ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗୁରୁବାରଠାରୁ କାର୍ଯ୍ୟରେ ଯୋଗଦେବେ ଆଇନଜୀବୀ।

୭୮ ଦିନ ପରେ ଆନ୍ଦୋଳନ ପ୍ରତ୍ୟାହାର କଲେ ଆଇନଜୀବୀ। କଟକ ନୂଆବଜାରରେ ଆଇନଜୀବୀଙ୍କୁ ମାଡ଼ ମାରିଥିବା ୩ ଜଣ ପୋଲିସ କର୍ମଚାରୀ ହାଇକୋର୍ଟରେ ହାଜର ହୋଇ କ୍ଷମା ମାଗିବା ପରେ ହାଇକୋର୍ଟ ବାର୍ ଆସୋସିଏସନ ଏହି ନିଷ୍ପତ୍ତି ନେଇଛି।

ଗୁରୁବାରଠାରୁ ଆଇନଜୀବୀମାନେ କାର୍ଯ୍ୟରେ ଯୋଗ ଦେବେ। ଏନେଇ ହାଇକୋର୍ଟ ବାର୍ ଆସୋସିଏସନ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ହୋଇଛି।

ଅଗଷ୍ଟ ୨୮ରେ କଟକ ନୂଆବଜାର ଅଞ୍ଚଳରେ ହାଇକୋର୍ଟ ଆଇନଜୀବୀ ଦେବୀଦତ୍ତ ପଟ୍ଟନାୟକଙ୍କୁ ପୋଲିସ କର୍ମଚାରୀ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା। ମାଡ଼ ମାରିଥିବା ପୋଲିସ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଇନଜୀବୀମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। ହେଲେ ପୋଲିସ ବିରୋଧରେ କାର୍ଯ୍ୟାନୁଷ୍ଠାନ ନହେବାରୁ ଆନ୍ଦୋଳନ ତୀବ୍ର ହୋଇଥିଲା।

ପ୍ରାୟ ଅଢ଼େଇ ମାସରୁ ଅଧିକ ଦିନ ଧରି ଓକିଲମାନେ ସାରା ରାଜ୍ୟରେ ଆନ୍ଦୋଳନ କରିଥିଲେ। ଅଗଷ୍ଟ ୨୯ରୁ କୋର୍ଟ କାର୍ଯ୍ୟ ଅଚଳ ହୋଇଥିଲା।

ବିଜେଡି ଲିଗାଲ ସେଲ୍ ଏବଂ ହାଇକୋର୍ଟ ଆଇନଜୀବୀ ମୁହାଁମୁହିଁ ହୋଇଥିଲେ। ଶେଷରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ସି ଆର୍ ଦାସଙ୍କ ତତ୍ତ୍ୱାଧାନରେ ମାମଲାର ତଦନ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ନଭେମ୍ବର ୯ ସୁଦ୍ଧା ଚାର୍ଜସିଟ୍ ଦାଖଲ କରିବାକୁ ହାଇକୋର୍ଟ ତଦନ୍ତକାରୀ ଅଫିସରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଚାର୍ଜସିଟ୍ ଦାଖଲ କରିବା ପାଇଁ ସମୟ ମାଗିଥିଲେ ତଦନ୍ତକାରୀ ଅଧିକାରୀ। ଆଜି ହାଇକୋର୍ଟରେ ବ୍ୟକ୍ତିଗତ ହାଜର ହୋଇ ୩ ପୋଲିସ କର୍ମଚାରୀ କ୍ଷମା ମାଗିବା ସହ ଦୁଃଖ ପ୍ରକାଶ କରିବା ପରେ ଆଇନଜୀବୀ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ଘୋଷଣା କରିଛନ୍ତି।

Comment