ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କଲା ପ୍ରଶାସନ।   

ଅନୁଗୁଳ ଜିଲ୍ଲାର ପୁରୁଣାକୋଟ ରେଞ୍ଜ ଅଞ୍ଚଳରେ ଗୁରୁବାର ଅଭାବୀନୟ ଘଟଣା ଘଟିଛି। ଚନ୍ଦକା ଅଭୟାରଣ୍ୟରୁ ବାଘୁଣୀ ଧରିବାକୁ ସାତକୋଶିଆ ଆସିଥିବା କୁମ୍‌କୀ ହାତୀ ଯଶୋଦା ଜଣଙ୍କୁ ଶୁଣ୍ଢରେ କଚାଡ଼ି ମାରିଦେଇଛି। ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ପ୍ରଶାସନ ଘୋଷଣା କରିଛି।

ମୃତ ବ୍ୟକ୍ତି ଜଣକ ହେଉଛନ୍ତି ସୁଦୁର ପ୍ରଧାନ। ତାଙ୍କ ଘର ମାଟିଆ ସାହି ଗାଁରେ।

ପୁରୁଣାକୋଟ ରେଞ୍ଜ ଅଫିସ ପରିସରରେ ହାତୀଟି ରହିଥିଲା। ଏହି ସମୟରେ ହାତୀକୁ ଏକ କଦଳୀ ଗଛ ଖୁଆଇ ଦେଇଥିଲେ ସୁଦୁର। କଦଳୀ ଗଛ ଖାଇବା ପରେ ସୁଦୁରକୁ ହାତୀ ଶୁଣ୍ଢରେ କଚାଡ଼ି ଦେଇଥିଲା। ଘଟଣାସ୍ଥଳରେ ହିଁ ସୁଦୁରର ମୃତ୍ୟୁ ଘଟିଥିଲା।

ବନ ବିଭାଗ ଅଧିକାରୀ ଘଟଣାସ୍ଥଳକୁ ଆସିଥିଲେ। ଯଶୋଦା ହଠାତ୍ ଏମିତି କ’ଣ ପାଇଁ ଜଣଙ୍କର ଜୀବନ ନେଲା ତାର କାରଣ ଖୋଜୁଛନ୍ତି। ଯଶୋଦା ଭୋକିଲା ଥିବାରୁ ଏଭଳି କାଣ୍ଡ ଘଟାଇଥାଇପାରେ ବୋଲି କୁହାଯାଉଛି।

ସାତକୋଶିଆର ମଣିଷଖିଆ ବାଘୁଣୀ ସୁନ୍ଦରୀକୁ ଧରିବା ପାଇଁ ଯଶୋଦାକୁ ଚନ୍ଦକାରୁ ଅଣାଯାଇଥିଲା। ହାତୀ ଉପରେ ବସି ବନ ବିଭାଗ କର୍ମଚାରୀ ଗତ ୬ ତାରିଖରେ ବାଘୁଣୀକୁ ନିଶ୍ଚେତକ ଗୁଳି ମାରିଥିଲେ। ଏଥିରେ ବାଘୁଣୀ ଅଚେତ ହୋଇଯାଇଥିଲା।

ମଣିଷଖିଆ ବାଘୁଣୀକୁ ଧରିବାରେ ସହାୟକ ହୋଇଥିବା ଯଶୋଦା ଆଜି ହିଂସ୍ର ହୋଇଯାଇଛି।

Comment