ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟ ସରକାରଙ୍କ ଆନ୍ତଃରାଜ୍ୟ ବାଘ ସ୍ଥାନାନ୍ତରଣ ପ୍ରକଳ୍ପକୁ ଲାଗିଛି ଶକ୍ତ ଧକ୍କା। ଅନୁଗୋଳ ଜିଲ୍ଲାସ୍ଥିତ ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରେ ମହାବଳ ବାଘ ‘ମହାବୀର’ର ମୃତ୍ୟୁ ଘଟିଛି। ଏନେଇ ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସାତକୋଶିଆ କୋର୍‌ ଅଞ୍ଚଳରୁ ବୁଧବାର ମହାବଳ ବାଘ ‘ମହାବୀର’ର ମୃତଦେହ ଉଦ୍ଧାର କରାଯାଇଛି। ବନ ବିଭାଗ କହିବାନୁସାରେ, ବେକରେ ଲାଗିଥିବା ଆଘାତ ଓ ହୃଦ୍‌ଜନିତ ସଂକ୍ରମଣ ଯୋଗୁଁ ମହାବଳ ବାଘର ମୃତ୍ୟୁ ହୋଇଛି ବୋଲି ସନ୍ଦେହ କରାଯାଉଛି। କିନ୍ତୁ ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପର କୋର୍ ଅଞ୍ଚଳରେ ‘ମହାବୀର’ ଘୁରି ବୁଲୁଥିବା ବେଳେ ତା’ର ମୃତଦେହ ଠାବ କରାଯାଇଥିଲା। । ମହାବଳର ଗତିବିଧିକୁ ନିରୀକ୍ଷଣ କରିବା ପାଇଁ ତା’ ବେକରେ ରେଡିଓ କୋଲାର ଖଞ୍ଜା ଯାଇଥିଲା। ରେଡିଓ କୋଲାରକୁ ସାଟେଲାଇଟ୍‌ ସହ ସଂଯୋଗ କରାଯାଇଥିଲା। ସେହି ରେଡିଓ କୋଲାର ଦ୍ୱାରା ହିଁ ମୃତ୍ୟୁ ହୋଇପାରେ ବୋଲି କୁହାଯାଉଛି।

ଗୁରୁବାର ବନବିଭାଗର ବରିଷ୍ଠ ଅଧିକାରୀଙ୍କ ସହିତ ରାଜ୍ୟ ବାହାରୁ ଆସିଥିବା ଡାକ୍ତରୀ ଦଳ ଘଟଣାସ୍ଥଳ ପହଞ୍ଚି ବାଘଟିର ମୃତ୍ୟୁ ଘଟଣାର ତଦନ୍ତ କରିଛନ୍ତି। ମୃତଦେହ ବ୍ୟବଛେଦ ପରେ ମହାବଳ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି କୁହାଯାଉଛି। ହେଲେ ତା’ ବେକରେ ଥିବା କ୍ଷତ ସଂକ୍ରମଣ ଏଥିପାଇଁ ଦାୟୀ ବୋଲି ସନ୍ଦେହ କରାଯାଉଛି।

ବୋଧହୁଏ, କୌଣସି ଶିକାରୀ ଫାଶରେ ଏହି ମହାବଳ ବାଘ ଫସିଯିବା ପରେ ସେଠାରୁ କୌଣସି ମତେ ଖସିଆସିଛି, ମାତ୍ର ସେହି ସମୟରେ ହୋଇଥିବା କ୍ଷତ ସଂକ୍ରମଣ ହୋଇ ବାଘର ମୃତ୍ୟୁର କାରଣ ହୋଇଥାଇ ପାରେ ବୋଲି ବନବିଭାଗ ସନ୍ଦେହ କରୁଛି।

ଅନ୍ୟପକ୍ଷରେ ସାତକୋଶିଆରେ ମହାବଳ ବଂଶ ବୃଦ୍ଧି କରିବାକୁ ମଧ୍ୟପ୍ରଦେଶ କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଯୁବ ମହାବଳ ବାଘଟିକୁ ଅଣାଯାଇଥିଲା। ଏହା ଥିଲା ଦେଶରେ ପ୍ରଥମ ଅନ୍ତଃରାଜ୍ୟ ବାଘ ସ୍ଥାନାନ୍ତର ପ୍ରକଳ୍ପ। ଗତ ଜୁନ ମାସରେ ମହାବଳକୁ ଅଣା ଯାଇଥିବାବେଳେ ଏହାକୁ ନେଇ ସାତକୋଶିଆରେ କୌଣସି ବିବାଦ ଦେଖାଦେଇ ନଥିଲା।

Comment