ଓଡ଼ିଶାଲାଇଭ୍ ବ୍ୟୁରୋ

ଜାମ୍ମୁ ଓ କାଶ୍ମୀରରେ ହୋଇଥିବା ଏନ୍‌କାଉଣ୍ଟରରେ ୬ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।

ଜାମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଶୁକ୍ରବାର ସକାଳେ ଏହି ଏନ୍‌କାଉଣ୍ଟର କରାଯାଇଛି। ଶ୍ରୀନଗରଠାରୁ ପ୍ରାୟ ୫୦ କିଲୋମିଟର ଦୂର ସେକିପୋରାର ବିଜ୍‌ବେହାରା ଗାଁରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ସୁରକ୍ଷାକର୍ମୀଙ୍କୁ ମିଳିଥିଲା। ଏହାପରେ ଶୁକ୍ରବାର ଭୋର୍‌ରୁ ସୁରକ୍ଷାକର୍ମୀମାନେ ସେହି ଅଞ୍ଚଳରେ ଅପରେସନ୍ ଆରମ୍ଭ କରିଥିଲେ।

ଭାରତୀୟ ସେନାର ୩ ରାଷ୍ଟ୍ରୀୟ ରାଇଫଲ୍‌ସ ଓ ରାଜ୍ୟ ପୋଲିସ ପକ୍ଷରୁ ମିଳିତ ଭାବେ ଏହି ଅପରେସନ୍ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଆତଙ୍କବାଦୀମାନେ ଗୁଳି ଚଳାଇଥିଲେ। ଏହାପରେ ସୁରକ୍ଷାକର୍ମୀ ଏହାର ପାଲଟା ଜବାବ ଦେଇଥିଲେ।

ଏହି ଗୁଳି ଚାଳନାରେ ୬ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ଏଥିସହ ଘଟଣାସ୍ଥଳରୁ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି। ଏବେବି ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଛି। ଏହାଛଡ଼ା ଅନନ୍ତନାଗରେ ଇଣ୍ଟରନେଟ୍ ସେବାକୁ ମଧ୍ୟ ବନ୍ଦ କରି ଦିଆଯାଇଛି।

ତିନି ଦିନ ତଳେ ଶୋପିଆନ୍ ଜିଲ୍ଲାର ଏକ ଗାଁରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଚାରି ଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ଜଣେ ଯବାନ ସହିଦ ହୋଇଥିବା ବେଳେ ତିନି ଜଣ ଆହତ ହୋଇଥିଲେ।

Comment