ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ। ରବିବାର ରାତିରେ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚି ଥିଲେ। ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଅମିତ ଶାହଙ୍କ ଗସ୍ତ ପାଇଁ ଚଳଚଞ୍ଚଳ ହୋଇଛି ବିଜେପି ଶିବିର। ଦଳୀୟ କାର୍ଯ୍ୟକର୍ତ୍ତା ଓ ହଜାର ହଜାର ଜନସାଧାରଣ, ପ୍ରଶଂସକମାନେ ହାତରେ ତ୍ରିରଙ୍ଗା ପତାକା ଧରି ପାରମ୍ପରିକ ପୋଷାକ, ଲୋକକଳା, ଗୀତ ନୃତ୍ୟ ସହ ବାଦ୍ୟ ଯନ୍ତ୍ର ବଜାଇ ଅମିତ ଶାହଙ୍କୁ ସ୍ୱାଗତ କରିଥିଲେ।

ଆଜି ସକାଳୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ସକାଳ ୮ଟାରେ ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିଛନ୍ତି ଅମିତ ଶାହ। ଶ୍ରାବଣ ମାସ ଶେଷ ସୋମବାର ଦିନ ପ୍ରଭୁ ଲିଙ୍କରାଜଙ୍କ ଦର୍ଶନ କରିବାର ସୌଭାଗ୍ୟର କଥା ବୋଲି କହିଛନ୍ତି ଅମିତ ଶାହ। ଭୁବନେଶ୍ୱରରେ ପହଞ୍ଚିବା ପରେ ଅମିତ ଶାହ ଟୁଇଟ କରି ଓଡ଼ିଶାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ଲାଗି ଉତ୍ସାହିତ ଥିବା କହିଛନ୍ତି।

ପ୍ରଭୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ଅମିତ ଶାହ କଟକ ଅଭିମୁଖେ ଯାତ୍ରା କରିଥିଲେ। କଟକରେ ପହଞ୍ଚିବା ପରେ ତାଙ୍କୁ ସେଠାରେ ଭବ୍ୟ ସ୍ଵାଗତ କରାଯାଇଛି। କଟକଠାରେ ସେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ପ୍ରଜାତନ୍ତ୍ର ଖବର କାଗଜର ୭୫ତମ ପ୍ରତିଷ୍ଠା ଦିବସରେ ଯୋଗ ଦେବେ।

କଟକରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କର କୌଣସି ରାଜନୈତିକ କାର୍ଯ୍ୟକ୍ରମ ନଥିବା ଜଣାଡ଼ିଛି। ଆଜି ଭୁବନେଶ୍ୱର ବିଜେପି ମୁଖ୍ୟ କାର୍ଯ୍ୟାଳୟରେ ବିଭିନ୍ନ ବିଷୟରେ କୋର୍ କମିଟି ସଦସ୍ୟ ଓ ଅଫିସ୍ ବିଅରରଙ୍କ ସହ ସେ ଆଲୋଚନା କରିବା ନେଇ ସୂଚନା ରହିଛି। ଅମିତ ଶାହଙ୍କ ଗସ୍ତ ପାଇଁ ଆଜି କଟକ-ଭୁବନେଶ୍ୱର ଟୁଇନ ସିଟିରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

Tags: #Politics #Odisha #UnionMinisterAmitShah #LingarajTempleVisit

Comment