ଓଡ଼ିଶାଲାଇଭ୍‌ ବ୍ୟୁରୋ  

ଜମ୍ମୁ କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ ନିହତ ହୋଇଛନ୍ତି। ଦୁଇ ଆତଙ୍କବାଦୀ ହେଲେ ଇଦ୍ରେସ ସୁଲତାନ ଓ ଅମୀର ହୁସେନ। ଏମାନଙ୍କ ମଧ୍ୟରେ ଜଣେ ୨୦ ବର୍ଷୀୟ ଆତଙ୍କବାଦୀ ଯୁବକ ରହିଛି। ଏହି ଯୁବକ ଜଣଙ୍କ ଗତ ଏପ୍ରିଲ ମାସରେ ସେନା ଚାକିରି ଛାଡ଼ି ଆତଙ୍କବାଦୀ ସଂଗଠନରେ ସାମିଲ ହୋଇଥିଲା।

ତା’ର ପ୍ରକୃତ ନାଁ ଇଦ୍ରେସ ସୁଲତାନ ହୋଇଥିଲେ ହେଁ ତାକୁ ଛୋଟା ଅବରାର ନାଁରେ ସମସ୍ତେ ଜାଣିଥିଲେ। ସେ ଓ ତା’ର ସହଯୋଗୀମାନେ ଏକାଧିକ ଥର ସୁରକ୍ଷାକର୍ମୀଙ୍କ ଉପରେ ହମ୍‌ଲା କରିବାର ନଜିର ରହିଛି।

ସୁଲତାନ୍ ଓ ତା’ର ସହଯୋଗୀ ଆମୀର ହୁସେନ ରାଥେର ଦକ୍ଷିଣ କଶ୍ମୀରର ଜାଇନାପୁରାରେ ଲୁଚିଥିବା ଖବର ମିଳିଥିଲା। ଏମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ୍ ଆରମ୍ଭ ହୋଇଥିଲା। ଆତଙ୍କବାଦୀ ଲୁଚିଥିବା ସ୍ଥାନରେ ସୁରକ୍ଷାକର୍ମୀ ପହଞ୍ଚିବାକ୍ଷଣି ଆତଙ୍କବାଦୀମାନେ ପ୍ରଥମେ ଗୁଳିମାଡ଼ କରିଥିଲେ।

ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର କଡ଼ା ଜବାବ ଦିଆଯାଇଥିଲା। ଦୀର୍ଘ ସମୟ ଧରି ଚାଲିଥିବା ଏହି ଗୁଳି ବିନିମୟରେ ସୁଲତାନ ଓ ଆମୀର ନିହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି।

ଏମାନଙ୍କ ନିକଟରୁ ଦୁଇଟି ଏକେ-୪୭ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। ସୁଲତାନ ଓ ଆମୀର ଉଭୟ ସୋପିଆନ୍ର ବୋଲି ଜଣାପଡ଼ିଛି। ହେଲେ ଆତଙ୍କବାଦୀଙ୍କ ଗୁଳି ମାଡ଼ରେ ସେନାର କୌଣସି କ୍ଷତି ହୋଇନଥିବା ସୂଚନା ରହିଛି।

Comment