ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଏବେ ବି ଚାଷୀମାନେ ଦିଲ୍ଲୀ ସୀମାରେ ବିକ୍ଷୋଭ ଜାରି ରଖିଛନ୍ତି। ସରକାର ଓ ଚାଷୀ ନେତାଙ୍କ ଭିତରେ ଏବେ ସୁଦ୍ଧା ଏକାଧିକ ବାର୍ ଆଲୋଚନା ହୋଇଥିଲେ ବି କୌଣସି ନିଷ୍କର୍ସ ବାହାରିପାରିନି। ଏହାରି ଭିତରେ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଗୁରୁବାର ସାମ୍ବାଦିକ ସମ୍ମିଳନୀ କରିବା ସହିତ କୃଷକମାନଙ୍କ ସହ କେନ୍ଦ୍ର ସରକାର ସମସ୍ତ ପ୍ରକାର ଆଲୋଚନା ପାଇଁ ସବୁବେଳେ ପ୍ରସ୍ତୁତ ଥିବା କହିଛନ୍ତି।

ଗୁରୁବାର କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି, “ସରକାର କୃଷକମାନଙ୍କୁ ମଣ୍ଡି ବ୍ୟବସ୍ଥାରୁ ମୁକ୍ତ କରିବାକୁ ଚାହୁଁଛନ୍ତି। ଯଦ୍ୱାରା ଚାଷୀମାନେ ନିଜ ଉତ୍ପାଦିତ ଦ୍ରବ୍ୟକୁ ନିଜ ଇଚ୍ଛା ଅନୁସାରେ ବିକ୍ରି କରିପାରିବେ। କିନ୍ତୁ ଚାଷୀମାନେ ଏହାଦ୍ୱାରା କ୍ଷତି ସହିବେ ବୋଲି ମିଛ ପ୍ରଚାର ହେଉଛି।”ଏଥିସହ ନୂଆ ଆଇନ୍ ଦ୍ୱାରା ଏମ୍ଏସପି ବ୍ୟବସ୍ଥାରେ ମଧ୍ୟ କୌଣସି ପରିବର୍ତ୍ତନ ହେବନାହିଁ। ନୂଆ ଆଇନକୁ ନେଇ ଚାଷୀଙ୍କର ଯାହାବି ଅସୁବିଧା ଅଛନ୍ତି ତାହା ଉପରେ ବିଚାର କରିବାକୁ ମଧ୍ୟ ସରକାର ପ୍ରସ୍ତୁତ ବୋଲି ସେ କହିଛନ୍ତି।

“ସଂସଦର ଉଭୟ ସଦନରେ ଏହି ବିଲ୍ ପାସ୍ ହୋଇଥିଲା। ସବୁ ଦଳମାନେ ଏହାକୁ ନେଇ ଆଲୋଚନା କରିଥିଲେ। ଲୋକସଭା ଓ ରାଜ୍ୟସଭାରେ ଏହି ବିଲ୍ ପାରିତ ହେଲା। ଏହାପରେ ମଧ୍ୟ ଯଦି କୃଷକମାନଙ୍କର ଏହି ଆଇନକୁ ନେଇ ଅସୁବିଧା ଅଛି ତେବେ ସରକାର ଆଲୋଚନା କରିବାକୁ ପ୍ରସ୍ତୁତ”,କହିଛନ୍ତି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଚାଷୀମାନେ ଏବେ ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସରକାର ଓ ଚାଷୀନେତାଙ୍କ ଭିତରେ ୬ ଥର ଆଲୋଚନା ହେବା ପରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରୁନି। ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ଚାଷୀ ନେତାଙ୍କ ସହ ଆଲୋଚନା କରିଥିବାବେଳେ ଚାଷୀମାନେ ନିଜ ଜିଦରେ ଅଟଳ ଅଛନ୍ତି।

Comment