, ବୁଝିବା ଭଳି କବିତା। ଏଥିରେ ସମୟର କଟକଣା ନାହିଁ କି, କ୍ଷିତିଜର ଶେଷ ନାହିଁ।

କାଳ ଦିଗବଳୟ ସୁଦର୍ଶନ ଦାସ, ପ୍ରକାଶକ: ଟାଇମପାସ, ୯୫୦, ଗ୍ରୀନ ଭିଲ୍ଲା, ଏନକେ ମାର୍ଗ, ବରମୁଣ୍ଡା, ଭୁବନେଶ୍ୱର, ମୂଲ୍ୟ ୯୫ ଟଙ୍କା।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଓଡ଼ିଶାଲାଇଭ୍‌ର ପରାମର୍ଶଦାତା ସମ୍ପାଦକ)

Comment