ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁନ୍ଦରୀ ରହିବ କେଉଁଠି? ତାକୁ ନେଇ ଉଠିଲା ବଡ଼ ପ୍ରଶ୍ନ।

ନନ୍ଦନକାନନରେ ରହି ପାରିବନି ବାଘୁଣୀ ସୁନ୍ଦରୀ। ଏନେଇ ପିସିସିଏଫ୍, ଓଡ଼ିଶାଙ୍କୁ ଚିଠି ଲେଖିଛନ୍ତି ସେଣ୍ଟ୍ରାଲ ଜୁ ଅଥରିଟି। ସୁନ୍ଦରୀ ବଣୁଆ ଜନ୍ତୁ ହୋଇଥିବାରୁ ତାକୁ ଚିଡ଼ିଆଖାନାରେ ରଖିବା ଉଚିତ ନୁହେଁ ବୋଲି ବନ୍ୟଜନ୍ତୁ ସମ୍ପଦ କାର୍ଯ୍ୟକର୍ତ୍ତା ଅଜୟ ଦୁବେ ସେଣ୍ଟ୍ରାଲ ଜୁ ଅଥରିଟିଙ୍କ ନିକଟରେ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଆଧାର କରି ସୁନ୍ଦରୀ ରହିବା ପାଇଁ ଅଲଗା ସ୍ଥାନ ଚିହ୍ନଟ କରିବାକୁ ପିସିସିଏଫ୍‌ଙ୍କୁ କହିଛନ୍ତି ସେଣ୍ଟ୍ରାଲ ଜୁ ଅଥରିଟି।

ଅଜୟ ଦୁବେ ଅଭିଯୋଗରେ ଦର୍ଶାଇଥିଲେ ଯେ ୧୯୮୮ର ପୃଷ୍ଠା ୩.୨.୧ ନ୍ୟାସନାଲ ଜୁ ପଲିସି ଅନୁସାରେ କୌଣସି ବଣୁଆ ଜନ୍ତୁଙ୍କୁ ଚିଡ଼ିଆଖାନାରେ ବନ୍ଦୀ କରି ରଖାଯିବା ଉଚିତ ନୁହେଁ।

ଓଡ଼ିଶାରେ ବାଘ ବଂଶ ବୃଦ୍ଧି କରିବା ପାଇଁ ଗତ ଜୁନ ୨୮ରେ ବାନ୍ଧବଗଡ଼ ଜଙ୍ଗଲରୁ ସୁନ୍ଦରୀକୁ ସାତକୋଶିଆ ଅଣାଯାଇଥିଲା। କିନ୍ତୁ ସାତକୋଶିଆରେ ସୁନ୍ଦରୀ ଦୁଇଟି ମଣିଷ ଶିକାର କରିବାରୁ ତାକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ସ୍ଥାନୀୟ ଲୋକେ ଦାବି କରିଥିଲେ।

ସୁନ୍ଦରୀକୁ ନନ୍ଦନକାନନକୁ ସ୍ଥାନାନ୍ତର କରାଯିବ ବୋଲି ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଥିଲେ। ଏହାକୁ ନେଇ ଅଜୟ ଆପତ୍ତି ଉଠାଇଥିଲେ।

ଗତ ୬ ତାରିଖରେ ସୁନ୍ଦରୀକୁ ସାତକୋଶିଆର ମଝିଗଡ଼ା ଜଙ୍ଗଲରେ ଟ୍ରାଙ୍କୁଲାଇଜ କରାଯାଇଛି। ହାତୀ ଯଶୋଦା ପିଠିରେ ବସି ବନ ବିଭାଗ କର୍ମଚାରୀ ନିଶ୍ଚେତକ ଗୁଳି ମାରିଥିଲେ। ଏଥିରେ ସୁନ୍ଦରୀ ଅଚେତ ହୋଇଯାଇଥିଲା।

Comment