ଓଡ଼ିଶାଲାଇଭ୍ ବ୍ୟୁରୋ
“ଓଡ଼ିଶାରେ ବିର୍ଲା ଗ୍ରୁପ୍ କରିବ ୨ ବିଲିଅନ ଡଲାରର ପୁଞ୍ଜି ନିବେଶ”, କହିଛନ୍ତି ବିର୍ଲା ଗ୍ରୁପ ଅଫ୍ ଇଣ୍ଡଷ୍ଟ୍ରିର ଅଧ୍ୟକ୍ଷ କୁମାର ମଙ୍ଗଲମ୍ ବିର୍ଲା।
ମେକ ଇନ୍ ଓଡ଼ିଶାର ଦ୍ୱିତୀୟ ସଂସ୍କରଣର ବିଜିନେସ୍ ଲିଡରସିପ୍ ସମିଟରେ ଭାଗ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିବା ସହ ଓଡ଼ିଶା ପୁଞ୍ଜି ନିବେଶ ପାଇଁ ଉପଯୁକ୍ତ ସ୍ଥାନ ବୋଲି କହିଛନ୍ତି କୁମାର ମଙ୍ଗଲମ୍ ବିର୍ଲା।

ଏହାଛଡ଼ା ସେ ଓଡ଼ିଶାର ତାରକସୀ କାମ, ପିପିଲି ଚାନ୍ଦୁଆ ଓ ଐତିହାସିକ ବାଲିଯାତ୍ରା କଥା ମଧ୍ୟ କହିଛନ୍ତି। “ପୁରୀ ଜଗନ୍ନାଥ ମନ୍ଦିର ଓ କୋଣାର୍କ ମନ୍ଦିର କଳାକୃତିକୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି”। ସେ ଆହୁରି ମଧ୍ୟ କହିଛନ୍ତି, “ଓଡ଼ିଶା ସହିତ ମୋର ସମ୍ପର୍କ ବହୁ ପୁରୁଣା। ଏଥିସହ ଓଡ଼ିଶା ଓ ଓଡ଼ିଶା ଲୋକଙ୍କୁ ମୁଁ ବହୁ ତ ଭଲପାଏ।“
”ଜନତା ମଇଦାନରେ ଆୟୋଜିତ ଏହି ୫ ଦିନିଆ କନକ୍ଲେଭରେ ବିଶେଷ କରି ଡାଉନଷ୍ଟ୍ରିମ ଇଣ୍ଡଷ୍ଟ୍ରି ଏବଂ କ୍ଷୁଦ୍ର ଏବଂ ମଧ୍ୟମ ଶିଳ୍ପଦ୍ୟୋଗ କ୍ଷେତ୍ରରେ ଅଢ଼େଇ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହେବାର ଆଶା କରାଯାଇଛି।
ଯାହାକି ବହୁ ପରିମାଣରେ କର୍ମ ନିଯୁକ୍ତି ହେବାର ସମ୍ଭାବନା ଅଛି। କେବଳ ପୁଞ୍ଜିନିବେଶ ନୁହେଁ, ଓଡ଼ିଶାକୁ ଦେଶ ବିଦେଶରେ ଏକ ନୂତନ ପରିଚୟ ଦେବାକୁ ଏଭଳି ଏକ କନକ୍ଲେଭର ଆୟୋଜନ କରାଯାଇଛି।

୧୨ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ ବିଜନେସ୍ ଲିଡରସିପ ସମିଟ୍, ଷ୍ଟାର୍ଟଅପ ଟକ, ଟେକ୍ ଟକ, ସିଏସ୍ଆର ଆୱାର୍ଡ ଆଦି ଅନୁଷ୍ଠିତ ହେବ। ଏହି କାର୍ଯ୍ୟକ୍ରମରେ ଦେଶର ବହୁ ପ୍ରତିଷ୍ଠିତ ଶିଳ୍ପପତି ଯୋଗ ଦେବା ସହିତ ରାଜ୍ୟରେ ଥିବା ଶିଳ୍ପପତିମାନେ ଏହି କନକ୍ଲେଭକୁ ପ୍ରଶଂସା କରିଛନ୍ତି।
ଏଥର ଅଢ଼େଇ ଲକ୍ଷ କୋଟିରୁ ଅଧିକ ପୁଞ୍ଜି ବିନିଯୋଗର ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି। ସୋମବାର ଅନୁଷ୍ଠିତ ହେବାକୁ ଥିବା ପ୍ଲେନାରୀ ସେସନରେ ଦେଶର ୨୫ଜଣ ବଡ଼ ଶିଳ୍ପପତି ଯୋଗ ଦେଇଛନ୍ତି। ଏଥିରେ ବକ୍ତା ଭାବେ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ଅଧକ୍ଷ ମୁକେଶ ଅମ୍ବାନୀ ଯୋଗ ଦେଇ ଉଦବୋଧନ ଦେବେ।

















