ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଅନନ୍ତ କୁମାରଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୯ ବର୍ଷ ବୟସ ହୋଇଥିଲା। ସେ ବେଶ୍‌ କିଛି ଦିନ ଧରି ଅସୁସ୍ଥ ଥିଲେ। ବେଙ୍ଗାଲୁରୁର ଏକ ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଛି। ଶେଷ ଦର୍ଶନ ପାଇଁ ତାଙ୍କ ମରଶରୀରକୁ ବେଙ୍ଗାଲୁରୁର ନ୍ୟାସନାଲ କଲେଜରେ ରଖାଯିବ।

କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର କ୍ୟାନସରରେ ପୀଡ଼ିତ ଥିଲେ। ଅକ୍ଟୋବର ମାସରେ ନ୍ୟୁୟର୍କସ୍ଥିତ ଏକ କ୍ୟାନସର ଇନଷ୍ଟିଚ୍ୟୁଟରେ ଚିକିତ୍ସା ସାରି ଭାରତ ଫେରିଥିଲେ।

ଦକ୍ଷିଣ ବେଙ୍ଗାଲୁରୁ ନିର୍ବାଚନମଣ୍ଡଳୀରୁ ସେ ୫ଥର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୨୦୧୪ ମସିହାରେ କେମିକାଲସ ଓ ଫର୍ଟିଲାଇଜରସ ମନ୍ତ୍ରଣାଳୟ ଦାୟିତ୍ୱ ତୁଲାଇଥିଲେ।

ସେହିପରି ସେ ୨୦୧୬ ମସିହାରେ ସଂସଦୀୟ ବ୍ୟାପାର ବିଭାଗର ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ଏହା ପୂର୍ବରୁ ଅନନ୍ତ କୁମାର ବାଜପେୟୀ ସରକାରରେ ୧୯୯୮ ମାର୍ଚ୍ଚରୁ ୧୯୯୯ ଅକ୍ଟୋବର ଯାଏଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ପଦରେ ରହିଥିଲେ।

ଅନନ୍ତ କୁମାରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ରାଜନୀତିକ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି।

Comment